ଭୁବନେଶ୍ଵର, ୧୧/୦୨ : ମହିଳା ଅପରାଧ ନେଇ ଚାଞ୍ଚଲ୍ୟକର ଖୁଲାସା। ୨୦୨୪-୨୫ ଆର୍ଥିକ ବର୍ଷରେ ରୁଜୁ ହୋଇଛି ୨୦୬୪ଟି ଅପରାଧିକ ମାମଲା। ସବୁଠୁ ଅସୁରକ୍ଷିତ ରାଜଧାନୀ। ମହିଳା ହିଂସାରେ ସବୁଠୁ ଆଗରେ ଭୁବନେଶ୍ୱର। ତା ପଛକୁ ରହିଛି ପୁରୁଣା ରାଜଧାନୀ କଟକ। ରାଜ୍ୟବାସୀଙ୍କ ଆଗରେ ତଥ୍ୟ ରଖିଲେ ରାଜ୍ୟ ମହିଳା କମିଶନ। ଓଡ଼ିଶା ମହିଳା କମିଶନଙ୍କ ୩୩ତମ ପ୍ରତିଷ୍ଠା ଦିବସରେ ମହିଳା ଆୟୋଗଙ୍କ ପକ୍ଷରୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବରେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଅତିଥି ଭାବେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ସମ୍ପଦ ସ୍ୱାଇଁଙ୍କ ସହ କମିଶନ ଅଧ୍ୟକ୍ଷା ଶୋଭନା ମିଶ୍ର ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା କମିଶନ ମହିଳା ଅପରାଧ ନେଇ ତଥ୍ୟ ରଖିଛନ୍ତି। ରିପୋର୍ଟ ଅନୁଯାୟୀ, ୨୦୨୪-୨୫ ବର୍ଷରେ ସମୁଦାୟ ୨୦୬୪ ମହିଳା ଅପରାଧିକ ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୧୮୭୯ଟି ମାମଲା ସମାଧାନ କରିବାରେ ମହିଳା କମିଶନ ସଫଳ ହୋଇଛନ୍ତି। ମହିଳା ଅପରାଧର ସବୁଠାରୁ ଶୀର୍ଷରେ ଘରୋଇ ହିଂସା ରହିଛି। ୮୫୨ ଘରୋଇ ହିଂସା ମାମଲା ମହିଳା କମିଶନଙ୍କ ନିକଟରେ ରୁଜୁ ହୋଇଛି। ସେହିପରି ୬୭୫ଟି ଯୌତୁକଜନିତ ନିର୍ଯାତନା ଓ ପରିତ୍ୟାଗ ମାମଲା ରୁଜୁ ହୋଇଥିବା ବେଳେ ୫୮୧ଟିର ସମାଧାନ ହୋଇପାରିଛି। ରାଜ୍ୟରେ ସର୍ବମୋଟ ୧୮୨ଟି ମହିଳା ଅଧିକାର ଉଲଂଘନ ମାମଲା ରୁଜୁ ହୋଇଛି। ଅଶୋଭନୀୟ ଆଚରଣ ପ୍ରଦର୍ଶନ କ୍ଷେତ୍ରରେ ୧୩୭ଟି ମାମଲା ରୁଜୁ ହୋଇଛି।
ସୂଚନାନୁଯାୟୀ, ୧୨ଟି ଯୌତୁକ ଜନିତ ହତ୍ୟା ମାମଲା, ୧୪ଟି ସନ୍ଦେହଜନକ ମୃତ୍ୟୁ ମାମଲା, ୨୪ଟି ଦୁଷ୍କର୍ମ ମାମଲା, ୩୦ଟି ମିଥ୍ୟା ପ୍ରତିଶୃତି ଦେଇ ବିବାହ ସହ ପ୍ରତାରଣା ମାମଲା, ୨୮ଟି ଅପହରଣ ମାମଲା, ୪୮ଟି ଜମି ବିବାଦରୁ ମହିଳା ହିଂସା ମାମଲା, ୨୫ଟି କର୍ମକ୍ଷେତ୍ରରେ ନିର୍ଯାତନା ମାମଲା, ମହିଳାଙ୍କୁ ଖରାପ ବ୍ୟବହାର ପାଇଁ ୫ଟି ମାମଲା, ଅନ୍ୟାନ୍ୟ ମହିଳାଙ୍କ ଉପରେ ହୋଇଥିବା ହିଂସା ପାଇଁ ୩୩ଟି ମାମଲା ମହିଳା କମିଶନଙ୍କ ପାଖରେ ରୁଜୁ ହୋଇଥିବା ବେଳେ ସାଇବର ଅପରାଧ କ୍ଷେତ୍ରରେ ଶୂନ୍ୟ ରହିଛି। ମହିଳା ହିଂସାରେ ସବୁଠୁ ଆଗରେ ଭୁବନେଶ୍ୱର ରହିଛି। ରାଜଧାନୀରେ ବର୍ଷକ ମଧ୍ୟରେ ୨୯୮ଟି ମାମଲା ରୁଜୁ ହୋଇଛି। ତାପରକୁ କଟକ ୨୧୪, ଖୋର୍ଦ୍ଧା ୨୧୦, ପୁରୀ ୧୮୧, ଗଞ୍ଜାମ ୧୨୦, ଭଦ୍ରକ ୧୧୩ ସହ ଯାଜପୁରରେ ୧୦୩ଟି ମାମଲା ମହିଳା କମିଶନଙ୍କ ନିକଟରେ ପଞ୍ଜୀକୃତ ହୋଇଛି।
