କେନ୍ଦୁଝର, ୧୧/୦୩: ମଦ ପିଇ ଅଫିସ ଆସିବା ପଡିଲା ମହଙ୍ଗା । କେନ୍ଦୁଝର ଜିଲ୍ଲା ଘଟଗାଁ ତହସିଲର ତିନିଜଣ କର୍ମଚାରୀଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ ବିଶାଲ ସିଂହ । ତିନି ନିଲମ୍ବିତ କର୍ମଚାରୀ ହେଲେ ରାଜସ୍ବ ନିରୀକ୍ଷକ ଲସିବ ସିଂହ ଲାଗୁରୀ, ଅମିନ ଲୋଚନ କୁମାର ସାମଲ ଓ ମୁଖ୍ୟ କିରାଣୀ ଜ୍ୟୋତିର୍ମୟ ସାହୁ । ପୂର୍ବରୁ ଅଫିସ୍ ସମୟରେ ବାରମ୍ବାର ମଦ ପିଇ ଆସି ପାଟିତୁଣ୍ଡ କରୁଥିଲେ । ଯାହାକୁ ନେଇ ଘଟଗାଁ ତହସିଲଦାର ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ତେବେ କିଛିଦିନ ତଳେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଘଟଗାଁ ଗସ୍ତ ସମୟରେ ସ୍ଥାନୀୟ ଲୋକ କର୍ମଚାରୀ ଅଫିସ୍କୁ ମଦ ପିଇ ଆସୁଥିବା ନେଇ ଅଭିଯୋଗ କରିଥିଲେ । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ ତହସିଲଦାରଙ୍କୁ ଡାକି ଅଭିଯୋଗର ସତ୍ୟତା ଜାଣିବା, ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । କେନ୍ଦୁଝର ଜିଲ୍ଲାପାଳ ତିନି କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସେମାନଙ୍କୁ ନିଲମ୍ବନ କରିଛନ୍ତି ।
