ନୂଆଦିଲ୍ଲୀ,୧୦।୩: ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ଭାରତ ସହିତ ଦୁନିଆର ବହୁ ଦେଶ ବଡ଼ ଧରଣର ଇନ୍ଧନ ସଙ୍କଟ ଦେଇ ଗତି କରୁଛି। ପାକିସ୍ତାନ, ଫ୍ରାନ୍ସ, ଆମେରିକା, ଜର୍ମାନୀ, ପୋଲାଣ୍ଡ, ଭିଏତନାମ, ବାଂଲାଦେଶ, ଶ୍ରୀଲଙ୍କା ଏବଂ ଇଣ୍ଡୋନେସିଆ ଘୋର ଇନ୍ଧନ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ସାମରିକ ସଂଘର୍ଷ ବିଶ୍ୱ ଶକ୍ତି ଯୋଗାଣ ଶୃଙ୍ଖଳାକୁ ବାଧାପ୍ରାପ୍ତ କରିଛି। ହର୍ମୁଜ ଜଳପଥ ରାସ୍ତା ବନ୍ଦ ହେବା କାରଣରୁ ଅଶୋଧିକ ତୈଳ ଦାମ୍ ୨୫% ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ସ୍ଥିତି ସମ୍ଭାଳିବା ପାଇଁ ସରକାର ରାସନିଂ, ସ୍କୁଲ ବନ୍ଦ ଏବଂ ସରକାରୀ କାମରେ ହ୍ରାସ ଭଳି କଠୋର ପଦକ୍ଷେପ ନେଉଛନ୍ତି।
ପାକିସ୍ତାନ: ପଡୋଶୀ ଦେଶ ପାକିସ୍ତାନରେ ପ୍ରତି ଲିଟର ପେଟ୍ରୋଲ ଦାମ୍ ୫୫ ପାକିସ୍ତାନ ରୁପି(କରେନ୍ସି)ବଢି ଯାଇଛି। ଇନ୍ଧନ ସଞ୍ଚୟ ପାଇଁ ସରକାର ସ୍କୁଲକୁ ଦୁଇ ସପ୍ତାହ ପାଇଁ ବନ୍ଦ କରିଛନ୍ତି। ସେଭଳି ସରକାରୀ କାର୍ଯ୍ୟାଳୟ ମଧ୍ୟ ସପ୍ତାହକରେ ମାତ୍ର ୪ ଦିନ ଖୋଲା ରହିବ।
ବାଂଲାଦେଶ: ସେଠାରେ ଇନ୍ଧନର ରାସନିଂ ଲାଗୁ କରି ଦିଆଯାଇଛି। ମୋଟର ସାଇକେଲ ପାଇଁ ୨ ଲିଟର ଏବଂ କାର ପାଇଁ ୧୦ ଲିଟର ଦୈନିକ ସୀମା ଧାର୍ଯ୍ୟ କରାଯାଇଛି। ଆତଙ୍କିତ ଭାବରେ ଅଧିକ କିଣିବାକୁ ରୋକିବା ପାଇଁ, ପେଟ୍ରୋଲ ପମ୍ପଗୁଡ଼ିକରେ ରସିଦ ଯାଞ୍ଚ କରାଯାଉଛି ଏବଂ ବେଆଇନ ସଂରକ୍ଷଣକୁ ରୋକିବା ପାଇଁ କଠୋର ନିୟମ ଲାଗୁ କରାଯାଇଛି।
ଫ୍ରାନ୍ସ ଏବଂ ଜର୍ମାନୀ: ୟୁରୋପୀୟ ଦେଶଗୁଡ଼ିକରେ ତୈଳ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ଗୁରୁତର ଭାବରେ ପ୍ରଭାବିତ କରିଛି। ଫ୍ରାନ୍ସରେ ଲୋକମାନେ ଆତଙ୍କିତ ହୋଇ ପେଟ୍ରୋଲ ପମ୍ପରେ ଧାଡ଼ିରେ ଠିଆ ହେଉଛନ୍ତି ଏବଂ ଭବିଷ୍ୟତ ଚିନ୍ତାରେ ଅଛନ୍ତି। ଜର୍ମାନୀରେ ମଧ୍ୟ ସମାନ ପରିସ୍ଥିତି, ଯେଉଁଠାରେ ଡ୍ରାଇଭରମାନେ ଏବେ ସାର୍ବଜନୀନ ପରିବହନ ଆଡକୁ ମୁହାଁଇବାକୁ ବାଧ୍ୟ ହେଉଛନ୍ତି। ଜର୍ମାନ ଚାନ୍ସେଲର ବୃଦ୍ଧି ପାଉଥିବା ଶକ୍ତି ମୂଲ୍ୟ ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ପୋଲାଣ୍ଡରେ ମଧ୍ୟ ସ୍ଥିତି ଉତ୍ତେଜନାପୂର୍ଣ୍ଣ, ଯେଉଁଠାରେ ପେଟ୍ରୋଲ ମୂଲ୍ୟ ଗୋଟିଏ ସପ୍ତାହ ମଧ୍ୟରେ ୧୪ ପ୍ରତିଶତ ବୃଦ୍ଧି ପାଇଛି ଏବଂ ଲୋକମାନେ ସାଧାରଣ ପରିବହନକୁ ଅଧିକରୁ ଅଧିକ ବାଛିଛନ୍ତି।
ଭିଏତନାମ : ସେଠାରେ ଯୋଗାଣ ସମସ୍ୟା ଦେଖିବାକୁ ମିଳିଛି। ଇନ୍ଧନ ସଞ୍ଚୟ ପାଇଁ ଆବେଦନ କରାଯିବ ସହ ଜୈବ ଇନ୍ଧନ ଏବଂ ସାର୍ବଜନୀନ ପରିବହନ ଉପରେ ଗୁରୁତ୍ୱ ଦେବାକୁ ସରକାର ପରାମର୍ଶ ଦେଇଛନ୍ତି।
ଇଣ୍ଡୋନେସିଆ: ବଢୁଥିବା ଇନ୍ଧନ ଦାମ୍ ଏବେ ସେଠାରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। B50 ବାୟୋଡିଜେଲ ଯୋଜନାକୁ ପୁନଃ କାର୍ଯ୍ୟକାରୀ କରିବା ବିଷୟରେ ବିଚାର କରାଯାଉଛି।
ଆମେରିକା ଏବଂ ଅନ୍ୟ ଦେଶର ସ୍ଥିତି: ଆମେରିକାରେ, ଫ୍ଲୋରିଡା ଏବଂ ଲୁଇସିଆନାର ପେଟ୍ରୋଲ ପମ୍ପରେ ଦର ହଠାତ୍ ୧୧ ସେଣ୍ଟ ବୃଦ୍ଧି ପାଇଛି। ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟ ଆମେରିକୀୟଙ୍କ କଷ୍ଟକୁ ବଢ଼ାଇ ଦେଇଛି। ଏହି ସମୟରେ, ଭିଏତନାମ ଜନସାଧାରଣଙ୍କୁ ଇନ୍ଧନ ସଂରକ୍ଷଣ କରିବାକୁ ଅନୁରୋଧ କରିଛି ଏବଂ ପେଟ୍ରୋଲ ଅଭାବକୁ ଦୂର କରିବା ପାଇଁ ଏକ ଟାସ୍କ ଫୋର୍ସ ଗଠନ କରିଛି। ସରକାର ଇଲେକ୍ଟ୍ରିକ୍ ଏବଂ ହାଇବ୍ରିଡ୍ ଯାନବାହାନ ଗ୍ରହଣ କରିବାକୁ ପରାମର୍ଶ ଦେଉଛନ୍ତି। ଆତଙ୍କିତ ହୋଇ କିଣିବାକୁ ରୋକିବା ପାଇଁ ଶ୍ରୀଲଙ୍କା ମଧ୍ୟ ଇନ୍ଧନ ମୂଲ୍ୟ ୮ ପ୍ରତିଶତ ବୃଦ୍ଧି କରିଛି। ତଥାପି, ଏପ୍ରିଲ ପର୍ଯ୍ୟନ୍ତ ରହିବା ପାଇଁ ପର୍ଯ୍ୟାପ୍ତ ଷ୍ଟକ୍ ଅଛି। ଏହା ସହ ଦୁନିଆର ବହୁ ଦେଶର ସରକାର ପାନିକ ବାଇଂ ବା ଭୟଭୀତ ହୋଇ ନକିଣିବାକୁ ପରାମର୍ଶ ଦେଇଛନ୍ତି।
