ଭୁବନେଶ୍ଵର : ଧଉଳି ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ରାଜଧାନୀରେ ଗର୍ଜିଲା ଯୁବ କଂଗ୍ରେସ। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ ବେଳେ ଅଣ୍ଡାମାଡ଼। ଅଧାବାଟରୁ ଉଠାଇନେଲା ପୁଲିସ। ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗରେ ଯୁବ କଂଗ୍ରେସର ବିକ୍ଷୋଭ। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଛି। ୪ ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ବହୁଚର୍ଚ୍ଚିତ ଧଉଳି ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ଧରାପଡ଼ିଛି। ଏହି ଘଟଣାର ଆହୁରି ଦୁଇ ଅଭିଯୁକ୍ତ ଫେରାର୍ ଅଛନ୍ତି। ପୁଲିସ ସେମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି। ସେପଟେ ପର୍ଯ୍ୟଟନସ୍ଥଳୀରେ ବାରମ୍ବାର ଏଭଳି ଲଜ୍ଜାଜନକ ଘଟଣାକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି। ବିରୋଧୀ ବିଜେଡି ଓ କଂଗ୍ରେସ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ସରକାରଙ୍କୁ ଘେରୁଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ରାଜଧାନୀରେ ମହିଳାଙ୍କ ପାଇଁ ସୁରକ୍ଷିତ ପରିବେଶ ନିଶ୍ଚିତ କରି ନ ପାରିବା ବିଜେପି ସରକାରର ଅପାରଗତା ଓ ସମ୍ବେଦନହୀନ ଆଚରଣକୁ ଦର୍ଶାଉଛି । ମହିଳାଙ୍କ ସୁରକ୍ଷା ସହ ଅପରାଧ ପ୍ରବଣତାକୁ ରୋକିବା ପାଇଁ ସରକାର କଠୋର ପଦକ୍ଷେପ ନିଅନ୍ତୁ। ପିପିସି ସଭାପତି ଭକ୍ତଚରଣ ଦାସ ମଧ୍ୟ ସରକାରଙ୍କ ବିରୋଧରେ ଢ଼େର୍ ବର୍ଷିଛନ୍ତି । କହିଛନ୍ତି, ଧଉଳି ହେଉଛି ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ । ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ସେଠାକୁ ବୁଲିବାକୁ ଯାଉଛନ୍ତି । ପର୍ଯ୍ୟଟନସ୍ଥଳୀଗୁଡି଼କରେ ଏଭଳି ଘଟଣାର ଯେମିତି ପୁନରାବୃତ୍ତି ନ ଘଟୁ, ସେଥିପାଇଁ ଜନଜାଗରଣ ସୃଷ୍ଟି କରିବାକୁ ସରକାରଙ୍କୁ ଅନୁରୋଧ।
