ନୂଆଦିଲ୍ଲୀ – ଭାରତ ଓ ବାଂଲାଦେଶ ମଧ୍ୟରେ କୂଟନୀତିକ ଉତ୍ତେଜନା ପୁଣି ଥରେ ବଢିଛି। ରବିବାର (୧୪ ଡିସେମ୍ୱର)ରେ ବାଂଲାଦେଶର ଅନ୍ତରୀଣ ସରକାର ଭାରତୀୟ ହାଇ କମିଶନର ପ୍ରଣୟ ବର୍ମାଙ୍କୁ ତଲବ କରି ଥିଲେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଭାରତରୁ ଜାରି କଥିତ ଉତ୍ତେଜିତ ବୟାନ ଗୁଡ଼ିକ ଉପରେ ଗଭୀର ଚିନ୍ତାବ୍ୟକ୍ତ କରିଥିଲେ। ଢାକାର ଅଭିଯୋଗ ଯେ, ହସିନା ତାଙ୍କର ସମର୍ଥକଙ୍କୁ ବାଂଲାଦେଶରେ ହିଂସାତ୍ମକ କାର୍ଯ୍ୟକଳାପରେ ସାମିଲ ହେବା ପାଇଁ ଉସୁକାଉଛନ୍ତି, ଯାହାର ଉଦ୍ଦେଶ୍ୟ ଆଗାମୀ ସଂସଦୀୟ ନିର୍ବାଚନରେ ବାଧା ସୃଷ୍ଟି କରିବା। ବାଂଲାଦେଶ ଶେଖ୍ ହସିନା ଓ ପୂର୍ବତନ ଗୃହ ମନ୍ତ୍ରୀ ଅସଦୁଜ୍ଜମାନ ଖାନ କମାଲଙ୍କ ଶୀଘ୍ର ପ୍ରତ୍ୟର୍ପଣର ଦାବି ଦୋହରାଇଛନ୍ତି , ଏହାସହ ଭାରତରେ ରହିଥିବା ଅୱାମୀ ଲିଗ୍ର ପଳାତକ ସଦସ୍ୟଙ୍କ ଉପରେ ବାଂଲାଦେଶ-ବିରୋଧୀ କାର୍ଯ୍ୟକଳାପରେ ସାମିଲ ହେବାର ଅଭିଯୋଗ କରିଛନ୍ତି। ଏହିସବୁ ଅଭିଯୋଗର ଜବାବରେ ଭାରତର ବୈଦେଶିକ ମନ୍ତ୍ରଣାଳୟ (ଏମଇଏ) ସ୍ପଷ୍ଟ ଭାବେ ସବୁ ଦାବିକୁ ଖାରଜ କରି ଦେଇଛି। ଏମଇଏ କହିଛି ଯେ, ଭାରତ କେବେ ନିଜ ଭୂମିକୁ ବାଂଲାଦେଶର ହିତର ବିରୋଧରେ ଉପଯୋଗ କରିବାକୁ ଅନୁମତି ଦେଇ ନାହିଁ ଏବଂ ସେ ବାଂଲାଦେଶରେ ଶାନ୍ତିପୂର୍ଣ୍ଣ , ନିରପେକ୍ଷ, ସମାବେଶୀ ତଥା ବିଶ୍ୱସନୀୟ ନିର୍ବାଚନ ସମର୍ଥନ କରି ଚାଲିଛି। ଭାରତ ଆଶା ପ୍ରକଟ କରିଛି ଯେ, ଅନ୍ତରୀଣ ସରକାର ଆଭ୍ୟନ୍ତରୀଣ ଆଇନ- ବ୍ୟବସ୍ଥା ବଜାୟ ରଖିବା ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ସବୁ ଆବଶ୍ୟକୀୟ ପଦକ୍ଷେପ ନେବ। ବାଂଲାଦେଶର ହିତ ବିରୋଧରେ କାର୍ଯ୍ୟକଳାପ ଗୁଡ଼ିକ ପାଇଁ ଭାରତୀୟ ଭୂମିର ବ୍ୟବହାରର ଅଭିଯୋଗକୁ ବୈଦେଶିକ ମନ୍ତ୍ରଣାଳୟ ସଂପୂର୍ଣ୍ଣ ରୂପେ ଖଣ୍ଡନ କରି ଦେଇଛି।
