ବିନିକା, ୧୧/୦୨ : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଗୋଷ୍ଠୀ ସଙ୍ଘର୍ଷ। ଛୁରାମାଡ଼ରେ ଜଣେ ମୃତ ୨ ଗୁରୁତର। ଅନ୍ୟ ଜଣେ ଥାନାରେ ଅଟକ। ମୃତକ ଜଣଙ୍କ ହେଲେ ନୂଆପଡାର ଶମ୍ଭୁ ମେହେର। ମେଡିକାଲରେ ବିନିକା ପୁଲିସ ପହଞ୍ଚି ଶବକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି। ସୂଚନାନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ୮ ନମ୍ବର ୱାର୍ଡର ପୋଖରୀ ନିକଟରେ ମଙ୍ଗଳବାର ରାତିରେ ୨ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ଏହି ଗୋଷ୍ଠୀ ସଙ୍ଘର୍ଷରେ ଛୁରାମାଡ଼ ଯୋଗୁଁ ବିନିକା ନୂଆପଡାର ଶମ୍ଭୁ ମେହେର (୩୦ ବର୍ଷ) ଏବଂ ୮ ନମ୍ବର ୱାର୍ଡ ଭୀମଭୋଇ ନଗରର ଅମିତ ଭରାସାଗର (୧୮ ବର୍ଷ) ଓ ଟୁନୁ ରନବିଡ଼ା (୧୮ ବର୍ଷ) ଗୁରୁତର ହୋଇଥିଲେ। ସେମାନଙ୍କୁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଶମ୍ଭୁଙ୍କ ବେକ ଓ ପେଟରେ ଗଭୀର ଆଘାତ ଲାଗିଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଛି। ଟୁନୁ ଓ ଅମିତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ବିଳମ୍ବିତ ରାତିରେ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏପଟେ ଖବର ପାଇ ମେଡିକାଲରେ ବିନିକା ପୁଲିସ ପହଞ୍ଚି ଶବକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି। କେଉଁ କାରଣରୁ ଛୁରାମାଡ଼ ହୋଇଛି ତାହାର କାରଣ ଅସ୍ପଷ୍ଟ ରହିଛି। ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ ଜାରି ରଖିଛି।
