ପାରାଦୀପ: ପାରାଦୀପ ଉପକଣ୍ଠ ରଙ୍ଗିଆଗଡ଼ ଅଞ୍ଚଳର ଏକ ପରିତ୍ୟକ୍ତ ଜାଗାରେ ପଡ଼ିଥିବା ପଚା ମାଂସକୁ ଜଣେ ଲୋକ ଖାଉଥିବାର ଭିଡିଓ ବିଭିନ୍ନ ସୋସିଆଲ୍ ମିଡିଆରେ ଏବେ ଭାଇରାଲ୍ ହେଉଛି । ବିଭିନ୍ନ ମାଂସ ଦୋକାନରୁ ବାହାରିଥିବା ଅନ୍ତବୁଜୁଳା, କୁକୁଡ଼ା ପର, ଗୋଡ଼ ସବୁକୁ ଭଲ ଭାବରେ ବାଛି ମାଂସ ଖାଇ ଚାଲିଛି ଏହି ଅଚିହ୍ନା ଯୁବକ । ଯଦି କେହି ଦେଖୁଛି ତା’ ହେଲେ ସେ ସ୍ଥାନରୁ ଉଠି ବିଭିନ୍ନ ସ୍ଥାନରେ ଘୂରି ବୁଲିବା ସହିତ ପୁଣି ଭୋକ ଲାଗିଲେ ଚାଲି ଆସୁଛି ସେହି ପରିତ୍ୟକ୍ତ ସ୍ଥାନକୁ । ଯୁବକ ଦେଖିବାକୁ ଖୁବ୍ ସୁସ୍ଥସବଳ । ଯୁବକ ଜଣକ କାନ୍ଧରେ ଏକ ଏୟାର ବ୍ୟାଗ୍ ପକାଇଛି ।
ଏହି ଯୁବକ କୁଆଡୁ ଆସିଛି, କ’ଣ ତାର ପରିଚୟ, ସେ ମାନସିକ ଭିନ୍ନକ୍ଷମ ନା’ ଭଲ ମଣିଷ ତାହା ଏବେ ସନ୍ଦେହ ସୃଷ୍ଟି କରିଛି । ଏ ସମ୍ପର୍କରେ ଅଭୟଚାନ୍ଦପୁର ଥାନା ଅଧିକାରୀ ସମୀର ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି ସେ ବାହାର ଲୋକ । କିନ୍ତୁ ତାଙ୍କୁ ଖୋଜାଖୋଜି ଚାଲିଛି। ତାଙ୍କର କୌଣସି ସନ୍ଧାନ ଏଯାବତ ମିଳିପାରି ନାହିଁ । ସେ ବାହାରୁ କୌଣସି ଟ୍ରେନ୍ ଯୋଗେ ଆସିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ।
