ଭୁବନେଶ୍ୱର: ନୂଆ ସରକାରରେ ଓଡ଼ିଶା ପର୍ଯ୍ୟଟନର ନୂଆ ଟ୍ୟାଗ୍ ଲାଇନ୍ । “ଥିଙ୍କ ଇଣ୍ଡିଆ, ଥିଙ୍କ ଓଡ଼ିଶା’ । ସମୃଦ୍ଧ ଓଡ଼ିଶାର ପର୍ଯ୍ୟଟନକୁ ସମୃଦ୍ଧ କରିବାକୁ ପ୍ରସ୍ତୁତ ରୋଡ୍ ମ୍ୟାପ୍ । ବଜେଟ୍ରେ ଅଧିକ ଅର୍ଥ ବରାଦ । କାର୍ଯ୍ୟକାରୀ ହୋଇଛି ସଂଶୋଧିତ ନୂଆ ପର୍ଯ୍ୟଟନ ନୀତି । ଏବେ ସମଗ୍ର ରାଜ୍ୟରେ ଦୌଡ଼ିବ ପର୍ଯ୍ୟଟନ ବିକାଶର ଗାଡ଼ି ।
ବିଶ୍ୱରେ ୧ନଂ ହେବ ଓଡ଼ିଶା ପର୍ଯ୍ୟଟନ । ଯୋଜନା ମୁତାବକ କାମ କରୁଛି ଓଡ଼ିଶା ପର୍ଯ୍ୟଟନ ବିଭାଗ । ପ୍ରତି ମାସରେ ମନ୍ତ୍ରୀଙ୍କ ସମୀକ୍ଷା ଏବଂ ଗନ୍ତବ୍ୟସ୍ଥଳରେ ସଚିବଙ୍କ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା ନୂତନ ଆଶା ସଞ୍ଚାର କରିଛି । ଏବେ ସାରା ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଯୋଡ଼ିବାର ନୂଆ ସୂତ୍ରଧର ‘କରିଡର୍ ଯୋଜନା’ । ବିଭିନ୍ନ ଅଞ୍ଚଳର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳକୁ ନେଇ ଛୋଟ ଛୋଟ ସର୍କିଟ୍ ଏବଂ କରିଡର୍ କରାଯାଉଛି । ଯାହାଦ୍ୱାରା ସ୍ଥାନୀୟ ଅଞ୍ଚଳର ସାମଗ୍ରିକ ବିକାଶ ହେବ । ନିକଟରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଯେଉଁ ଯେଉଁ ସ୍ଥାନକୁ ଗସ୍ତ କରିଛନ୍ତି, ସେଠାରେ ସର୍କିଟ୍ ଏବଂ କରିଡର୍ କରିବା ନେଇ ଘୋଷଣା କରିଛନ୍ତି । ୨୪ କୋଟିରେ ପ୍ରାଚୀ ନଦୀ କୂଳରେ ନିଆଳିରେ ସମସ୍ତ ପ୍ରାଚୀନ ଶୈବପୀଠର ସର୍ବାଙ୍ଗୀନ ବିକାଶ ଲାଗି ଫେବ୍ରୁଆରୀ ୪ରେ ଅଷ୍ଟଶମ୍ଭୁ ପର୍ଯ୍ୟଟନ କ୍ଷେତ୍ର ଉନ୍ନତୀକରଣ ତଥା ‘ଅଷ୍ଟଶମ୍ଭୁ ପର୍ଯ୍ୟଟନ କରିଡର୍’ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଫେବ୍ରୁଆରୀ ୧୧ରେ ବେରବୋଇ ଗାନ୍ଧୀ ପୀଠର ଉନ୍ନତୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରି ଶୀମତୀ ପରିଡ଼ା କହିଥିଲେ, ଗାନ୍ଧୀଜୀଙ୍କ ସ୍ମୃତି ସହ ଜଡ଼ିତ ସ୍ଥାନ ଗୁଡ଼ିକର ପୁନରୁଦ୍ଧାର ଏବଂ ପର୍ଯ୍ୟଟନର ବିକାଶ କରାଯିବ । ଏହାସହ ୫ କୋଟି ୨୬ ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ବେରବୋଇଠାରେ ‘ଗାନ୍ଧୀ ସର୍କିଟ୍’ ନିର୍ମାଣ ହେବ । ସେହିପରି ପଞ୍ଚଦଶ ଶତାବ୍ଦୀର ପ୍ରସିଦ୍ଧ ଓଡ଼ିଆ କବି ଏବଂ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ଭକ୍ତ ତଥା ‘ଲକ୍ଷ୍ମୀପୁରାଣ’ର ରଚୟିତା ବଳରାମ ଦାସଙ୍କ ପବିତ୍ର ସମାଧି ପୀଠର ସର୍ବାଙ୍ଗୀନ ବିକାଶ ହେବ । ୨୮ କୋଟି ବ୍ୟୟରେ ଗୋପ ବ୍ଲକ୍ ଅନ୍ତର୍ଗତ ବେଦପୁର ପଞ୍ଚାୟତର ବେଗୁନିଆ ଗ୍ରାମରେ ଅବସ୍ଥିତ ଏହି ପୀଠର ଉନ୍ନତୀକରଣ କରାଯିବ ।
