କଟକ : ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଏଣିକି ସରପଞ୍ଚ ହେଲେ ଓଡ଼ିଆ ଲେଖି ପଢ଼ି ଜାଣିବା ନିହାତି ଆବଶ୍ୟକ । ଗ୍ରାମ ପଞ୍ଚାୟତରେ ସରପଞ୍ଚ ଏକ ସର୍ବୋଚ୍ଚ ତଥା ଗୁରୁତ୍ୱପୂର୍ଣ୍ଣ ପଦବି । ସରପଞ୍ଚଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼େ । ତେଣୁ ସରପଞ୍ଚ ନିଶ୍ଚିତ ଓଡ଼ିଆ ଭାଷା ପଢ଼ିବା ଏବଂ ଲେଖି ଜାଣିବା ଆବଶ୍ୟକ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ହାଇକୋର୍ଟ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ସୁହାଗପୁର ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଦିଆଯାଇଥିବା ଆଦେଶକୁ କାଏମ୍ ରଖିଛନ୍ତି । ସରପଞ୍ଚ ଶେଖ ଆବୁତେହେରଙ୍କ ପକ୍ଷରୁ ଆଗତ ମାମଲାକୁ ଖାରଜ କରିବା ଅବସରରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ରାଧାକୃଷ୍ଣ ପଟ୍ଟନାୟକ ଏହି ଆଦେଶ ଦେବା ସହ ନିମ୍ନ ଅଦାଲତଙ୍କ ଆଦେଶ କାଏମ୍ ରଖିଛନ୍ତି । ୨୦୨୨ରେ ନିମାପଡ଼ା ଅଞ୍ଚଳର ସୁହାଗପୁର ସରପଞ୍ଚ ଭାବେ ଶେଖ ଆବୁତେହେର ନିର୍ବାଚିତ ହୋଇଥିଲେ । ନିର୍ବାଚନ ପରେ ପରାଜିତ ପ୍ରାର୍ଥୀ ଶାନ୍ତିଲତା ମିଶ୍ର ସିଭିଲ ଜଜ୍ (ଜୁନିୟର ଡିଭିଜନ୍), ନିମାପଡ଼ାଙ୍କ ନିକଟରେ ଏକ ନିର୍ବାଚନୀ ମାମଲା କରିଥିଲେ । ସେ ଅଭିଯୋଗ କରିଥିଲେ ଯେ ଓଡ଼ିଶା ଗ୍ରାମ ପଞ୍ଚାୟତ ଅଧିନିୟମ, ୧୯୬୪ର ଧାରା ୧୧(ବି) ଅନୁଯାୟୀ ନିର୍ବାଚିତ ସରପଞ୍ଚ ଓଡ଼ିଆ ପଢ଼ିବା ଓ ଲେଖିବା ନିହାତି ଆବଶ୍ୟକ କିନ୍ତୁ ଶେଖ୍ ଆବୁତେହେର ଓଡ଼ିଆ ଲେଖି ପଢ଼ି ଜାଣିନାହାନ୍ତି । ଏଥିସହ ଋଣ ଖିଲାପକାରୀ ଭାବେ ମଧ୍ୟ ତାଙ୍କ ନାମରେ ଅଭିଯୋଗ ରହିଛି । ତେଣୁ ଶେଖ୍ ଆବୁତେହେର୍ଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଦାବି