ଝରିଗାଁ/ଉମରକୋଟ, ୨୫।୨: ଜଙ୍ଗଲରୁ ଉଦ୍ଧାର ହେଲା ନିଖୋଜ ଶିକ୍ଷକଙ୍କ ମୃତଦେହ । ଚାରିଦିନ ତଳେ ନିଖୋଜ ଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଲେଖ ଚରଣ ଭକ୍ତଙ୍କ ଝୁଲନ୍ତା ଶବ ଛତିଶଗଡ଼ର ମେନପୁର ନିକଟସ୍ଥ କଲା ଗାଁ ଜଙ୍ଗଲରେ ଠାବ ହୋଇଛି । ଝରିଗାଁ ବ୍ଲକ୍ ରାତାଖଣ୍ଡିଗୁଡା ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଲେଖ ଚରଣ ଭକ୍ତ କଲେଗାଁ ବିଦ୍ୟାଳୟକୁ ମାଟ୍ରିକ ପରୀକ୍ଷା ପର୍ଯ୍ୟବେକ୍ଷକ ଭାବେ ଯାଇ ଆଉ ଘରକୁ ଫେରି ନଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି । କେଉଁ କାରଣରୁ ଶିକ୍ଷକ ଆତ୍ମହତ୍ୟା କଲେ ଏହାର କାରଣ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି । କ’ଣ ଏମିତି ମାନସିକ ଚାପରେ ଶିକ୍ଷକ ଅଲେଖ ଥିଲେ ଯେ, ସରକାରୀ ଚାକିରି କରି କେଉଁ ପରିସ୍ଥିତିରେ ଏଭଳି କ୍ରୁର ପଦକ୍ଷେପ ନେଲେ ଏହା ନିଶ୍ଚିନ୍ତ ଚିନ୍ତାର ବିଷୟ । ଅଞ୍ଚଳବାସୀ ଓ ପରିବାର ଘଟଣାର ସତ୍ୟତାକୁ ଜାଣିବା ଜିଜ୍ଞାସା ବଢ଼ିବାରେ ଲାଗିଛି ।
