ଭୁବନେଶ୍ୱର: ଖଣ୍ଡଗିରି ଯାତ୍ରାରେ ଧାର୍ଯ୍ୟ ଦରରୁ ଅଧିକ ପାର୍କିଂ ଫି ଆଦାୟ କଲେ ବିଏମ୍ସି ଛାଟ ବାଜିବ । ଯଦି ଏହି ନିୟମ କିଏ ଅଣଦେଖା କରେ ତାହାଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ବିଏମ୍ସି । ପାର୍କିଂ ଟେଣ୍ଡର ଖୋଲିବ । ଖଣ୍ଡଗିରି ମେଳା ପାଇଁ ବିଏମ୍ସି ପକ୍ଷରୁ ଏଥର ୫ଟି ସ୍ଥାନରେ ପାର୍କିଂ ପାଇଁ ସ୍ଥାନ ଚିହ୍ନଟ କରାଯାଇଛି । ରସୁଲଗଡ଼ ପଟୁ ଆସୁଥିବା ଗାଡ଼ି ଗୁଡ଼ିକ ପ୍ରାଚୀ ହୋଟେଲରୁ ଥାନା ପର୍ଯ୍ୟନ୍ତ ପାର୍କିଂ କରିବେ । ସେହିପରି ଖୋର୍ଦ୍ଧା ତମାଣ୍ଡୋ ପଟୁ ଆସୁଥିବା ଗାଡ଼ି ଏନ୍ଏଚ୍ କିମ୍ବା ଖାରବେଳ ପାର୍କିଂରେ ଗାଡ଼ି ରଖିବେ । ସହର ଭିତରୁ ଆସୁଥିବା ଲୋକେ ଜାଗମରାରେ ଗାଡ଼ି ପାର୍କିଂ କରିବାକୁ ଜାଗା ଚିହ୍ନଟ କରାଯାଇଛି । କିନ୍ତୁ ଏଏସ୍ଆଇ ପାର୍କିଂରେ ଲୋକେ ମାଗଣାରେ ଗାଡ଼ି ରଖିପାରିବେ । ପାର୍କିଂ ପାଇଁ ବିଏମ୍ସି ପକ୍ଷରୁ ଦର ଧାର୍ଯ୍ୟ କରାଯାଇଛି । ବାଇକ୍ ଘଣ୍ଟା ପ୍ରତି ୧୦ ଟଙ୍କା ଦେବେ । ଯଦି ଘଣ୍ଟାଏରୁ ଅଧିକ ରହିବ ଦୁଇଗୁଣା ଅର୍ଥାତ ୨୦ ଟଙ୍କା ଦେବାକୁ ପଡ଼ିବ । ସେହିପରି କାର ପ୍ରଥମ ଘଣ୍ଟା ପାଇଁ ୨୦ ଟଙ୍କା ଏବଂ ଘଣ୍ଟାକ ପରେ ୪୦ ଟଙ୍କା ଦେବାକୁ ପଡ଼ିବ । ଯାତ୍ରା ପେଣ୍ଡାଲ ପାଖରେ ଥିବା ପାର୍କିଂରେ ରାତି ସାରା ଗାଡ଼ି ରଖିଲେ କାର ୫୦ ଟଙ୍କା ଦେବେ । ବିଏମ୍ସି ପକ୍ଷରୁ ସବୁ ପାର୍କିଂ ସ୍ଥଳରେ ରେଟ୍ ଚାର୍ଟ ମାରିବା ବାଧ୍ୟତାମୂଳକ କରାଯାଇଛି । ଇଂରାଜୀ ବଦଳରେ ସବୁ ସଂସ୍ଥା ଓଡ଼ିଆରେ ରେଟ୍ ଚାର୍ଟ ଏବଂ ନାମଫଳକ ମାରିବେ । ଏଥିରେ ଖିଲାପ୍ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍ସି ପକ୍ଷରୁ ଚେତାବନୀ ଦିଆଯାଇଛି । ବିଏମ୍ସି ପକ୍ଷରୁ ପ୍ରତିବର୍ଷ ଦର ଧାର୍ଯ୍ୟ କରାଯାଉଛି । ହେଲେ ଏହି ଦରକୁ ଟେଣ୍ଡର ନେଉଥିବା ସଂସ୍ଥା ମାନୁନାହାନ୍ତି । ମନଇଚ୍ଛା ବାଇକ୍ ପିଛା ୩୦ରୁ ୪୦ ଟଙ୍କା ଆଦାୟ କରୁଛନ୍ତି । ଏପରିକି କାର ପିଛା ୫୦ରୁ ୧୦୦ ଟଙ୍କା ଆଦାୟ ହେଉଛି । ବିଏମ୍ସି ଦକ୍ଷିଣ- ପଶ୍ଚିମ ମଣ୍ଡଳ ଜୋନାଲ କମିଶନର ରାକେଶ ପାତ୍ର କହିଛନ୍ତି, କୌଣସି ସଂସ୍ଥା ଧାର୍ଯ୍ୟ ଦରରୁ ଅଧିକ ଆଦାୟ କଲେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ସହ ବିଏମ୍ସି ସ୍ୱତନ୍ତ୍ର ସ୍କ୍ୱାଡ୍ ଏହା ଉପରେ ନଜର ରଖିବ ।
