ଭୁବନେଶ୍ୱର: ଦୂର ହେଲା ସମ୍ବଲପୁର ସହରବାସୀଙ୍କ ଦୀର୍ଘଦିନର ସମସ୍ୟା । ପିଇବା ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ବଡ଼ ପଦକ୍ଷେପ । ସମ୍ବଲପୁର ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଉଦ୍ଦେଶ୍ୟରେ ୪୫୧ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟରେ ଏକ ବୃହତ୍ ୱାଟର ସପ୍ଲାଏ ପ୍ରକଳ୍ପର ଭିତ୍ତିପ୍ରସ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ସୂଚନାଯୋଗ୍ୟ, ଏହି ପ୍ରକଳ୍ପ ଅଧୀନରେ ସମ୍ବଲପୁର ସହର ମଧ୍ୟରେ ପ୍ରାୟ ୩୪୦ କିଲୋମିଟର ଦୀର୍ଘ ପାଣି ପାଇପ୍ ଲାଇନ୍ ବିଛାଯିବ । ସେଥିପାଇଁ ଗୋଟିଏ ଇନଟେକ୍ ୱେଲ୍ ଓ ଦୁଇଟି ଆଧୁନିକ ୱାଟର ଟ୍ରିଟମଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବ । ସମ୍ବଲପୁର ପଟେ ୬୫ ଏମ୍ଏଲ୍ଡି ଏବଂ ବୁର୍ଲା ପଟେ ୩୫ ଏମ୍ଏଲ୍ଡି କ୍ଷମତାର ଦୁଇଟି ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପିତ ହେବ । ଏହି ଅବସରରେ ଗଣମାଧ୍ୟମକୁ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହା ପ୍ରକଳ୍ପ ମାଧ୍ୟମରେ ଦିନକୁ ମୋଟ୍ ୧୦୦ ମିଲିଅନ୍ ଲିଟର ପାନୀୟ ଜଳ ଉପଲବ୍ଧ ହେବ । ଏହି ବୃହତ୍ ପ୍ରକଳ୍ପ ଦ୍ୱାରା ସମ୍ବଲପୁର ସହରର ୪୧ଟି ୱାର୍ଡର ପ୍ରାୟ ୫ ଲକ୍ଷ ଜନସାଧାରଣ ଉପକୃତ ହେବେ । ଖରାଦିନରେ ସହରରେ ଦିନକୁ ପ୍ରାୟ ୩୦ ମିଲିଅନ୍ ଲିଟର, ଅର୍ଥାତ୍ ଦିନକୁ ୩ କୋଟି ଲିଟର ପାଣିର ଅଭାବ ହେଉଛି । ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ପାନୀୟ ଜଳ ସମସ୍ୟାର ସମାଧାନ ହେବା ସହିତ ସହରବାସୀ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ସୁବିଧା ପାଇପାରିବେ । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଏହି ପ୍ରକଳ୍ପ କେନ୍ଦ୍ର ସରକାରଙ୍କ “ଅମୃତ 2.0” ଯୋଜନା ଅଧୀନରେ “ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍” ଯୋଜନାର ଅଂଶ । ଏଥିରେ ସହରବାସୀ ସିଧାସଳଖ ଟ୍ୟାପ୍ରୁ ପାଣି ଆଣି ପିଇପାରିବେ, ଯାହାକୁ ଅଲଗା ଭାବେ ଫିଲ୍ଟର କରିବାର ଆବଶ୍ୟକତା ରହିବ ନାହିଁ । ଭଲ ଓ ସୁରକ୍ଷିତ ପାନୀୟ ଜଳ ଯୋଗୁଁ ସମ୍ବଲପୁରବାସୀଙ୍କ ଜୀବନ ଧାରଣର ମାନରେ ଗୁଣାତ୍ମକ ପରିବର୍ତ୍ତନ ଆସିବ । ଅନ୍ୟପଟେ ସମ୍ବଲପୁର ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ନୂତନ ଭାବେ ନିର୍ମିତ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍ଡିଂର ଶୁଭ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟ, ଟ୍ରମା