ନୂଆଦିଲ୍ଲୀ ୦୪/୦୨: ନୀମଚରେ ଅଙ୍ଗନବାଡ଼ି କେନ୍ଦ୍ରରେ ମହୁମାଛିଙ୍କ ଆତଙ୍କ । ପିଲାଙ୍କୁ ମହୁମାଛିଙ୍କ କବଳରୁ ବଞ୍ଚାଇବା ପାଇଁ କେନ୍ଦ୍ରରେ ଖାଦ୍ୟ ପ୍ରସ୍ତୁତକାରୀ ସ୍ୱସହାୟତା ସମୂହର ଅଧ୍ୟକ୍ଷ କଞ୍ଚନ ବାଈ ମେଘୱାଲ ଆଗେଇ ଆସିଲେ । ନିଜ ଜୀବନକୁ ଖାତିର ନ କରି ଦରି-ପାଲରେ ସବୁ ପିଲାଙ୍କୁ ଘୋଡ଼ାଇ ରଖିଲେ । ତା’ପରେ ଏକ ବଖରା ଭିତରକୁ ପଠାଇଲେ । ଇତିମଧ୍ୟରେ କଞ୍ଚନ ବାଈଙ୍କୁ ମହୁମାଛି ଭିଣିଦେଲେ । ଗମ୍ଭୀର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ ।
ନୀମଚ ଜିଲ୍ଲାର ରାନପୁର ଗାଁରେ ସୋମବାର ଦ୍ୱୀପହରରେ ଏହି ଘଟଣା ଘଟିଥିଲା । ମଡାବଦା ପଞ୍ଚାୟତର ଅଙ୍ଗନବାଡ଼ି କେନ୍ଦ୍ରର ୨୦ ପିଲା ବାହାରେ ଖେଳୁଥିଲେ । ହଠାତ୍ ମହୁମାଛି ଆସି ପିଲାଙ୍କୁ ଘେରିଗଲେ । ଏହା ଦେଖି କଞ୍ଚନ ବାଈ ସାହସ ଦେଖାଇଲେ । ଗାଁ ଲୋକ ଆସିବା ବେଳକୁ ହଜାର ହଜାର ମହୁମାଛି ତାଙ୍କୁ ଭିଣି ଦେଇଥିଲେ । କଞ୍ଚନଙ୍କ ସ୍ୱାମୀ ଶିବଲାଲ ପକ୍ଷାଘାତରେ ପୀଡ଼ିତ । ଏହି ସ୍ଥିତିରେ ଘରର ପୂରା ଦାୟିତ୍ୱ କଞ୍ଚନଙ୍କ ଉପରେ ଥିଲା । ତାଙ୍କର ଗୋଟିଏ ପୁଅ ଓ ୨ ଝିଅ ଅଛନ୍ତି ।
