ଭୁବନେଶ୍ବର ୨୦/୦୨: ଗୁରୁବାରଠୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ବା ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ଦିନ ପ୍ରଥମ ଭାଷା (ଓଡ଼ିଆ) ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । କିନ୍ତୁ ଚଳିତ ମାଟ୍ରିକ୍ ପରୀକ୍ଷାରେ ୧୨ ହଜାର ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଛନ୍ତି। ଯାହ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଚିନ୍ତା ପ୍ରକଟ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ମାଟ୍ରିକ୍ ପରୀକ୍ଷାରେ ୧୨ ହଜାର ଅନୁପସ୍ଥିତ ରହିବା ବିଷୟରେ ତର୍ଜମା କରାଯାଉଛି। କାହିଁକି ଅନୁପସ୍ଥିତ ରହିଲେ ସେନେଇ ତର୍ଜମା କରାଯାଉଛି। ଅନେକ ବ୍ୟକ୍ତିଗତ କାରଣରୁ ପରୀକ୍ଷା ଦିଆନ୍ତିନାହିଁ। ବିଭାଗ ସବୁ ବ୍ୟବସ୍ଥା କରିଛି । କିପରି ସମସ୍ତେ ପରୀକ୍ଷା ଦେବେ । ବିଭାଗୀୟ ତ୍ରୁଟି ନାହିଁ, ବ୍ୟକ୍ତିଗତ କାରଣରୁ ଅନୁପସ୍ଥିତ ରହିଛନ୍ତି। ସରକାର୍ ଡ୍ରପ୍ ଆଉଟ୍ ରୋକିବାକୁ ସବୁ ପଦକ୍ଷେପ ନେଇଛନ୍ତି। ଚାଇଲ୍ଡ ଟ୍ରକିଂ ସର୍ଭେ କରାଯାଉଛି। ନାମ ଲେଖା ଉତ୍ସବ କରାଯାଉଛି। ଆସ ସ୍କୁଲ ଯିବା ଅଭିଯାନ ବି କରାଯାଉଛି। ତ୍ରୁଟିକୁ ଅନୁଧ୍ୟାନ କରି ଆଗାମୀ ଦିନରେ ଆହୁରି ସଚେତନ କରାଇବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ନବମ ଓ ଦଶମ ଶ୍ରେଣୀରେ ସବୁଠୁଁ ଅଧିକ ପିଲା ଛାଡୁଛନ୍ତି ପାଠପଢା । ନବମ ଓ ଦଶମ ଶ୍ରେଣୀରେ ୧୫ ପ୍ରତିଶତ ପିଲା ପାଠ ଛାଡିଛନ୍ତି। ଯେଉଁଥିରେ ଝିଅଙ୍କ ତୁଳନାରେ ପୁଅଙ୍କ ସଂଖ୍ୟା ଅଧିକ ରହିଛି। ନବମ ଓ ଦଶମ ଶ୍ରେଣୀରେ ୧୨.୫ % ଝିଅ ପାଠ ଛାଡି ଥିବା ବେଳେ ୧୭ .୩ ପୁଅ ପାଠ ଛାଡିଛନ୍ତି। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୩.୨ % ଡ୍ରପ୍ ଆଉଟ ଥିବା ବେଳେ ଝିଅ ପାଠ ପଢା ଛାଡିବା ପ୍ରତିଶତ ୨.୬ % ପୁଅମାନଙ୍କ ପାଠ ଛାଡିବା ପ୍ରତିଶତ ୩.୭ ରହିଛି । ସେହିପରି ପ୍ରଥମରୁ ପଞ୍ଚମ ଶ୍ରେଣୀ ଭିତରେ ୦.୭ % ପିଲା ପାଠପଢା ଛାଡିଛନ୍ତି। ସେଥିରୁ୦ .୩ ପ୍ରତିଶତ ଝିଅ, ୧.୧ % ପୁଅ ପାଠ ଛାଡିଛନ୍ତି। ୨୦୨-୨୧ ରୁ ୨୦୨୩-୨୪ ପର୍ଯ୍ୟନ୍ତ କ୍ରମାଗତ ଭାବେ ହ୍ରାସ ପାଇଥିବା ବେଳେ ୨୦୨୪-୨୫ ରେ ବଢିଛି ଡ୍ରପ୍ଆଉଟ ହାର। ସୂଚନା ଅନୁଯାୟୀ, ୫ ଲକ୍ଷ ୪୬ ହଜାର ୫୮୨ ଜଣ ପରୀକ୍ଷାର୍ଥୀଙ୍କୁ ମାଟ୍ରିକ୍ ପାଇଁ ଆଡମିଟ୍ କାର୍ଡ ଇସ୍ୟୁ ହୋଇଥିବା ବେଳେ ୧୨ ହଜାର ୪୧୪ ଜଣ ପ୍ରାର୍ଥୀ ଏସ୍ଓଏସ୍ସି ଓ ୨ ହଜାର ୭୪୮ ପ୍ରାର୍ଥୀ ମଧ୍ୟମା ପରୀକ୍ଷା ଦେବା ପାଇଁ ଆଡମିଟ୍ କାର୍ଡ ଇସ୍ୟୁ ହୋଇଛି । ତେବେ ପ୍ରଥମ ଦିନ ମାତୃଭାଷା ପରୀକ୍ଷାରେ ୧୨ ହଜାର ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ସୂଚନା ମିଳିଛି। ଅନ୍ୟପଟେ କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ୩୭ଟି ସ୍ପେସାଲ୍ ସ୍କ୍ୱାଡ୍ ଗଠନ କରାଯାଇଛି । ସେହିପରି ଜିଲ୍ଲା ସ୍ତରରେ ଡିଇଓମାନଙ୍କ ଦ୍ୱାରା ୭୨ଟି ସ୍କ୍ୱାଡ୍ ଗଠନ କରାଯାଇଛି।
