ଭୁବନେଶ୍ବର: ଆଉ ଢ଼ିଲା ନାହିଁ। ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ପରେ ଗ୍ରାଉଣ୍ଡରେ ଆରମ୍ଭ ହେଲା ଆକ୍ସନ୍। ଏଣିକି ଆଉ ଅମାନିଆ ଆମ ବସ୍ ଡ୍ରାଇଭରଙ୍କୁ ମିିଳିବନି ଆଶ୍ବସ୍ତି। ରବିବାର ବିଭିନ୍ନ ଛକ ଗୁଡ଼ିକରେ ବ୍ରେଥଲର ମେସିନ୍ ଧରି ଅଚାନକ୍ ଆମ ବସକୁ ଅଟକାଇଲା କମିଶନରେଟ୍ ପୁଲିସ। ଡ୍ରାଇଭରଙ୍କ ପାଟିରେ ବ୍ରେଥଲର ମେଡିନ୍ ଲଗାଇ ଆରମ୍ଭ କଲେ ଡ୍ରଙ୍କ ଚେକିଂ। ପୁଲିସକୁ ଦେଖୁ ଦେଖୁ ବସ୍ ଚାଳକଙ୍କ ମଧ୍ୟରେ ପଶିଗଲା ଛନକା। ଯେଉଁ ଡ୍ରାଇଭର ମଦ୍ୟପାନ କରି ଆମ ବସ୍ ଚଳାଉଥିବେ ତାଙ୍କ ବିରୁଦ୍ଧରେ ହେବ ଆକ୍ସନ । ଏହି ପ୍ରକ୍ରିୟା ଆଗକୁ ଜାରି ରହିବ ବୋଲି ଭୁବନେଶ୍ଵର ଡିସିପି ସୂଚନା ଦେଇଛନ୍ତି ।
ଅନ୍ୟପଟେ ଟ୍ରାନ୍ସପୋର୍ଟ କମିଶନର ଭୁବନେଶ୍ୱର ମଧ୍ୟରେ ଚାଲୁଥିବା ସମସ୍ତ ଆମ ବସ୍ ଗୁଡିକର ଫିଟ୍ନେସ୍ ଚେକିଂ ଆରମ୍ଭ କରିଛନ୍ତି । ପ୍ରଥମେ ମାଷ୍ଟରକ୍ୟାଣ୍ଟିନ ଠାରୁ ରାମ ମନ୍ଦିର ରାସ୍ତାରେ ଯାଉଥିବା ଆମ ବସ୍ ଚେକିଂ କରାଯାଇଛି । କୌଣସି ଭୁଲ୍ ପରିଲକ୍ଷିତ ହେଲେ ସେହି ଗାଡି ସହ ଡ୍ରାଇଭରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ନେଇ ଟ୍ରାନ୍ସପୋର୍ଟ କମିଶନ ଅମିତାଭ ଠାକେର ସୂଚନା ଦେଇଛନ୍ତି । ଶନିବାର ସହିଦ ନଗର ଥାନା ଅନ୍ତର୍ଗତ ରୁପାଲି ଛକରେ ‘ଆମ ବସ୍’ ଯମ ଭଳି ମାଡ଼ିଆସି ଅଟୋକୁ ଠେଲି ନେଇ ସରକାରୀ ବସ୍ରେ ଚାପି ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସେଠାରେ ଅଟୋ ଚାଳକ ପ୍ରାଣ ହରାଇଥିଲେ । ସେ ହେଲେ ଯାଜପୁରର ବିଷ୍ଣୁଚରଣ ପାତ୍ର (୬୨) । ଦୁର୍ଘଟଣାରେ ୨ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଏହାକୁ ନେଇ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ପୁଲିସ୍ ବସ୍ ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆମ ବସ୍’ କର୍ତ୍ତୃପକ୍ଷ ଆହତଙ୍କୁ ୫୦ ହଜାର ଓ ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଥିଲେ । ମୃତକ ବିଷ୍ଣୁଙ୍କ ଭାଇ ମନୋଜ କୁମାର ପାତ୍ରଙ୍କ ଏତଲା କ୍ରମେ ସହିଦ୍ନଗର ଥାନା ପୁଲିସ୍ ବସ୍ ଚାଳକ ସଚିତ୍ର ସାହୁଙ୍କୁ ଗିରଫ କରିବା ସହ ବସ୍କୁ ଜବତ କରିଥିଲା । ପୁଲିସ୍ ଶବ ବ୍ୟବଚ୍ଛେଦ କରାଇବା ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଥିଲା । ପୁଣି ଅପରାହ୍ଣ ସାଢ଼େ ୪ଟା ବେଳେ ‘ଆମ ବସ୍’ ଉକ୍ତ ଛକରେ ଜଣେ ସ୍କୁଟର୍ ଚାଳକଙ୍କୁ ଧକ୍କା ଦେଇଥିଲା । ଏହାକୁ ନେଇ ମଧ୍ୟ ଉତ୍ତେଜନା ସୃଷ୍ଟି ହୋଇଥିଲା । ସ୍କୁଟର୍ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଥିଲେ । ପୁଲିସ୍ ତାଙ୍କୁ ହସ୍ପିଟାଲ୍ ନେଇଥିଲା । ତାଙ୍କ ଅବସ୍ଥା ଠିକ୍ ଥିବା ଜଣାପଡ଼ିଛି । ରବିବାରରେ ମଧ୍ୟ ଆମ ବସ୍ ରାଜଧାନୀ ରାଜରାସ୍ତାରେ ଆତଙ୍କ ଖେଳାଇଥିଲା। ଚନ୍ଦ୍ରଶେଖରପୁର ଓମ୍ଫେଡ୍ ଛକରେ ସିରିଜ ଦୁର୍ଘଟଣା ଘଟାଇଥିଲା। ଏହାପରେ ରାସ୍ତା ଜାମ୍ ଯୋଗୁ ଫସିଲା ଶହଶହ ଗାଡ଼ି ଫଶି ରହିଥିଲା। ୧୫ରୁ ଅଧିକ ଆମ ବସ୍କୁ ଉତ୍ତ୍ୟକ୍ତ ଲୋକେ ଅଟକାଇ ରଖିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲେ।
