ସମ୍ବଲପୁର, ୯।୩: ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । କଣ୍ଟେନର ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହିଁ ୩ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ସୂଚନାନୁଯାୟୀ, ଜମନକିରା ଥାନା ପିଠାମାରେନ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା । ଏକ ବାଇକରେ ତିନିଜଣ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କଣ୍ଟେନର ସହ ସେମାନଙ୍କର ଜୋରଦାର ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ ବାଇକ୍ ଆରୋହୀମାନେ ରାସ୍ତାରେ ଛିଟିକି ପଡ଼ିଥିଲେ ଏବଂ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ପରେ କଣ୍ଟେନରରେ ହଠାତ୍ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ସମ୍ପୂର୍ଣ୍ଣ ଜଳିଯାଇଥିଲା। ଖବର ପାଇ ଜମନକିରା ପୁଲିସ ଏବଂ ଅଗ୍ନିଶମବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୀର୍ଘ ସମୟ ଚେଷ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ପୁଲିସ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ପରେ ଜାତୀୟ ରାଜପଥରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ପୁଲିସ ସେମାନଙ୍କ ସମ୍ପର୍କୀୟଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରୁଛି ।
