ଭୁବନେଶ୍ୱର: ରାଜ୍ୟରେ କୁଳପତି ସଙ୍କଟ ! ବିଶ୍ୱବିଦ୍ୟାଳୟ ଅଛି ହେଲେ କୁଳପତି ନାହାନ୍ତି । ଏହି ପଦବୀ ପୁରଣ ନିମନ୍ତେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ-୨୦୨୪ ଧାରା ୬ ଅନୁଯାୟୀ ୧୩ ଗୋଟି ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି ଚୟନ ନିମନ୍ତେ ମାନ୍ୟବର କୁଳାଧିପତିଙ୍କ ଦ୍ୱାରା ଚୟନ କମିଟି ଗଠନ କରାଯାଇଛି । ଏଥିସହ ବିଜ୍ଞାପନ ମାଧ୍ୟମରେ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଗୁଡ଼ିକର କୁଳପତି ଚୟନ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇ ଚୟନ କମିଟି ଦ୍ୱାରା ଏହି ଦରଖାସ୍ତ ଗୁଡ଼ିକର ତର୍ଜମା ଶେଷ ହେବା ସହିତ ସମ୍ପୃକ୍ତ ଚୟନ କମିଟି, କୁଳପତି ଚୟନ ନିମନ୍ତେ ତିନୋଟି ନାଁ ସୁପାରିଶ ହୋଇଛି । ପ୍ରତି ବିଶ୍ୱବିଦ୍ୟାଳୟ ନିମନ୍ତେ ଚୟନ କମିଟି ଦ୍ୱାରା ଚୟନ କରାଯାଇଥିବା ୩ ଜଣଙ୍କ ନାମ ସମ୍ପୃକ୍ତ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା କିମ୍ବା ପ୍ରତିଷ୍ଠାନରୁ ସ୍ପଷ୍ଟୀକରଣ ଗ୍ରହଣ କରିସାରିବା ପରେ ରାଜ୍ୟ ସରକାର ଏହାକୁ କୁଳପତି ନିଯୁକ୍ତି ପାଇଁ କୁଳାଧୂପତିଙ୍କ ନିକଟକୁ ପଠାଯିବ । ତନ୍ମଧ୍ୟରୁ ମାନ୍ୟବର କୁଳାଧିପତି ଜଣଙ୍କୁ ଉକ୍ତ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଚୟନ କରିବେ । ଏନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