ଫେବ୍ରୁଆରୀ ୨୬ରେ ପ୍ରକଳ୍ପର ସମୀକ୍ଷା କରି ଏହାକୁ ମା’ ଲକ୍ଷ୍ମୀପୂରାଣ କରିଡର୍ ନାଁରେ ନାମିତ କରାଯିବ ବୋଲି ଶୀମତୀ ପରିଡ଼ା ଘୋଷଣା କରିଥିଲେ । ସେହିପରି ଚକାପାଦରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାଁରେ ଏକ କରିଡର୍ ନିର୍ମାଣ କରାଯିବ ବୋଲି ଗତ ଫେବ୍ରୁଆରୀ ୧୦ କନ୍ଧମାଳ ଗସ୍ତ ଅବସରରେ ଚକାପାଦ ଆଶ୍ରମ ପରିଦର୍ଶନ କରି ଉପମୁଖ୍ୟମନ୍ତ୍ରୀ ଶୀମତୀ ପରିଡ଼ା କହିଥିଲେ ।
ଫେବ୍ରୁଆରୀ ୨୮ରେ ରାଜ୍ୟର ଅନୁଷ୍ଠିତ ବିକାଶ ମନ୍ଥନ ସମ୍ମିଳନୀରେ ବି ଏହା ଉପରେ ଆଲୋଚନା ହୋଇଥିଲା । ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର କହିଛନ୍ତି, “ଥିଙ୍କ ଇଣ୍ଡିଆ, ଥିଙ୍କ ଓଡ଼ିଶା’କୁ ଦୃଷ୍ଟିରେ ରଖି ଯେଉଁ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି । ସେଥିରେ ୧୫ଟି ଇକୋ-କଲ୍ଚରାଲ୍ ହବ୍ ଏବଂ ପ୍ରମୁଖ ‘ପୁରୀ-କୋଣାର୍କ ହେରିଟେଜ୍ କରିଡର୍’ର ବିକାଶ କରାଯାଉଛି । ବୌଦ୍ଧ ଐତିହ୍ୟକୁ ପ୍ରୋତ୍ସାହିତ କରିବା ସହିତ ଉଦୟଗିରି, ରତ୍ନଗିରି ଓ ଲଳିତଗିରିକୁ ପୁନରୁଦ୍ଧାର କରି ଓଡ଼ିଶାରେ ‘ବୌଦ୍ଧ ସର୍କିଟ୍’କୁ ବିକଶିତ କରିବାକୁ ଲକ୍ଷ୍ୟ ରହିଛି । ଏତଦ୍ ବ୍ୟତୀତ ରାଜ୍ୟର ପ୍ରମୁଖ ୮ ଶକ୍ତିପୀଠକୁ ନେଇ ‘ଶକ୍ତିପୀଠ କରିଡର୍’ ପ୍ରତିଷ୍ଠା ହେବ । ଏହାଛଡ଼ା ଓଡ଼ିଶା ପର୍ଯ୍ୟଟନ (ସଂଶୋଧନ) ନୀତି ୨୦୨୬ରେ ହୋଟେଲ୍, ଇକୋ-ଟୁରିଜିମ୍, କଳା ଓ ଶିଳ୍ପ କମ୍ପେ୍ଲକ୍ସକୁ ପ୍ରୋତ୍ସାହନ ପ୍ରଦାନ କରାଯିବ । ଦୁଃସାହସିକ, କାରାଭାନ୍ ଟୁରିଜିମ୍ ଏବଂ ଗ୍ରାମୀଣ ହୋମ୍ ଷ୍ଟେକୁ ପ୍ରୋତ୍ସାହିତ କରାଯିବା ସହ ଦକ୍ଷତା ବିକାଶ ଓ ଗନ୍ତବ୍ୟ ସ୍ଥଳ ପରିଚାଳନା (ଡେଷ୍ଟିନେସନ୍ ମ୍ୟାନେଜମେଣ୍ଟ) ଉପରେ ଗୁରୁତ୍ୱ ଦିଆଯାଉଛି । ପର୍ଯ୍ୟଟନକୁ ନିଯୁକ୍ତି ଏବଂ ସ୍ଥାୟୀ ଅଭିବୃଦ୍ଧିର ଏକ ପ୍ରମୁଖ ମାଧ୍ୟମ ଭାବେ ବିକଶିତ କରିବା ପାଇଁ ଭିଜନ୍ ୨୦୨୯, ୨୦୩୬ ଏବଂ ୨୦୪୭କୁ ଲକ୍ଷ୍ୟରେ ରଖି କାମ ହେବ ।
ମାର୍ଚ୍ଚ ୧ରେ କୋଣାର୍କ ଇକୋ ରିଟ୍ରିଟ୍ରେ ପର୍ଯ୍ୟଟନ ଉନ୍ନୟନ ଅଧିକାରୀଙ୍କ ସମ୍ମିଳନୀ ଓ ସମୀକ୍ଷା ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ବିକଶିତ ଓଡ଼ିଶାର ଲକ୍ଷ୍ୟ ସାଧନରେ ପର୍ଯ୍ୟଟନ ପ୍ରମୁଖ ଭୂମିକା ତୁଲାଇବ । ନୂଆ ପର୍ଯ୍ୟଟନ ନୀତି ଆଧାରରେ ଏ ଲକ୍ଷ୍ୟ ହାସଲ ଦିଗରେ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ଏଥିସହିତ ଲ୍ୟାଣ୍ଡ୍ ବ୍ୟାଙ୍କ ଉପଯୋଗ ସହ ଇକୋ ରିଟ୍ରିଟ୍ ଓ ଅନ୍ୟାନ୍ୟ ପର୍ଯ୍ୟଟନକୁ ଗୁରୁତ୍ୱ ଦେବା ବାବଦରେ ଆଲୋଚନା କରିଥିଲେ । ସୂଚନାଯୋଗ୍ୟ, ଚଳିତ ବଜେଟ୍ରେ ପର୍ଯ୍ୟଟନକୁ ସମୃଦ୍ଧ ଲାଗି ୮୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
