ଭୁବନେଶ୍ୱର, ୨୦ ।୩ : କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବଜେଟ୍ ପରବର୍ତ୍ତୀ ଏକ ଜାତୀୟ ସ୍ତରୀୟ ୱେବିନାର ଆୟୋଜିତ ହୋଇଛି। ଏଥିରେ ଓଡ଼ିଶା ଅଂଶଗ୍ରହଣ କରି ପ୍ରମୁଖ ଶିଳ୍ପ ତଥା ଅର୍ଥନୈତିକ କରିଡର ନିକଟରେ ‘ବିଶ୍ୱବିଦ୍ୟାଳୟ ଟାଉନସିପ୍’ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଏଥିରେ ଯୋଗ ଦେଇ କହିଥିଲେ ଯେ, ଉଚ୍ଚଶିକ୍ଷା, ଗବେଷଣା, ନୂତନତା ଏବଂ ସହରୀ ବିକାଶକୁ ସମନ୍ୱିତ କରି ଏହି ଟାଉନସିପ୍ ଗୁଡ଼ିକ ଗଠନ କରାଯିବା ଉଚିତ। କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ରେ ଦେଶର ପ୍ରମୁଖ ଶିଳ୍ପ ଏବଂ ଲଜିଷ୍ଟିକ୍ କରିଡରରେ ୫ଟି ସ୍ୱତନ୍ତ୍ର ‘ବିଶ୍ୱବିଦ୍ୟାଳୟ ଟାଉନସିପ୍’ ସ୍ଥାପନ ପାଇଁ ପ୍ରସ୍ତାବ ଦିଆଯାଇଛି। ଶ୍ରୀମତୀ ପାଢ଼ୀ ପରାମର୍ଶ ଦେଇଛନ୍ତି ଯେ, ଓଡ଼ିଶାର ବିଭିନ୍ନ ପ୍ରତିଷ୍ଠିତ ଅର୍ଥନୈତିକ ଅଞ୍ଚଳ ଏବଂ ପଶ୍ଚିମ ଓ ଉତ୍ତର ଓଡ଼ିଶାର ସହରୀ ଅର୍ଥନୈତିକ ଜୋନ୍ଗୁଡ଼ିକୁ ଆଧାର କରି ଏହି ଟାଉନସିପ୍ ନିର୍ମାଣ କରାଯାଇପାରିବ। ବିଶେଷ କରି ରାଉରକେଲା, ସମ୍ବଲପୁର ଏବଂ କୋରାପୁଟ ଭଳି ସହରକୁ କେନ୍ଦ୍ର କରି ଶିକ୍ଷାନୁଷ୍ଠାନ ଓ ଶିଳ୍ପ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରାଗଲେ ଆଞ୍ଚଳିକ ବିକାଶ ସନ୍ତୁଳିତ ହୋଇପାରିବ। ଏହି ଟାଉନସିପ୍ ଗୁଡ଼ିକୁ ଆଧୁନିକ ଭିତ୍ତିଭୂମି, ଗବେଷଣା କେନ୍ଦ୍ର, ଛାତ୍ରାବାସ ଏବଂ ଉନ୍ନତ ପରିବହନ ସେବା ସହିତ ଏକ ସାଟେଲାଇଟ୍ ସିଟି ଭାବେ ବିକଶିତ କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟର ସମ୍ପ୍ରସାରିତ ଶିଳ୍ପ କରିଡର ଗୁଡ଼ିକରେ ଏହି ବିଶ୍ୱବିଦ୍ୟାଳୟ ଟାଉନସିପ୍ ଗୁଡ଼ିକ ‘ଇନୋଭେସନ କ୍ଲଷ୍ଟର’ ଭାବେ କାର୍ଯ୍ୟ କରିବ। ଶିକ୍ଷାଭିତ୍ତିକ ସହରୀ ବିକାଶ ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏହି ଟାଉନସିପ୍ ଗୁଡ଼ିକୁ ‘ସେଣ୍ଟର ଅଫ୍ ଏକ୍ସଲେନ୍ସ’ରେ ପରିଣତ କରି ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହ ମିଶି କାର୍ଯ୍ୟ କରିବେ ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି ।
