ପୁରୀ, ୦୪/୦୨: ଦୁରାରୋଗ୍ୟ କର୍କଟ । ଯେଉଁ ରୋଗର ନାଁ ଶୁଣିଲେ ମନରେ ଛନକା ପଶିଯାଏ । ଜୀବନ ବୋଝ ଭଳି ଲାଗେ । ସେହି ରୋଗ ସହ ହସିହସି ଲଢ଼ି କର୍କଟକୁ ପରାସ୍ତ କରିଛନ୍ତି ପୁରୀର ଡ. ମନସା ଶ୍ରୀଚନ୍ଦନ ରାୟ (୪୬) । ପାଇଛନ୍ତି ନୂଆ ଏକ ଜୀବନ । ଅଧୁରା ସ୍ୱପ୍ନକୁ ପୂରଣ କରିଛନ୍ତି । କେନ୍ଦ୍ର ସରକାରଙ୍କ ଅଧୀନରେ ନୂଆ ଚାକିରି ପାଇଛନ୍ତି । ପୁସ୍ତକ ରଚନା କରିଛନ୍ତି । ନିଜ ପାଇଁ ଅଳ୍ପ, ଅନ୍ୟ ପାଇଁ ଅଧିକ ବଞ୍ଚିବାର କଳା ଶିଖିଛନ୍ତି । କର୍କଟ ସହ ଲଢ଼େଇ ମଧ୍ୟରେ ସେ ସାଉଁଟିଥିବା ଉତ୍ସାହର ଉତ୍ସ ସବୁକୁ ଏବେ ସେ ସମାଜରେ ବାଣ୍ଟି ଚାଲିଛନ୍ତି । ପ୍ରତ୍ୟେକ ଦିନ କର୍କଟ ରୋଗୀମାନଙ୍କ ସହ କଥା ହୋଇ ସେମାନଙ୍କର ମନୋବଳ ବଢ଼ାଉଛନ୍ତି । ବୁଧବାର ସାରା ବିଶ୍ୱ କର୍କଟ ଦିବସ ପାଳନ କରୁଥିବା ବେଳେ ମନସାଙ୍କ ପ୍ରେରଣାଦାୟୀ ଯାତ୍ରାର ଅନୁଭୂତି ଏବେ ଅନ୍ୟ କର୍କଟ ରୋଗୀଙ୍କ ଜୀବନର ରାହା ପାଲଟିଛି ।ପୁରୀର ଝିଅ ତଥା ପୁରୀର ବୋହୂ ମନସାଙ୍କର ୨୦୧୯ ମସିହାରେ ସ୍ତନ କର୍କଟ ରୋଗ ଚିହ୍ନଟ ହୋଇଥିଲା । ରୋଗ ଚିହ୍ନଟ ହେବା ଦିନଠାରୁ ହିଁ ସେ ଏହାକୁ ହରାଇବାକୁ ଦୃଢ଼ ମନସ୍ଥ କରିଥିଲେ । କୌଣସି ବି ପରିସ୍ଥିତିରେ ନ ହାରିବାକୁ ସେ ନିଶ୍ଚିତ କରିଥିଲେ । ଏଣୁ କର୍କଟ ରୋଗ ସଂପର୍କରେ ଜାଣିବା ଦିନ ହିଁ ସେ ନିଜ ପାଇଁ ନୂଆ ଶାଢ଼ି କିଣିଥିଲେ ବୋଲି କହିଛନ୍ତି । ନିଜର କର୍କଟ ଯାତ୍ରାର ଅନୁଭୂତି ବଖାଣି ମନସା କହିଛନ୍ତି, ହଠାତ୍ ଦିନେ ନିଜର ସ୍ତନରେ ସେ ଏକ ଟାଣ ପଦାର୍ଥ ଅନୁଭବ କରିଥିଲେ । ଡାକ୍ତରଙ୍କୁ ଏସମ୍ପର୍କରେ ଜଣାଇବାରୁ ଏହା କର୍କଟ ବୋଲି ଆଶଙ୍କା କରିବା ସହ ପରୀକ୍ଷା କରାଯାଇଥିଲା । ପରୀକ୍ଷାରୁ ସେ ଦ୍ୱିତୀୟ ପର୍ଯ୍ୟାୟ ଗ୍ରେଡ୍-୩ କର୍କଟରେ ପୀଡ଼ିତ ଥିବା ଜଣାପଡ଼ିଥିଲା । ଏହା ପରଠାରୁ ସେ ଈଶ୍ୱରଙ୍କ ନିକଟରେ ନିଜକୁ ସମର୍ପି ଦେଇ ଭଲ ହେବା ପାଇଁ ଶତପ୍ରତିଶତ ଉଦ୍ୟମ ଆରମ୍ଭ କରିଥିଲେ ।

୨୦୨୦ରୁ ୨୦୨୨ ଫେବ୍ରୁଆରୀ ମଧ୍ୟରେ ୧୭ ଥର କେମୋ ଓ ୨୫ ଥର ରାଡିଏସନ୍ ନେବା ପରେ ସେ କର୍କଟକୁ ହରାଇବାରେ ସକ୍ଷମ ହୋଇଛନ୍ତି । କର୍କଟ ରୋଗ ଚିହ୍ନଟ ପରେ ସେ ଚାକିରି ପାଇଁ ଆବେଦନ କରିବା ସହ ସାକ୍ଷାତକାର ଦେଇ କୃତକାର୍ଯ୍ୟ ହୋଇଥିଲେ । ବର୍ତ୍ତମାନ ସେ କେନ୍ଦ୍ର ସରକାରଙ୍କ ଅଧୀନ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରରେ ବରିଷ୍ଠ ଗବେଷିକା ଭାବେ କାର୍ଯ୍ୟରତ । କେବଳ ସେତିକି ନୁହେଁ କର୍କଟ ଚିହ୍ନଟ ପରେ ସେ ଉପେନ୍ଦ୍ରଭଞ୍ଜଙ୍କ ଦ୍ୱାରା କୃତ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଥମ ଅଭିଧାନକୁ ନେଇ “ଗୀତାଭିଧାନ: ଏକ ରୂପତାତ୍ତ୍ୱିକ ବିଶ୍ଳେଷଣ’ ନାମକ ପୁସ୍ତକ ପ୍ରକାଶ କରିଛନ୍ତି । ଏହାସହ ସେ ୩ଟି ପୁସ୍ତକ ରଚନା କରିପାରିଛନ୍ତି । ନିଜର ଫାଙ୍କା ସମୟରେ ସେ ବିଭିନ୍ନ ବିଷୟ ବସ୍ତୁ ଉପରେ ୩୦ରୁ ଊଦ୍ଧ୍ୱର୍ ନିବନ୍ଧ ଲେଖି ଏହାକୁ ବିଭିନ୍ନ ଖବରକାଗଜରେ ପ୍ରକାଶ କରିଛନ୍ତି ।
