ନୂଆଦିଲ୍ଲୀ : ଭାରତର ସରକାରୀ ସ୍ୱାସ୍ଥ୍ୟସେବା ପ୍ରଣାଳୀରେ ଐତିହାସିକ ପରିବର୍ତ୍ତନ । ସରକାରୀ ହସ୍ପିଟାଲଗୁଡ଼ିକୁ ଅଧିକ ଆଧୁନିକ ଓ ଟେକ୍ନୋଲୋଜି ସମ୍ପନ୍ନ କରିବା ପାଇଁ ଏକ ନୂଆ ପଦକ୍ଷେପ ନିଆଯାଇଛି । ଗ୍ରେଟର୍ ନୋଏଡ଼ାର ଗଭର୍ନମେଣ୍ଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ରେ ଖୋଲିଛି ଦେଶର ପ୍ରଥମ ସରକାରୀ ହସ୍ପିଟାଲ-ଆଧାରିତ ଏଆଇ କ୍ଲିନିକ୍ । ଏହି ପ୍ରୟାସକୁ କେବଳ ଉତ୍ତରପ୍ରଦେଶ ପାଇଁ ନୁହେଁ, ବରଂ ସମଗ୍ର ଭାରତୀୟ ସ୍ୱାସ୍ଥ୍ୟସେବା କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ରୂପେ ବିବେଚନା କରାଯାଉଛି । ଭାରତ ସରକାରଙ୍କ ସ୍ୱାସ୍ଥ୍ୟସେବାର ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ଦ୍ୱାରା ଏହି ଏଆଇ କ୍ଲିନିକ୍ ଅନ୍ଲାଇନ୍ ଉନ୍ମୋଚିତ ହୋଇଛି । ଗଭର୍ନମେଣ୍ଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ସେଣ୍ଟର୍ ଫର୍ ମେଡିକାଲ ଇନୋଭେସନ୍ ଅଧୀନରେ କ୍ଲିନିକ୍ ପ୍ରତିଷ୍ଠା ହୋଇଛି । ସରକାରୀ ହସ୍ପିଟାଲରେ ଡାକ୍ତର ଓ ରୋଗୀଙ୍କୁ ସିଧାସଳଖ ଏଆଇ-ଆଧାରିତ ସ୍ୱାସ୍ଥ୍ୟସେବା ସୁବିଧା ପ୍ରଦାନ କରିବା ଏହାର ଉଦ୍ଦେଶ୍ୟ । ଜିଆଇଏମ୍ଏସ୍ର ନିର୍ଦ୍ଦେଶକ ଡା. ରାକେଶ କୁମାର ଗୁପ୍ତା କହିଛନ୍ତି, ଏହି ପ୍ରୟାସ ସ୍ୱାସ୍ଥ୍ୟସେବା ଷ୍ଟାର୍ଟଅପ୍ଗୁଡ଼ିକ ପାଇଁ ନୂଆ ସୁଯୋଗ ପ୍ରଦାନ କରିବ । ଏହା ସମୟର ଆବଶ୍ୟକତା, ଯାହା ମାଧ୍ୟମରେ ଉଦ୍ଭାବନ ଉଭୟ ଡାକ୍ତର ଓ ରୋଗୀଙ୍କ ପାଖରେ ସିଧାସଳଖ ପହଞ୍ଚିବ ।