କେୟାର ସେଣ୍ଟର ଓ OPD ନିର୍ମାଣ ପାଇଁ ସରକାର ପକ୍ଷରୁ ମୋଟ୍ ୨୧ କୋଟି ୨୮ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ଏହା ମାଧ୍ୟମରେ ଦୁର୍ଘଟଣାଗ୍ରସ୍ତ ରୋଗୀମାନଙ୍କୁ ତୁରନ୍ତ ଏବଂ ଉପଯୁକ୍ତ ଚିକିତ୍ସା ସୁବିଧା ମିଳିପାରିବ । ଏହା ସହିତ ଡାକ୍ତରଖାନା ପରିସରରେ ୨ କୋଟି ୫୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ CSSD (Central Sterile Supply Department) ବିଲ୍ଡିଂର ମଧ୍ୟ ଉଦ୍ଘାଟନ କରାଯାଇଛି । ଏଠାରେ ଆଧୁନିକ ପ୍ରଣାଳୀ ମାଧ୍ୟମରେ ବିଭିନ୍ନ ଚିକିତ୍ସା ସାମଗ୍ରୀ ଓ ଇକ୍ୟୁପ୍ମେଣ୍ଟକୁ ସଫା ଓ ଷ୍ଟେରିଲାଇଜ୍ କରାଯିବ । ଉଦ୍ଘାଟନ ଅବସରରେ ଗଣମାଧ୍ୟମକୁ ବିବୃତ୍ତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଦୁର୍ଘଟଣା ହାର ବଢ଼ି ଚାଲିଥିବାରୁ ପ୍ରତ୍ୟେକ ଜିଲ୍ଲାରେ ଟ୍ରମା କେୟାର ସେଣ୍ଟରର ଆବଶ୍ୟକତା ବୃଦ୍ଧି ପାଇଛି । ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ଏବଂ ସୁନିଶ୍ଚିତ ଚିକିତ୍ସା ଯୋଗାଇଦେବା ଏହାର ମୂଳ ଉଦ୍ଦେଶ୍ୟ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଦାୟିତ୍ୱ ନେବାର ୧୩ ଦିନ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରି ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ଅନ୍ୟାନ୍ୟ ବଡ଼ ସରକାରୀ ଡାକ୍ତରଖାନାରେ ଟ୍ରମା କେୟାର ସେଣ୍ଟର ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ସମୁଦାୟ ୮୯ଟି ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଖୋଲିବାକୁ ପଦକ୍ଷେପ ନିଆଯାଉଛି । ଏହାଦ୍ୱାରା ଦୁର୍ଘଟଣା ଜନିତ ମୃତ୍ୟୁ ଓ କ୍ଷୟକ୍ଷତି ସଂଖ୍ୟା କମିବା ସହ ଆହତମାନେ ସଠିକ୍ ସମୟରେ ଉତ୍ତମ ଚିକିତ୍ସା ପାଇପାରିବେ । ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ୍ କରିବା ଦିଗରେ ରାଜ୍ୟ ସରକାର ବିଭିନ୍ନ ଡାକ୍ତରଖାନାକୁ ଅପଗ୍ରେଡ୍ କରୁଥିବା ବେଳେ, ଆଜି ସମ୍ବଲପୁର ଡାକ୍ତରଖାନାର ନୂଆ OPD ବିଲ୍ଡିଂ ଉଦ୍ଘାଟନ ମଧ୍ୟ ଏହାର ଏକ ଅଂଶ । ଏହି ସମସ୍ତ ନୂଆ ସ୍ୱାସ୍ଥ୍ୟ ଭିତ୍ତିଭୂମି ଦ୍ୱାରା ସମ୍ବଲପୁର ଜିଲ୍ଲାବାସୀଙ୍କୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁଣାତ୍ମକ ଓ ଆଧୁନିକ ସେବା ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ, ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ଶ୍ରୀ ନାଉରି ନାଏକ, ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦାର ପ୍ରମୁଖ ଉପସ୍ଥିତ ଥିଲେ ।
