ନୂଆଦିଲ୍ଲୀ,୧୦/୦୨; ଉତ୍ତର ପ୍ରଦେଶର ମଥୁରାରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଗୋଟିଏ ପରିବାରର ୫ଜଣ ସଦସ୍ୟ ବିଷ ପିଇ ଦେଇଥିବା ଜଣାପଡ଼ିଛି । ସ୍ୱାମୀ, ସ୍ତ୍ରୀ ଏବଂ ସେମାନଙ୍କର ୩ ପିଲା କ୍ଷୀରରେ ବିଷ ମିଶାଇ ପିଇ ଦେଇଥିବା ସନ୍ଦେହ କରାଯାଉଛି । ସକାଳେ ସେମାନେ ନ ଉଠିବାରୁ ପଡ଼ୋଶୀମାନେ ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ । ସମସ୍ତ ୫ ଜଣଙ୍କର ମୃତ୍ୟୁ ହୋଇଛି । ମଥୁରା ମହାବନ ପୋଲିସ ଷ୍ଟେସନ ଅଧୀନସ୍ଥ ଖପ୍ପରପୁର ଗାଁରେ ଏହି ଘଟଣା ଘଟିଛି । ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରାଯାଉଛି । ପରିବାରର ଅନ୍ୟ ସଦସ୍ୟ ଏବଂ ଗାଁ ଲୋକଙ୍କୁ ପଚରାଉଚରା କରାଯାଉଛି । ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ପୁଲିସ୍ ଘଟଣାର ତଦନ୍ତ ଜାରି ରହିଛି । କେଉଁ କାରଣ ପାଇଁ ପରିବାର ଏ ଚରମ ନିଷ୍ପତ୍ତି ନେଲେ । କଣ କାରଣ ଥାଇପାରେ । ପାରିବାରିକ କଳହ ନା ଅନ୍ୟକିଛି । ଏମିତି ଅନେକ ପ୍ରଶ୍ନ ସ୍ଥାନୟୀ ଲୋକଙ୍କ ମନରେ ଉଙ୍କି ମାରୁଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ପୁଲିସ୍ କହିବା ଅନୁସାରେ ରୋଷେଇ ଘର କାନ୍ଥରେ ଆତ୍ମହତ୍ୟା କରିଥିବା ନେଇ ଏକ ସଙ୍କେତ ଦିଆଯାଇଛି । ଖପ୍ପରପୁରର ବାସିନ୍ଦା ୩୫ ବର୍ଷୀୟ ମନୀଷ ଜଣେ ଚାଷୀ ଥିଲେ । ସକାଳ ପରିବାରର କୌଣସି ସଦସ୍ୟ ଘରୁ ବାହାରିନଥିଲେ । ଫଳରେ ପଡୋଶୀ ସନ୍ଦେହ କରିଥିଲେ । ମନୀଷ ତାଙ୍କ ପତ୍ନୀ ସୀମା, ୫ ବର୍ଷର ଝିଅ ହନି ଏବଂ ୪ ବର୍ଷର ପ୍ରିୟାଂଶୀ ଏବଂ ୨ ବର୍ଷର ପୁଅ ପଙ୍କଜଙ୍କ ସହିତ ଘରେ ମୃତ ଅବସ୍ଥାରେ ପଡିଥିଲେ । ଏହା ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ କାନ୍ଦ ବୋବାଳି ପଡ଼ିଥିଲା । ଏହା ପରେ ପୁଲିସକୁ ସୂଚନା ଦିଆଯାଇଥିଲା । ଘରର ରୋଷଇ ଘର କାନ୍ଥରେ ‘ଆମେ ଆତ୍ମହତ୍ୟା କରୁଛୁ’ ବୋଲି ଲେଖାଥିବା ପୁଲିସ୍ କହିଛି । ପ୍ରକୃତ କାରଣ କଣ ଜାଣିବାକୁ ପୁଲିସ୍ ପରିବାରର ଅନ୍ୟ ସଦସ୍ୟ ଓ ପଡୋଶୀଙ୍କୁ ପଚରାଉଚରା କରୁଛି । ମନୀଷଙ୍କ ୨ ଭାଇ ପାଖରେ ରୁହନ୍ତି । କିଛି ଦିନ ପୂର୍ବରୁ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା । ଏବେ ପରିବାରରେ ଏତେ ବଡ଼ ଘଟଣା ଘଟିଯାଇଛି ।
