ନୂଆଦିଲ୍ଲୀ,୦୭/୧୨; କଂଗ୍ରେସ ସଂସଦୀୟ ଦଳ (ସିପିପି)ର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଜବାହରଲାଲ ନେହରୁଙ୍କ ପ୍ରସଙ୍ଗରେ ହେଉଥିବା ବୟାନବାଜିକୁ ନେଇ ବିଜେପିକୁ ସମାଲୋଚନା କରିଛନ୍ତି । ଦିଲ୍ଲୀସ୍ଥିତ ଜବାହର ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସୋନିଆ କହିଛନ୍ତି, ନେହରୁଙ୍କୁ ବଦନାମ କରିବା ବର୍ତ୍ତମାନ ବିଜେପି ସରକାରର ମୁଖ୍ୟ ଉଦ୍ଦେଶ୍ୟ ପାଲଟିଛି । ତାଙ୍କୁ କେବଳ ଇତିହାସରୁ ଲିଭାଇ ଦେବାକୁ ସରକାର ଚାହୁଁନାହାନ୍ତି, ବରଂ ତାଙ୍କର ସାମାଜିକ, ରାଜନୈତିକ ଓ ଆର୍ଥିକ ଆଧାରଗୁଡ଼ିକୁ ଦୁର୍ବଳ କରିଦେବାକୁ ଚାହୁଁଛନ୍ତି । ଏତେ ବଡ଼ ବ୍ୟକ୍ତିତ୍ୱଙ୍କ ଜୀବନ ଓ କାମର ବିଶ୍ଳେଷଣ ତଥା ସମୀକ୍ଷା ହେବା ସ୍ୱାଭାବିକ କଥା ଏବଂ ଏହା ହେବା ଉଚିତ୍ ।
ସେ ଆହୁରି କହିଛନ୍ତି, ”ତାଙ୍କୁ ବଦନାମ, ଦୁର୍ବଳ ଦର୍ଶାଇବା ଏବଂ ତାଙ୍କ କଥାଗୁଡ଼ିକୁ କଦର୍ଥ କରିବାକୁ ସଙ୍ଗଠିତ ଉଦ୍ୟମ ହେବା ଅନସ୍ୱୀକାର୍ଯ୍ୟ । ନେହରୁଙ୍କ ବହୁମୁଖୀ ଉପଲବ୍ଧିକୁ ଶେଷ କରି ପୁନର୍ବାର ଇତିହାସ ଲେଖିବା ପାଇଁ ଉଦ୍ୟମ ହେଉଛି । ସୋନିଆଙ୍କ ଏଭଳି ବୟାନ ପରେ ବିଜେପି ଏହାର ଜବାବ ଦେଇଛି । ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି, କାଶ୍ମୀରରେ ଧାରା ୩୭୦ ନେହରୁ ଆଣିଥିଲେ । କିନ୍ତୁ ଏହାକୁ ସେ ପରେ ସଂଶୋଧନ କରିପାରି ନ ଥିଲେ । ଏହା ତାଙ୍କର ଭୁଲ ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଏହାକୁ ସଂଶୋଧିତ କରିଛନ୍ତି । ତା’ଛଡ଼ା ‘ହିନ୍ଦୀ ଚୀନୀ ଭାଇ ଭାଇ’ ସ୍ଲୋଗାନ ନେହରୁ ଦେଇଥିଲେ । କିନ୍ତୁ ନେହରୁ ଜାତିସଂଘ ସୁରକ୍ଷା ପରିଷଦର ଆସନକୁ ଚୀନ୍କୁ ଦେଇଥିଲେ ।
ଧାରା ୩୭୦ ନେହରୁଙ୍କ ଭୁଲ ଥିଲା: ସାମ୍ବାଦିକ ସମ୍ମିଳନୀରେ ଗୌରବ ଭାଟିଆ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଭାରତୀୟ ରାଜନୀତିର ଭସ୍ମାସୁର ଦର୍ଶାଇଛନ୍ତି । କହିଛନ୍ତି, ସରକାର ତାଙ୍କୁ ଡାକିଲେ ସେ ପହଞ୍ଚୁ ନାହାନ୍ତି । ସେ ଅଗଷ୍ଟ ୧୫ରେ ଲାଲକିଲ୍ଲା ଆସି ନ ଥିଲେ । ଭାରତର ପ୍ରଧାନ ବିଚାରପତିଙ୍କ ଶପଥ ଗ୍ରହଣ ସମାରୋହରେ ବି ସାମିଲ ହୋଇ ନ ଥିଲେ । ସେ ଜଣେ ଅପରିପକ୍ୱ ନେତା । କାହା ସାମ୍ନାରେ କ’ଣ କହିବାକୁ ହୁଏ ତାଙ୍କୁ ଜଣା ନାହିଁ । ସେ କଂଗ୍ରେସ, ଉଦ୍ଧବ ଠାକରେ ଓ ଶରଦ ପାୱାରଙ୍କ ଦଳ, ଅରବିନ୍ଦ କେଜ୍ରିୱାଲ ଓ ତେଜସ୍ୱୀ ଯାଦବଙ୍କ ଦଳକୁ ଡୁବାଇ ଦେଇଛନ୍ତି । ଧାରା ୩୭୦ ନେହରୁଙ୍କ ଭୁଲ ଥିଲା । ଭାରତ-ରୁଷ୍ ବନ୍ଧୁତାକୁ ଦୁନିଆ ଦେଖିଲା । ସମଗ୍ର ବିଶ୍ୱ ଭାରତକୁ ପ୍ରଶଂସା କରୁଛି । କିନ୍ତୁ ଭାରତର ଗୋଟିଏ ମଣ୍ଡଳୀ ଛାତି ପିଟିବାରେ ଲାଗିଛି । ସେମାନେ ଦୁଃଖ ଅନୁଭବ କରୁଛନ୍ତି । ଏହି ମଣ୍ଡଳୀ ରାଷ୍ଟ୍ରହିତ ବିରୋଧରେ ବୟାନବାଜି କରୁଛି । ରାହୁଲ ନକଲି ଗାନ୍ଧୀ ଓ ତାଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ ।