ଭାରତ: ଭାରତରେ ବି ଏହାର ପ୍ରଭାବ ଗମ୍ଭୀର ହେଲାଣି। ଗ୍ୟାସ୍ ଯୋଗାଣ ବନ୍ଦ ଯୋଗୁ ମୁମ୍ବାଇ ଓ ବେଙ୍ଗାଲୁରୁରେ ହୋଟେଲଗୁଡ଼ିକ ପ୍ରାୟ ବନ୍ଦ ହେଲାଣି। ଦେଶରେ ଏଲପିଜି ସଙ୍କଟ ସୃଷ୍ଟି ହୋଇଛି। ସରକାର ଏହାକୁ ସମାଧାନ କରିବା ପାଇଁ ତୁରନ୍ତ ପଦକ୍ଷେପ ନେଇଛନ୍ତି। ଭାରତରେ, GAIL ଏବଂ ONGC କୁ ଗ୍ୟାସ ଉତ୍ପାଦନ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭାରତ ଏହାର ଘରୋଇ ଏଲପିଜି ଆବଶ୍ୟକତାର ୬୦%ରୁ ଅଧିକ ଆମଦାନୀ କରେ, ଏବଂ ଏହି ଆମଦାନୀର ପ୍ରାୟ ୮୫-୯୦% ଷ୍ଟ୍ରେଟ୍ ଅଫ ହର୍ମୁଜ ଦେଇ ଯାଏ, ଯାହା ଯୋଗାଣକୁ ଦୁର୍ବଳ କରିଥାଏ। ଭାରତ ବାର୍ଷିକ ପ୍ରାୟ ୩୧ ନିୟୁତ ଟନ୍ ଏଲପିଜି ବ୍ୟବହାର କରେ। ଏଥିମଧ୍ୟରୁ ୮୭% ଘରୋଇ କ୍ଷେତ୍ରରେ ପରିବାର ପାଇଁ ବ୍ୟବହୃତ ହୁଏ, ସେଭଳି ଅବଶିଷ୍ଟ ଅଂଶ ହୋଟେଲ ଏବଂ ରେଷ୍ଟୁରାଣ୍ଟକୁ ଯାଏ। ସୋମବାର ବେଙ୍ଗାଲୁରୁ ଏବଂ ଚେନ୍ନାଇ ହୋଟେଲ ଆସୋସିଏସନ ପକ୍ଷରୁ ସତର୍କ କରାଯାଇଛି ଯେ, ଯଦି ତୁରନ୍ତ ଗ୍ୟାସ୍ ଯୋଗାଣ ସ୍ଵାଭାବିକ ନହୁଏ, ତେବେ ଅନେକ ହୋଟେଲ ସେମାନଙ୍କ କାର୍ଯ୍ୟ ବନ୍ଦ କରିବାକୁ ବାଧ୍ୟ ହେବେ।
ଅନ୍ୟପକ୍ଷେ ଡୋନାଲ୍ଡ ଟ୍ରମ୍ପଙ୍କୁ ଇରାନ ଦୃଢ଼ ଜବାବ ଦେଇଛି। କହିଛି ଯଦି ଆକ୍ରମଣ ଜାରି ରହେ ତେବେ ଷ୍ଟ୍ରେଟ୍ ଅଫ୍ ହର୍ମୁଜ ଦେଇ ଗୋଟିଏ ଲିଟର ବି ତେଲ କେହି ନେଇପାରିବେ ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ ଷ୍ଟ୍ରେଟ୍ ଅଫ୍ ହରମୁଜକୁ କବ୍ଜା କରିବା ନେଇ ବୟାନ ଦେବା ପରେ ଇରାନ ପକ୍ଷରୁ ଏଭଳି ପ୍ରତିକ୍ରିୟା ଆସିଛି। ଇରାନ ଓମାନ ମଧ୍ୟ ଦେଇ ଯାଇଥିବା ୩୨ କିମି ଓସାରର ଏହି ଏକ ସଂକୀର୍ଣ୍ଣ ଜଳପଥ ହେଉଛି ଷ୍ଟ୍ରେଟ୍ ଅଫ ହର୍ମୁଜ। ଏହି ରାସ୍ତା ଦେଇ ବିଶ୍ୱର ୨୦% ତୈଳ ରପ୍ତାନୀ ହୋଇଥାଏ। ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗି ରହିଥିବାରୁ ଇରାନ ଏହି ଜଳପଥକୁ ବନ୍ଦ କରି ଦେଇଛି। ଫଳରେ ସାରା ବିଶ୍ୱରେ ବର୍ତ୍ତମାନ ଗ୍ୟାସ ଓ ତୈଳ ରପ୍ତାନୀ ବାଧାପ୍ରାପ୍ତ ହୋଇଛି।
