ଭୁବନେଶ୍ୱର : ପାରମ୍ପରିକ ସମ୍ପଦ-ଆଧାରିତ ଅର୍ଥନୀତିରୁ ବାହାରି ଫ୍ୟୁଚର୍-ରେଡି, ଔଦ୍ୟୋଗିକ ପାୱରହାଉସ୍ ଦିଗରେ ଓଡ଼ିଶା ଦୃଢ଼ ଗତିରେ ଆଗେଇ ଚାଲିଛି। ହାଇଦ୍ରାବାଦ ଓ କୋଲକାତାରେ ଆୟୋଜିତ ଇନଭେଷ୍ଟର୍ସ ମିଟ ଅପୂର୍ବ ସଫଳତା ଏହି ପରିବର୍ତ୍ତନର ସ୍ପଷ୍ଟ ପ୍ରମାଣ ଦେଇଛି। କୋଲକାତା ରୋଡ୍ ଶୋ’ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହି ଥିଲେ – “ୟହି ସମୟ ହୈ, ସହି ସମୟ ହୈ’। ନ୍ୟୁ ଏଜ୍ ସେକ୍ଟରରେ କାର୍ଯ୍ୟରତ ନିବେଶକମାନଙ୍କୁ ଆମେ ସ୍ୱାଗତ କରୁଛୁ। ଓଡ଼ିଶାରେ ନିବେଶ କରନ୍ତୁ ଏବଂ ଏକ ଫ୍ୟୁଚର୍-ରେଡି ଅର୍ଥନୀତିର ଅଂଶ ହୁଅନ୍ତୁ। ଇସ୍ପାତ, ଖଣିଜ ଓ ଭାରୀ ଶିଳ୍ପ ପାଇଁ ପରିଚିତ ଓଡ଼ିଶା ଏବେ ଧୀରେ ଧୀରେ IT ଓ ITES, ଏରୋସ୍ପେସ୍ ଓ ଡିଫେନ୍ସ, ହୋସିଏରୀ, ଆପାରେଲ୍ ଆକ୍ସେସରୀ ଓ ଟେକ୍ନିକାଲ୍ ଟେକ୍ସଟାଇଲ୍, ମେଟାଲ୍ ଆନ୍ସିଲାରୀ ଓ ଡାଉନଷ୍ଟ୍ରିମ୍ , ଇଞ୍ଜିନିୟରିଂ ଗୁଡ୍ସ, ପ୍ଲାଷ୍ଟିକ୍, କେମିକାଲ୍, ପ୍ୟାକେଜିଂ ଓ ରିସାଇକ୍ଲିଂ, ଫାର୍ମାସ୍ୟୁଟିକାଲ୍ସ, ମେଡିକାଲ୍ ଡିଭାଇସ୍ ଓ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ନିଜର ସ୍ଥିତି ମଜବୁତ କରୁଛି। ଡିସେମ୍ବର ୨୦୨୫ରେ ହାଇଦ୍ରାବାଦ ଓ ଜାନୁଆରୀ ୨୦୨୬ରେ କୋଲକାତାରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ଏହି ନୂତନ ରଣନୀତିକ ଦିଗକୁ ସ୍ପଷ୍ଟ ଭାବେ ପ୍ରଦର୍ଶନ କରିଛି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମଗୁଡ଼ିକ ଓଡ଼ିଶାର ଭବିଷ୍ୟତ ଔଦ୍ୟୋଗିକ ସମ୍ଭାବନାକୁ ଦେଶର ପ୍ରମୁଖ ଶିଳ୍ପପତିଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲା। ଏହି ଆଉଟ୍ରିଚ୍ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଦୁଇଟି ସହରରେ ମୋଟ ଛଅଟି ସେକ୍ଟର୍-ନିର୍ଦ୍ଦିଷ୍ଟ ରାଉଣ୍ଡଟେବୁଲ୍ ବୈଠକ ଆୟୋଜିତ ହୋଇଥିଲା। ହାଇଦ୍ରାବାଦରେ ଫାର୍ମାସ୍ୟୁଟିକାଲ୍ସ ଓ ଏୟାରୋସ୍ପେସ୍-ଡିଫେନ୍ସ ଉପରେ ଦୁଇଟି ରାଉଣ୍ଡଟେବୁଲ୍ ହୋଇଥିବା ବେଳେ, କୋଲକାତାରେ ହୋସିଏରୀ, ଆପାରେଲ୍ ଆକ୍ସେସରୀ ଓ ଟେକ୍ନିକାଲ୍ ଟେକ୍ସଟାଇଲ୍; ମେଟାଲ୍ ଆନ୍ସିଲାରୀ, ଡାଉନଷ୍ଟ୍ରିମ୍ ଓ ଇଞ୍ଜିନିୟରିଂ ଗୁଡ୍ସ , ପ୍ଲାଷ୍ଟିକ୍, କେମିକାଲ୍, ପ୍ୟାକେଜିଂ ଓ ରିସାଇକ୍ଲିଂ , ଫାର୍ମାସ୍ୟୁଟିକାଲ୍ସ, ମେଡିକାଲ୍ ଡିଭାଇସ୍ ଓ ବାୟୋଟେକ୍ନୋଲୋଜି ଉପରେ ଆଲୋଚନା ହୋଇଥିଲା। ଏହି ରାଉଣ୍ଡଟେବୁଲ୍ ବୈଠକଗୁଡ଼ିକରେ ମୋଟ ୧୨୩ କମ୍ପାନୀ ପ୍ରତିନିଧି ଯୋଗ ଦେଇ ଥିଲେ। ଏହାର ଫଳସ୍ୱରୂପ ଓଡ଼ିଶା ୧,୬୭,୦୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ପାଇବା ସହ ୧,୪୬,୦୦୦ ନୂଆ ଚାକିରି ସୃଷ୍ଟିର ସମ୍ଭାବନା ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ କହିଥିଲେ – ନୂଆ-ଯୁଗର ଶିଳ୍ପ ବିକାଶ ପାଇଁ ଆବଶ୍ୟକ ସମସ୍ତ ଚିନ୍ତାଧାରା , ଉତ୍ପାଦନରୁ ନବସୃଜନ, ଉପାଦାନ, ଲଜିଷ୍ଟିକ୍ସ ଓ ପରିବହନ ଯାଏ ଓଡ଼ିଶାରେ ଉପଲବ୍ଧ ଅଛି। ପାରାଦୀପ, ଧାମରା, ଗୋପାଳପୁର, ବାହୁଦା ଓ ଇଞ୍ଚୁଡ଼ି , ସୁବର୍ଣ୍ଣରେଖା ପରି ପ୍ରମୁଖ ବନ୍ଦର ମାଧ୍ୟମରେ ରାଜ୍ୟ ଦୃଢ଼ ଗ୍ଲୋବାଲ୍ କନେକ୍ଟିଭିଟି ପ୍ରଦାନ କରୁଛି। ଏହାସହ ସମଗ୍ର ଓଡ଼ିଶାରେ ବିସ୍ତୃତ ବିମାନବନ୍ଦର ଓ ସୁଦୃଢ଼ ସଡ଼କ ଢାଞ୍ଚା ନିବେଶକଙ୍କ ପାଇଁ ରାଜ୍ୟକୁ ଆଉ ଅଧିକ ଆକର୍ଷଣୀୟ କରୁଛି।
