ଭୁବନେଶ୍ୱର : ପୁଲିସ ଏସ୍ଆଇ ନିଯୁକ୍ତି ଜାଲିଆତି ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ସମେତ ୩ଜଣ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ସେମାନଙ୍କୁ ଜେରା କରି ଜାଲିଆତିରେ ଗାଏବ ହୋଇଥିବା ପ୍ରମାଣପତ୍ର ବାବଦରେ ତଥ୍ୟ ଖୋଜୁଛି । ଶଙ୍କର ସହ ସିଲିକନ ଟେକଲ୍ୟାବର ନିର୍ଦ୍ଦେଶକ ସୁରେଶ ନାୟକ ଓ ସାଗର ଗୌଡ଼ଙ୍କୁ ଜାମିନ୍ରେ ନେବାକୁ ଗୁରୁବାର ସ୍ୱତନ୍ତ୍ର ଅଦାଲତ ଅନୁମତି ଦେଇଥିଲେ । ସିବିଆଇ ଟିମ୍ ଶୁକ୍ରବାର ପୂର୍ବାହ୍ଣରେ ଝାରପଡ଼ା କାରାଗାରରୁ ୩ଜଣଙ୍କୁ ନିଜ ହେପାଜତକୁ ନେଇଛି । ସେମାନଙ୍କୁ ସାମ୍ନାସାମ୍ନି ଜେରା ଚାଲିଛି । ଶଙ୍କର ଓ ସୁରେଶ ଉଭୟେ କେବେଠୁ ପରସ୍ପରକୁ ଚିହ୍ନିଲେ? ସମୁଦାୟ କେତେଜଣ ଆଶାୟୀଙ୍କୁ ଚାକିରି କରାଇଦେବା ପାଇଁ କେତେ ଟଙ୍କାର ଡିଲ୍ ହୋଇଥିଲା ? ରିମାଣ୍ଡ ବେଳେ ଏସବୁର ତଥ୍ୟ ହାସଲ କରିବା ସିବିଆଇର ମୁଖ୍ୟ ଲକ୍ଷ୍ୟ । ଭୁବନେଶ୍ୱର ରଘୁନାଥପୁରରେ ଶ୍ରୀଲିଙ୍ଗରାଜ ଇନଫୋସେଲର ପରୀକ୍ଷା ଲ୍ୟାବ ନାମରେ ଶଙ୍କର ଏକ ନିଯୁକ୍ତି କେନ୍ଦ୍ର ଖୋଲିଥିଲା । ଗତ ଅକ୍ଟୋବର ୫ ତାରିଖରେ ପୁଲିସ ଉକ୍ତ ନିଯୁକ୍ତି କାର୍ଯ୍ୟାଳୟରେ ପହଞ୍ଚିବା ପୂର୍ବରୁ ସମସ୍ତ ପ୍ରମାଣପତ୍ର ଗାଏବ ହୋଇ ଯାଇଥିଲା । ଉକ୍ତ ଅଫିସରୁ ପୁଲିସକୁ ଗୋଟିଏ ବି କମ୍ପ୍ୟୁଟର କି ପରୀକ୍ଷା ଉପକରଣ ମିଳିନଥିଲା । ଅଫିସରୁ ସିସି କ୍ୟାମେରା ଓ ଏସି ୟୁନିଟ୍କୁ କେହି କାଢ଼ି ନେଇଥିଲେ । ଗାଏବ୍ ହୋଇଥିବା ପ୍ରମାଣପତ୍ର ମିଳିଲେ, ଜାଲିଆତି ତଦନ୍ତରେ ଅନେକ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରିବ । ସେହି ଉଦ୍ଦେଶ୍ୟରେ ଶଙ୍କରକୁ ମାରାଥନ୍ ଜେରା ଚାଲିଛି । ଡିଜିଟାଲ ପ୍ରମାଣ ସଂଗ୍ରହ ବେଳେ ଝୁଣ୍ଟିଥିବା ସିବିଆଇ ଅଦାଲତ ଅନୁମତି କ୍ରମେ ଜବତ ହୋଇଥିବା ୧୩୩ଟି ମୋବାଇଲ୍କୁ ନିଜସ୍ୱ ଫରେନ୍ସିକ ଟିମ୍କୁ ପଠାଇଛି । ସପ୍ତାହେ ଭିତରେ ଏସବୁ ମୋବାଇଲ୍ରୁ ଡିଲିଟ୍ ହୋଇଥିବା ହ୍ୱାଟସ୍ଆପ୍ ଚାର୍ଟକୁ ରିକଭର୍ କରାଯିବ । ସେଥିରୁ ତଦନ୍ତ ପାଇଁ ଅନେକ ତଥ୍ୟ ମିଳିପାରେ ବୋଲି ସିବିଆଇ ଆଶା ରଖିଛି।
