ଭୁବନେଶ୍ୱର: ମନମାନି ଛାଡ଼ୁନି ଆନ୍ଧ୍ର । ନିୟମିତ ବ୍ୟବଧାନରେ ସୁଯୋଗ ଉଣ୍ଡି କୋଟିଆ ପଞ୍ଚାୟତରେ ହରକତ ଚଳାଇଛି । କୋଟିଆ ଲୋକଙ୍କ କିପରି ମନ ମୋହିବ, ସେମାନଙ୍କୁ ନିଜର କରିବ, ସେଥିଲାଗି ଛଳନା ଚଳାଇଛି । ଏବେ କୋଟିଆରେ ନୂଆ ଚାଲ୍ ଖେଳିଛି ଆନ୍ଧ୍ର । କୋଟିଆ ଲୋକଙ୍କ ସମର୍ଥନ ପାଇଁ ଏବେ ସେଠାରେ ୧୯୩ ଜଣ ଏଜେଣ୍ଟ୍ଙ୍କୁ ନିଯୁକ୍ତ କରିଛି । ପୂରା ପଞ୍ଚାୟତରେ ଛାଇ ଯାଇଛନ୍ତି ଆନ୍ଧ୍ର ଏଜେଣ୍ଟ୍ । ସେମାନେ ଆନ୍ଧ୍ର ପ୍ରରୋଚନାରେ କାମ କରିବାକୁ ସମ୍ମତି ଦେଇଥିବା ଜଣାପଡ଼ିଛି । ଏଥିପାଇଁ ଏଜେଣ୍ଟ୍ଙ୍କ ମୁହଁରେ ଆନ୍ଧ୍ର ଟଙ୍କା ଥୋପ ମଧ୍ୟ ପକାଇଛି । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ୍ ଅଧୀନ କୋଟିଆକୁ ଆନ୍ଧ୍ର ନିଜର କରିବାକୁ ଉଦ୍ୟମ ଚଳାଇଛି । ଏଠାରେ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛି । କୋଟିଆ ସୀମା ବିବାଦକୁ ନେଇ ମାମଲା ସୁପ୍ରିମ୍କୋର୍ଟରେ ବିଚାରାଧୀନ ରହିଛି । ତଥାପି ଆନ୍ଧ୍ର ବାରମ୍ବାର ଏଠାରେ ଅନୁପ୍ରବେଶ ଜାରିରଖିଛି । ଅନୁପ୍ରବେଶ କରୁଥିବା ଆନ୍ଧ୍ର ଅଧିକାରୀଙ୍କୁ ସ୍ଥାନୀୟ ଅଧିକାରୀ ବିରୋଧ କରି ଘଉଡ଼ାଉଛନ୍ତି । ସଦ୍ୟତମ ଘଟଣା ଅନୁଯାୟୀ ଆନ୍ଧ୍ର ଏବେ କୋଟିଆରେ ନୂଆ ଚାଲ୍ ଚଳାଇଛି । କୋଟିଆ ଲୋକଙ୍କ ସମର୍ଥନ ପାଇଁ ଚଳିତ ସପ୍ତାହରେ ପ୍ରତି ଗାଁରେ ଏଜେଣ୍ଟ୍ ନିଯୁକ୍ତି କରିଛି । ୧୩ ୱାର୍ଡ ବିଶିଷ୍ଟ କୋଟିଆ ପଞ୍ଚାୟତରେ ଆନ୍ଧ୍ର ପକ୍ଷରୁ ଏଜେଣ୍ଟ୍ ନିଯୁକ୍ତ ହୋଇଛନ୍ତି । ପ୍ରତି ୨୦ ପରିବାରକୁ ପ୍ରବର୍ତ୍ତାଇବା ପାଇଁ ଜଣେ ଲେଖାଏଁ ଏଜେଣ୍ଟ୍ ନିଯୁକ୍ତ ହୋଇଛନ୍ତି । ଏଭଳି ୧୯୩ ଜଣ ଏଜେଣ୍ଟ୍ ନିଯୁକ୍ତ ହୋଇଛନ୍ତି । ଓଡ଼ିଶାର ସରକାରୀ ଯୋଜନାକୁ ବିରୋଧ କରି ଆନ୍ଧ୍ର ଯୋଜନାର ହିତାଧିକାରୀ ହେବା ଏବଂ ଆନ୍ଧ୍ର ସପକ୍ଷରେ ରହିବାକୁ ସେମାନଙ୍କୁ ପ୍ରବର୍ତ୍ତାଇବା ହେଉଛି ଏହି ଏଜେଣ୍ଟ୍ମାନେ ଙ୍କ କାମ । ଏହି କାମ ପାଇଁ ସ୍ୱତନ୍ତ୍ର ଦରମା ମଧ୍ୟ ରହିଛି । ଏହି ନବନିଯୁକ୍ତ ଏଜେଣ୍ଟ୍ମାନେ କୋଟିଆ ପଞ୍ଚାୟତର ସ୍ଥାୟୀ ବାସିନ୍ଦା ଏବଂ ସେମାନେ ଅଞ୍ଚଳର ବେକାର ଯୁବକ ଯୁବତୀ ବୋଲି ଜଣାପଡ଼ିଛି । ଏ ସମ୍ପର୍କରେ ପଟ୍ଟାଙ୍ଗୀ ବିଡିଓ ରାମକୃଷ୍ଣ ନାଏକଙ୍କ ସହିତ ଆଲୋଚନା କରିବାରୁ ସେ କହିଛନ୍ତି, କୋଟିଆ ପାଇଁ ଆନ୍ଧ୍ର ପକ୍ଷରୁ ଏଜେଣ୍ଟ୍ ନିଯୁକ୍ତ କରାଯାଇଛି । ସେମାନଙ୍କୁ ଦରମା ଦେଇ ରଖାଯାଇଛି । ସେମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରକ୍ରିୟା ଚାଲୁ ରହିଛି । କେତେ ସଂଖ୍ୟାରେ ଏଜେଣ୍ଟ୍ ନିଯୁକ୍ତ ହୋଇଛନ୍ତି ଜାଣିନାହାନ୍ତି । ବର୍ତ୍ତମାନ ସୁଦ୍ଧା ୮ରୁ ୧୦ ଜଣଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ନାମରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଲୋକଙ୍କୁ ଭୁଆଁ ବୁଲାଉଥିବା ନେଇ ପ୍ରଶାସନ ପକ୍ଷରୁ ସେମାନଙ୍କ ବିରୋଧରେ ପୁଲିସ ନିକଟରେ ଅଭିଯୋଗ କରାଯିବ । ତେବେ ସେମାନଙ୍କୁ ଚିହ୍ନଟ କରିବା ସହଜ ହେଉ ନାହିଁ । କାରଣ ଓଡ଼ିଶା ଅଧୀକାରୀ କୋଟିଆ ଗଲେ ସେମାନେ ଓଡ଼ିଶା ସପକ୍ଷରେ କହୁଛନ୍ତି । ଆନ୍ଧ୍ର ଅଧିକାରୀ ଆସିଲେ ସେମାନଙ୍କ ସହିତ କାର୍ଯ୍ୟ କରୁଛନ୍ତି । ତେବେ ସେ ଯାହାହେଉ, ସେମାନଙ୍କ ଉପରେ ପ୍ରଶାସନ ନଜର ରଖିଛି ବୋଲି ସେ କହିଛନ୍ତି । ସ୍ଥାନୀୟ ପ୍ରଶାସନ ବାରମ୍ବାର ବିରୋଧ କରୁଥିଲେ ସୁଦ୍ଧା ଆନ୍ଧ୍ର ଅଧିକାରୀ ଅନୁପ୍ରବେଶ ଜାରି ରଖି ସ୍ଥାନୀୟ ଲୋକଙ୍କୁ ଏଜେଣ୍ଟ୍ ଜରିଆରେ ଆନ୍ଧ୍ର ସପକ୍ଷରେ ପ୍ରବର୍ତ୍ତାଉଛନ୍ତି । ଆନ୍ଧ୍ର ଅଧିକାରୀଙ୍କ କଥାରେ ପଡ଼ି କୋଟିଆର ଫଗୁଣସିନେରି, ଫାଟୁ ସିନେରି ଓ ସଲପଗୁଡ଼ା ଗ୍ରାମବାସୀ ଆନ୍ଧ୍ର ସପକ୍ଷ ଏବଂ ଓଡ଼ିଶା ବିରୋଧରେ ମେଳି କରିଛନ୍ତି । ଆନ୍ଧ୍ର ଅଧିକାରୀ ଓ ଆନ୍ଧ୍ର ଏଜେଣ୍ଟ୍ଙ୍କ ଉପସ୍ଥିତିରେ ଉକ୍ତ ୩ ଗାଁ ଲୋକ ଗତ ଗୁରୁବାର ରାତିରେ ବୈଠକ କରିଥିଲେ । ଆଗକୁ ସେମାନେ ଓଡ଼ିଶା ସରକାର ଦେଉଥିବା କୌଣସି ସରକାରୀ ସହାୟତା ନେବେନି ବୋଲି ବୈଠକରେ ନିଷ୍ପତ୍ତି ନେଇଛନ୍ତି । ଲୋକଙ୍କ ସମର୍ଥନ ପାଇବା ପରେ ଫାଟୁସିନେରିଠାରେ ଥିବା ଏକ ଓଡ଼ିଆ ନାମଫଳକକୁ ଆନ୍ଧ୍ର ଅଧିକାରୀ ଉପାଡ଼ି ଫିଙ୍ଗି ଦେଇଥିଲେ । ଉକ୍ତ ଗାଁ ଲୋକଙ୍କ ମେଳି ସମ୍ପର୍କରେ ସୂଚନା ପାଇ ପଟ୍ଟାଙ୍ଗୀ ବିଡିଓ ରାମକୃଷ୍ଣ ନାୟକ ଏବଂ ପଟ୍ଟାଙ୍ଗୀ ତହସିଲଦାର ବୈଠକ ସ୍ଥଳକୁ ଯାଇଥିଲେ । ସେଠାରେ ଗାଁ ଲୋକଙ୍କୁ ଭେଟି ବୁଝାସୁଝା କରିଥିଲେ । ସେଭଳି ଆନ୍ଧ୍ର ଅଧିକାରୀ ଓଡ଼ିଆ ବୋର୍ଡ ଉପାଡ଼ି ଫିଙ୍ଗି ଦେଇଥିବା ଜାଣିବା ପରେ ଦିନକ ପରେ ପୁଣି ଓଡ଼ିଆ ବୋର୍ଡ ଲଗାଯାଇଥିଲା । ଲୋକମାନେ ମଧ୍ୟ ଆନ୍ଧ୍ରକୁ କଦାପି ସମର୍ଥନ କରିବେନି ବୋଲି ସ୍ୱୀକାର କରିଥିବା ବିଡିଓ କହିଛନ୍ତି।
