ନୂଆଦିଲ୍ଲୀ,୧୧।୧୨; ନିକଟରେ ଇଣ୍ଡିଗୋର ହଜାର ହଜାର ଉଡାଣ ବାତିଲ ଲକ୍ଷାଧିକ ଯାତ୍ରୀଙ୍କୁ ସମସ୍ୟାରେ ପକାଇଛି। ଇଣ୍ଡିଗୋ ସଙ୍କଟ ବିମାନ କ୍ଷେତ୍ରକୁ ଏବେ ଦୋହଲାଇ ଦେଇଛି। ଏବେ ଭବିଷ୍ୟତରେ ଏଭଳି କୌଣସି ସମସ୍ୟାର ମୁକାବିଲ ପାଇଁ ସରକାର କଡା ପଦକ୍ଷେପ ଉଠାଇବାର ଯୋଜନା ତିଆରି କରୁଛନ୍ତି। ଦେଶର ବିମାନ ଚଳାଚଳ କ୍ଷେତ୍ର ପାଇଁ ପ୍ରଥମ ଥର ସମ୍ପୂର୍ଣ୍ଣ ବୈଷୟିକ ତ୍ରୁଟି ନିରୀକ୍ଷଣ ବ୍ୟବସ୍ଥାକୁ ତୁରନ୍ତ ପରିବର୍ତ୍ତନ କରାଯାଇଛି। ରିପୋର୍ଟ ଅନୁଯାୟୀ, ବାରମ୍ବାର ବିମାନ ବିଳମ୍ବ, ବିମାନ ବାତିଲ ଏବଂ ସୁରକ୍ଷା ସମ୍ପର୍କିତ ଘଟଣା ଗୁଡ଼ିକ ଡିଜିସିଏକୁ ଡିଫେକ୍ଟ ରିପୋର୍ଟିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ବାଧ୍ୟ କରିଛି। ନୂତନ ୧୨ ପୃଷ୍ଠାର ଆଦେଶ ଅନୁଯାୟୀ, ଯାନ୍ତ୍ରିକ କାରଣରୁ ଯେକୌଣସି ନିର୍ଦ୍ଧାରିତ ବିମାନ ୧୫ ମିନିଟ୍ କିମ୍ବା ତା’ଠାରୁ ଅଧିକ ବିଳମ୍ବ ହେଲେ, ଏବେ ବାଧ୍ୟତାମୂଳକ ତଦନ୍ତ କରାଯିବ। ବିମାନ କମ୍ପାନୀକୁ ବିଳମ୍ବର କାରଣ ଏବଂ ଏହାକୁ କିପରି ଠିକ୍ କରାଯାଇଥିଲା ତାହା ଜଣାଇବାକୁ ପଡ଼ିବ। ଏହା ସହିତ, ଏଭଳି ଭୁଲ ପୁନରାବୃତ୍ତି ନ ହେବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ତାହା ମଧ୍ୟ ଏଥିରେ ବିସ୍ତୃତ ଭାବରେ ଉଲ୍ଲେଖ କରାଯିବ। ଏଗୁଡ଼ିକ ପୂର୍ବରୁ ପ୍ରଚଳିତ ନଥିଲା। ନିୟମ ଅନୁଯାୟୀ, କମ୍ପାନୀକୁ ଏବେ ଫୋନ୍ ମାଧ୍ୟମରେ ଯେକୌଣସି ବଡ଼ ତ୍ରୁଟି ବିଷୟରେ ଡିଜିସିଏକୁ ଜଣାଇବାକୁ ପଡିବ ଏବଂ ୭୨ ଘଣ୍ଟା ମଧ୍ୟରେ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ପଡିବ। କୁହାଯାଉଛି ଯେ, ଡିଜିସିଏ ଏହା କଟକଣା ଏଥିପାଇଁ ଲାଗୁ କରିଛି, କାରଣ ପୂର୍ବରୁ ଡିଫେକ୍ଟ ରିପୋର୍ଟିଂ ବ୍ୟବସ୍ଥା ଖୁବ୍ ଦୁର୍ବଳ ଥିଲା। ବର୍ତ୍ତମାନ ନିୟମରେ ୧୫ ମିନିଟ୍ ବିଳମ୍ବର ଯାଞ୍ଚ ବାଧ୍ୟତାମୂଳକ ଭାବରେ କରିବାକୁହେବ।
