ଭୁବନେଶ୍ୱର : ସାଧାରଣ ଜୀବନ, ସମାନତା ଏବଂ ବିଶ୍ୱବାସୀଙ୍କ ମଙ୍ଗଳରେ ବିଶ୍ୱାସ ରଖୁଥିବା ମହିମା ଧର୍ମର ପ୍ରମୁଖ ପୀଠ ଯୋରନ୍ଦା ମହିମା ମନ୍ଦିରର ହେବ ଉନ୍ନତିକରଣ। ନିର୍ମାଣ ହେବ ନୂଆ ସୁଉଚ୍ଚ ଭବ୍ୟ ମନ୍ଦିର। ପାରିପାର୍ଶ୍ଵିକ ଅଞ୍ଚଳର ହେବ ବିକାଶ। ରାଜ୍ୟ ପର୍ଯ୍ୟଟନକୁ ମିଳିବ ନୂଆ ଦିଶା। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ। ସୂଚନାନୁଯାୟୀ, ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ମହିମା ମନ୍ଦିରର ଉନ୍ନତିକରଣ ନେଇ ଏହି ବୈଠକରେ ଆଲୋଚନା ହୋଇଛି। ନୂଆ ପ୍ଲାନ ଅନୁଯାୟୀ, ମହିମା ମନ୍ଦିର ବା ଶୂନ୍ୟ ମନ୍ଦିର ଭିତରେ ଥାଇ ଏହାକୁ ଆବୃତ୍ତ କରି ତା’ଉପରେ ଏକ ସୁଉଚ୍ଚ ତଥା ଭବ୍ୟ ମନ୍ଦିର ନିର୍ମାଣ ହେବ। ଏଥିସହିତ ମନ୍ଦିର ପରିସରରେ ଥିବା ଅଖଣ୍ଡ ଜ୍ୟୋତି ମନ୍ଦିର, ଭଜନ ମଣ୍ଡପ, ପ୍ରାର୍ଥନା ଗୃହ ଏବଂ ପୁଷ୍କରିଣୀ ସହ ପାରିପାର୍ଶ୍ଵିକ ଉନ୍ନତିକରଣ ହେବ। ରୋଷଘର, ଯାତ୍ରୀ ନିବାସ, ପାର୍କିଂ ବ୍ୟବସ୍ଥା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ମହିମା ପୀଠର ସର୍ବାଙ୍ଗୀନ ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କ ଯେପରି ନିର୍ଦ୍ଦେଶ ରହିଛି ତାହାର ସଠିକ୍ ଅନୁପାଳନ ସହ ସମସ୍ତ ସାଧୁ, ମହିମା ଧର୍ମାବଲମ୍ବୀମାନଙ୍କ ସହ ଆଲୋଚନା କରି ଏହି ଉନ୍ନୟନ ପ୍ରକଳ୍ପର ନକ୍ସା ପ୍ରସ୍ତୁତ ହୋଇଛି। ୩ ବର୍ଷ ମଧ୍ୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ରାଜ୍ୟ ପର୍ଯ୍ୟଟନକୁ ଏକ ନୂତନ ଦିଗ ପ୍ରଦାନ କରିବ ବୋଲି ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ ମୁଖ୍ୟ ଶାସନ ସଚିବଙ୍କୁ ସୂଚନା ଦେଇଥିଲେ। ଏହି ବୈଠକରେ ଢେଙ୍କାନାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଆଭାସୀ ମାଧ୍ୟମରେ ଯୋଗ ଦେଇଥିବା ବେଳେ ଓବିସିସି ପରିଚାଳନା ନିର୍ଦ୍ଦେଶକ ସମୀର ହୋତା ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ ।