କରାଯାଇଥିଲା । ଯଦିଓ ଋଣ ଖିଲାପ ତାଙ୍କ ବିରୋଧରେ ପ୍ରମାଣ ହୋଇପାରି ନ ଥିଲା କିନ୍ତୁ ଓଡ଼ିଆ ଲେଖାପଢ଼ାକୁ ନେଇ ମାମଲା ଚାଲିଥିଲା । ଶେଖ ଆବୁତେହେରଙ୍କ ପକ୍ଷରୁ ଓଡ଼ିଆ ଅକ୍ଷର ଲେଖାଯାଇଥିବା ଏକ କାଗଜ, ସ୍କୁଲ ଲିଭିଂ ପ୍ରମାଣପତ୍ର ଆଦି ଅଦାଲତରେ ଦାଖଲ କରାଯାଇଥିଲା । ତେବେ ନିମ୍ନ ଅଦାଲତରେ ତାଙ୍କୁ ଖବରକାଗଜ ଏବଂ “ଛବିଳ ମଧୁ ବର୍ଣ୍ଣବୋଧ’ ପଢ଼ିବାକୁ ଦିଆଯାଇଥିଲା । ଏହା ସହ ଖୋଲା ଅଦାଲତରେ ତାଙ୍କୁ “ମହାତ୍ମାଗାନ୍ଧୀ ଗ୍ରାମୀଣ ରୋଜଗାର ଯୋଜନାରେ ପଞ୍ଚାୟତକୁ ଏହି ବର୍ଷ କେତେ ଟଙ୍କା ଆସିଛି’ ବୋଲି ଏକ ବାକ୍ୟ ଲେଖିବାକୁ କୁହାଯାଇଥିଲା । ସେ ଏହି ବାକ୍ୟଟି ଠିକ୍ ଭାବେ ଲେଖିପାରି ନ ଥିଲେ ଏବଂ ଖବରକାଗଜ ଓ ବର୍ଣ୍ଣବୋଧ ପଢ଼ିବାରେ ମଧ୍ୟ ବିଫଳ ହୋଇଥିଲେ । ନିମ୍ନ ଅଦାଲତ ଏହି କାରଣରୁ ସରପଞ୍ଚଙ୍କ ନିର୍ବାଚନ ଅବୈଧ ବୋଲି ରାୟ ଦେବା ସହ ପୁନଃନିର୍ବାଚନ ନିର୍ଦ୍ଦେଶ ଦେଇଥିଲେ । ଏହି ରାୟକୁ ଚାଲେଞ୍ଜ୍ କରି ଶେଖ ଆବୁତେହେର ଅତିରିକ୍ତ ଜିଲ୍ଲା ଜଜ୍ଙ୍କ ନିକଟରେ ଅପିଲ ଦାୟର କରିଥିଲେ । ଅତିରିକ୍ତ ଜିଲ୍ଲା ଜଜ୍, ସିଭିଲ ଜଜ୍ଙ୍କ ଆଦେଶକୁ କାଏମ୍ ରଖିଥିଲେ । ନିମ୍ନ ଅଦାଲତଙ୍କ ରାୟକୁ ଚାଲେଞ୍ଜ୍ କରି ଶେଖ ଆବୁତେହେର ହାଇକୋର୍ଟରେ ରିଟ୍ କରିଥିଲେ । ତାଙ୍କ ଆବେଦନରେ ସେ ଦର୍ଶାଇଥିଲେ ଯେ ଆଇନରେ କୌଣସି “ସର୍ବନିମ୍ନ ଷ୍ଟାଣ୍ଡାର୍ଡ’ ଧାର୍ଯ୍ୟ କରାଯାଇ ନାହିଁ । ଖୋଲା ଅଦାଲତରେ ତାଙ୍କର ପରୀକ୍ଷା ନିଆଯିବା ମଧ୍ୟ ଠିକ ନୁହେଁ । ହାଇକୋର୍ଟ ମାମଲାର ଶୁଣାଣି କରି ସରପଞ୍ଚ ଭଳି ପଦରେ ଥିବା ବ୍ୟକ୍ତି କେବଳ ସ୍ୱାକ୍ଷର ହେବା ପର୍ଯ୍ୟାପ୍ତ ନୁହେଁ ବୋଲି କହିଛନ୍ତି । ଜଣେ ସରପଞ୍ଚ ଭାବେ ଓଡ଼ିଆ ପଢ଼ିବା ଓ ଲେଖିବା ନିହାତି ଆବଶ୍ୟକ ବୋଲି କହିବା ସହ ନିମ୍ନ ଅଦାଲତଙ୍କ ଆଦେଶକୁ କାଏମ୍ ରଖିଛନ୍ତି ।
