ଖଇରପୁଟ: ଭଙ୍ଗା ଦଦରା କୋଠରୀରେ ଚାଲିଛି ପ୍ରାକ୍ଶିକ୍ଷା ଓ ପ୍ରାଥମିକ ବିଦ୍ୟାଳୟ । ଏଭଳି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡାଘାଟିର ତାଗାବେଡା ଗାଁରେ । ପାହାଡ଼ ଉପରେ ଭଙ୍ଗାଦଦରା ମାଟି କାନ୍ଥ ତଳେ ପ୍ରାକଶିକ୍ଷା ସହ ପ୍ରାଥମିକ ଶିକ୍ଷାର ଏହି ଭିତ୍ତିଭୂମି ଦେଖିଲେ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ଥିତି କିପରି ଥିବ ସହଜେ ଅନୁମେୟ । ବଣ୍ଡାଘାଟିର ତାଗାବେଡା ଗାଁରେ ବହୁଦିନରୁ ପ୍ରାକ୍ଶିକ୍ଷା ଓ ପ୍ରାଥମିକ ସ୍କୁଲ ଏକାଠି ଚାଲିଛି । ଦଦରା ମାଟି କୁଡିଆର ଗୋଟିଏ କୋଠରୀ ଭିତରେ ସକାଳେ ଅଙ୍ଗନବାଡି କର୍ମୀ କୁନିକୁନି ପିଲାଙ୍କୁ ବସାଇ ପାଠ ପଢାଉଛନ୍ତି । ପରେ ଦିନତମାମ ଏହି ଗୋଟିଏ କୋଠରୀରେ ପ୍ରାଥମିକ ସ୍କୁଲ ଚାଲୁଛି । ବର୍ଷତମାମ୍ ଦଦରା କୋଠରୀରେ ପଲିଥିନ ଘୋଡାଇ ଶିକ୍ଷାଦାନ କରାଯାଉଛି । ବାରମ୍ବାର ଦାବି ପରେ ବି ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଗ୍ରାମବାସୀ କହିଛନ୍ତି । ଏବେ ମାଟି କାନ୍ଥ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । କେତେବେଳେ କ’ଣ ହେବ କହି ହେଉନାହିଁ । ଚଳିତବର୍ଷ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ପାଇଁ ଅର୍ଥ ଅନୁମାଦନ ହୋଇଛି । ଘାଟି ଅଞ୍ଚଳ ହୋଇଥିବାରୁ କୋଠା ନିର୍ମାଣ କରିବାକୁ ବ୍ଲକ ପ୍ରଶାସନ ସକ୍ଷମ ହୋଇପାରୁନି । କେବଳ ଏହି ଗୋଟିଏ ସ୍କୁଲ ନୁହେଁ, ଅଧିକାଂଶ ଆଭ୍ୟନ୍ତରୀଣ ସ୍କୁଲର ସମାନ ଅବସ୍ଥା । ଖଇରପୁଟ ବ୍ଲକରେ ରହିଛି ମୋଟ ୧୩୬ ସ୍କୁଲ । ସେଥିରୁ ବଣ୍ଡାଘାଟିର ତଗାବେଡା, ରାମଲିଗୁଡା, କିଚପଡା, ସିନ୍ଧିଗୁଡା, ଖାଲଗୁଡା ସ୍କୁଲର କୋଠା ନାହିଁ । ତଗାବେଡା ସ୍କୁଲ କୋଠା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଛି । ସେହିପରି ଘାଟି ଅଞ୍ଚଳରେ ଥିବା ୧୮ଟି ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ଅଧିକାଂଶ ଅଧପନ୍ତରିଆ ଭାବେ ପଡ଼ିଛି । ୫ଟି କେନ୍ଦ୍ରର କୋଠା ବିଲକୁଲ୍ ଆରମ୍ଭ ହୋଇନି । ଯଦ୍ୱାରା ଦଦରା କୁଡିଆ ଭିତରେ କୋମଳମତି ଶିଶୁ ଏବଂ ପ୍ରାଥମିକ ଛାତ୍ରଛାତ୍ରୀ ବିପଦପୂର୍ଣ୍ଣ ଅବସ୍ଥାରେ ଅଧ୍ୟୟନ କରୁଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଗୁରୁତ୍ୱ ଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି ।
