ଭୁବନେଶ୍ବର, ୨୫/୦୨: କଳା ସାମ୍ରାଜ୍ୟର ପତନ । ଖଣି ବାବୁଙ୍କ ଶ୍ରୀବିହାର ଘରୁ ଶ୍ରୀତୁଟିଗଲା । ୪ କୋଟି ଟଙ୍କା ନଗଦ ଓ ୧୩୦ ଗ୍ରାମ ସୁନା ବାହାରିବା ପରେ ବନ୍ଧା ହେଲେ କଟକ ସର୍କଲ ଖଣି ଉପ-ନିର୍ଦ୍ଦେଶକ । ଦେବବ୍ରତ ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ । ଦୁର୍ନୀତି ନିବାରଣ ଟିମ୍ ଖଣି ବାବୁଙ୍କ ଘରୁ ଆୟବର୍ହିଭୂତ ସମ୍ପତ୍ତି ଜବତ କରି ତାଙ୍କୁ ଗିରଫ କରିଛି ।
କଟକ ସର୍କଲ ଖଣି ଉପ-ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଗତକାଲି ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ରେଡ୍ ମାରିଥିଲା । ଖଣି ବାବୁଙ୍କ ଏହି ଦୁର୍ନୀତି ଚେର ୩୦ ହଜାର ଟଙ୍କାରୁ ନଗଦ ୪ କୋଟି ପର୍ଯ୍ୟନ୍ତ ଯାଇଥିଲା । ଦୁର୍ନୀତି ନିବାରଣ ଟିମ୍ କାଲି ଠାରୁ ଖଣି ଉପ-ନିର୍ଦ୍ଦେଶକଙ୍କ ବିଭିନ୍ନ ଠିକଣାରେ ରେଡ୍ ମାରି ଆୟବର୍ହିଭୂତ ସମ୍ପତ୍ତି ଜବତ କରୁଛି । ବାବୁଙ୍କ ଘରେ ଏବେବି ରେଡ୍ ଜାରି ରହିଛି । ମିଳିଥିବା ସୂଚନା ଅନୁଯାୟୀ, ଦେବବତ୍ର ମହାନ୍ତିଙ୍କ ଶ୍ରୀବିହାର ଘରୁ ବର୍ତ୍ତମାନ ସୁଦ୍ଧା ୪ କୋଟି ନଗଦ ଟଙ୍କା ଏବଂ ୧୩୦ ଗ୍ରାମ ସୁନା ଗହଣା ଜବତ ହୋଇଛି । ଭିଜିଲାନ୍ସ ଟିମ୍ ଯେତେ ଖୋଳୁଛି, ଦୁର୍ନୀତିଖୋର୍ ବାବୁଙ୍କ ସେତେ ଟଙ୍କା ବାହାରୁଛି । ସେହିପରି ଡିଡିଏମଙ୍କ ଅଫିସରୁ ନଗଦ ୧ଲକ୍ଷ ୨୦ ହଜାର ଟଙ୍କା ଜବତ ହୋଇଛି । ଏହାଛଡ଼ା ୧୯ଟି ବିଦେଶୀ ନୋଟ୍ ଜବତ ହୋଇଛି । ଓଡ଼ିଶା ଭିଜିଲାନ୍ସ ଇତିହାସରେ ସର୍ବାଧିକ ଟଙ୍କା ଜବତ କରିବା ଏହା ପ୍ରଥମ ଘଟଣା । ଏହା ପୂର୍ବରୁ ନଗଦ ଏତେ ଟଙ୍କା ବାହାରି ନଥିଲା । ଜବତ ହୋଇଥିବା ଆୟବର୍ହିଭୂତ ସମ୍ପତ୍ତିର ସଠିକ୍ ତଥ୍ୟ ନଦେଇ ପାରିବାରୁ ଓଡ଼ିଶା ଭିଜିଲାନ୍ସ ଖଣି ଉପ-ନିର୍ଦ୍ଦେଶକ ଦେବବ୍ରତ ମହିନ୍ତିଙ୍କୁ ଗିରଫ କରିଛି ।.
