ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସର ପରିଚାଳନାଗତ ସଙ୍କଟକୁ ସମାଧାନ କରିବା ଏବଂ ସ୍ୱାଭାବିକତା ଫେରାଇ ଆଣିବା ପାଇଁ ପ୍ରୟାସ କରାଯାଉଛି, କିନ୍ତୁ ଏହି ସଙ୍କଟ ଲଗାତାର ଷଷ୍ଠ ଦିନ ପାଇଁ ଜାରି ରହିଛି। ରବିବାର ଦେଶର ପ୍ରମୁଖ ବିମାନ ବନ୍ଦର ଗୁଡ଼ିକରେ ୬୫୦ ଟି ଉଡ଼ାଣ ବାତିଲ କରାଯାଇଛି। ଇଣ୍ଡିଗୋରେ ଚାଲିଥିବା ସଙ୍କଟ ଯୋଗୁଁ, ଗତ ଛଅ ଦିନ ମଧ୍ୟରେ ପ୍ରାୟ ୩ ହଜାର ଉଡ଼ାଣ ବାତିଲ କରାଯାଇଛି, ଯାହା ଦେଶର ବିମାନ ଚଳାଚଳକୁ ଗୁରୁତର ଭାବରେ ପ୍ରଭାବିତ କରିଛି ଏବଂ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ଅତ୍ୟଧିକ ଅସୁବିଧାର ସମ୍ମୁଖୀନ କରୁଛି। ଏବେ, ସରକାର ଇଣ୍ଡିଗୋ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଶନିବାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (DGCA) ଇଣ୍ଡିଗୋର ସିଇଓ ପିଟର ଏଲବର୍ସ ଏବଂ ସିଓଓ ଏବଂ ଆକାଉଣ୍ଟେବଲ୍ ମ୍ୟାନେଜର ପୋରକେରାସଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏହାସହ ପରିଚାଳନା ଗତ ସଙ୍କଟ ଉପରେ ୨୪ ଘଣ୍ଟା ମଧ୍ୟରେ ଜବାବ ମାଗିଛି। ଡିଜିସିଏ ନୋଟିସରେ ଉଲ୍ଲେଖ କରିଛି ଯେ କାର୍ଯ୍ୟକ୍ଷମ ଯୋଜନା ଏବଂ ସମ୍ବଳ ପରିଚାଳନାରେ ଏକ ଗୁରୁତ୍ୱପୂର୍ଣ୍ଣ ବିଫଳତା ରହିଛି। ନୋଟିସରେ ଉଲ୍ଲେଖ କରାଯାଇଛି,ଇଣ୍ଡିଗୋର ଚାଲିଥିବା ସଙ୍କଟର ମୁଖ୍ୟ କାରଣ ହେଉଛି ନୂତନ FDTL ନିୟମାବଳୀ କାର୍ଯ୍ୟକାରୀ କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥାର ଅଭାବ। ଏହା ସହ ବିମାନ କମ୍ପାନୀ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ତାହା ପଚରାଯାଇଛି ସରକାର। କ୍ରମାଗତ ପଞ୍ଚମ ଦିନ ପାଇଁ ଇଣ୍ଡିଗୋର କାର୍ଯ୍ୟ ବାଧାପ୍ରାପ୍ତ ହେବା ପରେ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ଶନିବାର ମନ୍ତ୍ରଣାଳୟ ବରିଷ୍ଠ ଅଧିକାରୀ ଏବଂ ପିଟର ଏଲବର୍ସଙ୍କ ସହ ଏକ ବୈଠକ କରି ସ୍ଥିତି ସମୀକ୍ଷା କରିଛନ୍ତି। ବୈଠକରେ ଇଣ୍ଡିଗୋର ସିଇଓଙ୍କୁ ସୁନିଶ୍ଚିତ କରିବାକୁ କୁହାଯାଇଛି ଯେ, ଏୟାରଲାଇନ୍ ଏକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନୂତନ FDTL ନିୟମାବଳୀ ପାଳନ କରୁଛି। ରବିବାର ୬୫୦ ଇଣ୍ଡିଗୋ ଉଡ଼ାଣ ବାତିଲ ହୋଇଛି। ଇଣ୍ଡିଗୋ ଏହାର ୨୩୦୦ ଦୈନିକ ଉଡ଼ାଣ ମଧ୍ୟରୁ ଏବେ ୧୬୫୦ ଉଡ଼ାଣ କରୁଛି। ପୂର୍ବରୁ ଶୁକ୍ରବାର ଦିନ, ଇଣ୍ଡିଗୋ ପ୍ରାୟ ୧୬୦୦ ଉଡ଼ାଣ ବାତିଲ କରିଥିଲା। କିନ୍ତୁ ଶନିବାର ବାତିଲ ସଂଖ୍ୟା ପ୍ରାୟ ୮୦୦କୁ ହ୍ରାସ ପାଇଛି।
