ଧର୍ମଶାଳା, ୪।୨: ସୁନା ସଫା ପାଉଡର ବିକ୍ରି ନାଁରେ ଲୁଟ୍ । ଧର୍ମଶାଳା ଥାନା ଜାରକା ବର୍ଜୁ ନଗରଠାରେ ସୁନା ସଫା ପାଉଡର ବିକ୍ରି ନାଁରେ ଜଣେ ମହିଳାଙ୍କ ଦେହରେ ଛୁରୀ ଲଗାଇ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସୂଚନାନୁଯାୟୀ, ଜଣେ ଯୁବକ ଆଜି ସକାଳ ୧୧ଟା ବେଳେ ବର୍ଜୁ ନଗର କଲୋନୀକୁ ସୁନା ଓ ତମ୍ବା ସଫା ପାଉଡର ବିକ୍ରି ପାଇଁ ଆସିଥିଲେ । ଦୁଇ ତିନି ଘରକୁ ଯାଇ ମହିଳାଙ୍କୁ ପାଉଡର ବିକ୍ରି ପାଇଁ ନିବେଦନ କରିଥିଲେ ମଧ୍ୟ ସେମାନେ ଏହାକୁ କିଣିବାକୁ ଚାହିଁନଥିଲେ ।
ଉକ୍ତ କଲୋନୀରେ ମୀନକେତନ ପଣ୍ଡା ଗେଟ୍ ପାଖକୁ ଯାଇ ତାଙ୍କ ପତ୍ନୀଙ୍କୁ ପାଉଡର ନେବା ପାଇଁ କହିଥିଲେ । ମହିଳା ଜଣକ ଗେଟ୍ ଖୋଲି ତାଙ୍କ ପାଖରେ ପହଞ୍ଚିବା ମାତ୍ରେ ମହିଳାଙ୍କ ଦେହରେ ଛୁରା ଲଗାଇ ସୁନା ଅଳଙ୍କାର ଖୋଲି ଦେବାକୁ ଧମକ ଦେଇଥିଲେ । ମହିଳା ଜଣକ ଭୟରେ ହାତରେ ପିନ୍ଧିଥିବା ସୁନା ଚୁଡ଼ି ଓ ମୁଦି କାଢ଼ି ଦେଇ ଦେଇଥିଲେ । ପୂର୍ବରୁ ବାଇକରେ ବସି ଅପେକ୍ଷା କରିଥିବା ଅନ୍ୟ ଜଣେ ଦୁର୍ବୃତ୍ତ ସହ ଯୁବକ ଜଣକ ଫେରାର ମାରିଥିଲେ । ଦୁର୍ବୃତ୍ତ ଜଣଙ୍କ ହିନ୍ଦୀରେ କଥାବାର୍ତ୍ତା କରୁଥିବା ମହିଳା ଜଣଙ୍କ ପୁଲିସକୁ କହିଛନ୍ତି ।
