ଭୁବନେଶ୍ବର : ଜାତୀୟ ସଡ଼କ ସୁରକ୍ଷା ମାସ ଆରମ୍ଭ । ଲୋକସେବା ଭବନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିରେ ମୁଖ୍ୟ ଅତିଥି ଭାବେ ସାମିଲ୍ ହୋଇଛନ୍ତି । ଏହି ଅବସରର ସିଏମ୍ ମାଝୀ ସଡ଼କ ସୁରକ୍ଷା ସମ୍ମାନର ଶୁଭାରମ୍ଭ କରିଛନ୍ତି । ୧୦ ଜିଲ୍ଲାରେ ମୋଟ୍ ୧୫୬.୫୩ କୋଟି ଟଙ୍କା ବ୍ୟୟରେ ୧୪ଟି ଅଟଳ ବସ୍ଷ୍ଟାଣ୍ଡର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ OSRTCର ୧୦୦ ନୂଆ ବସ୍, ଘାଟି ରାସ୍ତାରେ ସତର୍କ ସୂଚନା ଘଣ୍ଟି, ବିଦ୍ୟାଳୟ ପରିସର ସୁରକ୍ଷା ରେଟିଂର ଶୁଭାରମ୍ଭ ସହ ମୁଖ୍ୟମନ୍ତ୍ରୀ ବସ୍ ସେବା ଅଧୀନରେ ବସ୍ ପରିଚାଳନା ମାର୍ଗର ପୁନର୍ବିନ୍ୟାସ, ବ୍ରହ୍ମପୁରରେ CRUT ଇ-ବସ୍ ଡିପୋରେ ୨୫ ବୈଦ୍ୟୁତିକ ‘ଆମ ବସ୍’, OSRTC କ୍ଲୋଡ୍ ଲୁପ୍ ଟ୍ରାନଜିଟ୍ (ସ୍ମାର୍ଟ କାର୍ଡ), ବୈଦ୍ୟୁତିକ ଯାନ ଚାର୍ଜି ଷ୍ଟେସନ ଏବଂ ଟ୍ରାଫିକ୍ ପରିଚାଳନା ଯୋଜନା ପାଇଁ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି । ଏହା ସହିତ ଗିରିଶୋଳା ଟ୍ରକ୍ ଟର୍ମିନାଲର ଜମି କାଗଜପତ୍ର HPCLକୁ ହସ୍ତାନ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ବିଭୁତି ଜେନା, ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ଆଦି ମନ୍ତ୍ରୀ ଓ ନେତା ଉପସ୍ଥିତ ରହିଛନ୍ତି ।
