ଖୋର୍ଦ୍ଧା : କଟକ ଜିଲ୍ଲା ବାଙ୍କୀ ଥାନା ପଥୁରୀପଡ଼ା ଗ୍ରାମର ଛାତ୍ରୀ ଶୁଭଲକ୍ଷ୍ମୀ ଦାସ(୧୬) ଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛି ବାଘମାରୀ ପୁଲିସ । ସୋମବାର ଶୁଭଲକ୍ଷ୍ମୀଙ୍କ ପୁରୁଷବନ୍ଧୁଙ୍କୁ ପୁଲିସ୍ ଅଟକ ରଖିଛି । ପ୍ରାଥମିକ ତଦନ୍ତରୁ ଜାତିଗତ ବିବାଦ ନଚେତ ଅନ୍ୟ କୌଣସି କାରଣରୁ ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥିବା ପୁଲିସ୍ ଅନୁମାନ କରୁଛି । ଘଟଣାରୁ ପ୍ରକାଶ, ରବିବାର ବାଘମାରୀ ଥାନା ଓସ୍ତପୁର ଗ୍ରାମଠାରୁ ଶୁଭଲକ୍ଷ୍ମୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ପରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ପରିବାର ଲୋକେ ପ୍ରଥମେ ବାଘମାରୀ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । କିନ୍ତୁ ବାଘମାରୀ ପୁଲିସ୍ ଘଟଣା ବାଙ୍କୀ ଥାନା ଅଞ୍ଚଳ ହୋଇଥିବା କହି ଅଭିଯୋଗ ରଖିବାକୁ ମନା କରିଥିଲା । ବାଙ୍କୀ ଥାନାକୁ ଯିବାରୁ ବାଘମାରୀ ଥାନା ଅଞ୍ଚଳରେ ଘଟଣା ଘଟିଥିବାରୁ ସେ ଥାନାରେ ଏତଲା ଦେବାକୁ ପରିବାର ଲୋକଙ୍କୁ ପରାମର୍ଶ ଦେଇଥିଲା ପୁଲିସ । ଏତଲା ଦେବାକୁ ପରିବାର ଲୋକେ ବାଘମାରୀ ଓ ବାଙ୍କୀ ଥାନାକୁ ଦୌଡ଼ି ଦୌଡ଼ି ନିରାଶ ହୋଇଥିଲେ । ପରେ ଏସ୍ଡ଼ିପିଓ ନିହାର ରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ବାଘମାରୀ ପୁଲିସ୍ ରବିବାର ରାତି ୧୨ଟା ୩୦ରେ ମୃତ ଶୁଭଲକ୍ଷ୍ମୀଙ୍କ ମା’ ଝରଣା ଦାସଙ୍କ ଅଭିଯୋଗକ୍ରମେ ହତ୍ୟା ଓ ବଳାତ୍କାର ମାମଲା ରୁଜୁ କରିଥିଲା । ସୋମବାର ସନ୍ଧ୍ୟାରେ ଏମ୍ସ ରେ ଶୁଭଲକ୍ଷ୍ମୀଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଝରଣାଙ୍କ ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ସୋମବାର ବାଘମାରୀ ପୁଲିସ୍ ନୟାଗଡ଼ ଜିଲ୍ଲା ସୁନାଖଳାସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡିଆଇଇଟି) ଏବଂ ପୁରୁଷବନ୍ଧୁଙ୍କ ଘରକୁ ଯାଇ ତନାଘନା ଚଳାଇଛି । ଶୁଭଲକ୍ଷ୍ମୀଙ୍କ ମା’ ଝରଣା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି, ଗତ ୨୨ ତାରିଖ ସନ୍ଧ୍ୟାରେ ଶୁଭଲକ୍ଷ୍ମୀ ଡିଆଇଇଟିରୁ ଛୁଟିନେଇ ଘରକୁ ଆସୁଥିଲା। ହେଲେ ତା’ ମୋବାଇଲ ସୁଇଚ୍ ଅଫ୍ ଥିବାରୁ ବଡ଼ଭଉଣୀ ଖବର ନେବାରେ ସେ ହଷ୍ଟେଲରେ ନଥିବା ଜଣାପଡ଼ିଥିଲା । ପରେ ସାନ ମଝିଆଣୀ ଝିଅ ଫୋନ୍ କରିବାରୁ ଜଣେ ଫୋନ ଉଠାଇ ଶୁଭଲକ୍ଷ୍ମୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଓସ୍ତପୁର ରାସ୍ତାକଡ଼ରେ କେହି ଛାଡ଼ି ଚାଲିଯାଇଥିବା ଖବର ଦେଇଥିଲେ । ଏହି ଖବର ପାଇ ବଡ଼ଜ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ଶୁଭଲକ୍ଷ୍ମୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଏକ ବାଇକ୍ (ଓଡି୦୫- ବିସି-୮୭୭୨)ରେ ଆସିଥିବା ଯୁବକ ଶୁଭଲକ୍ଷ୍ମୀଙ୍କୁ ଓସ୍ତପୁର ରାସ୍ତା କଡ଼ରେ ଛାଡ଼ି ପଳାଇଥିବା ବାଘମାରୀ ଥାନାରେ ଝରଣା ଅଭିଯୋଗ କରିଛନ୍ତି । ତେଣୁ ସମ୍ପୃକ୍ତ ଯୁବକ ଦୁଷ୍କର୍ମ କରିଥିବା ଏବଂ ଧରାପଡ଼ିବା ଭୟରେ ଘଟଣାକୁ ଆତ୍ମହତ୍ୟା ରୂପଦେବାକୁ ତା’ ପାଟିରେ ବିଷ ଢାଳି ଦେବାରୁ ଝିଅ ପ୍ରାଣ ହରାଇଥିବା ଝରଣା ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି । ପୁଲିସ୍ ମାମଲା (୨୩୯/୨୫) ରୁଜୁ କରି ତଦନ୍ତ ଚଳାଇଛି । ବାଘମାରୀ ଥାନା ଅଧିକାରୀ ଶମ୍ବୁନାଥ ନାୟକ କହିଛନ୍ତି, ପୁରୁଷବନ୍ଧୁ ଓ ଶୁଭଲକ୍ଷ୍ମୀଙ୍କ ଜାତିରେ ଭିନ୍ନତା ଥିଲା । ତେଣୁ ଉଭୟଙ୍କ ପ୍ରେମ ସମ୍ପର୍କକୁ ପୁରୁଷ ବନ୍ଧୁଙ୍କ ପରିବାର ଲୋକେ ଅସ୍ୱୀକାର କରିବାରୁ ଶୁଭଲକ୍ଷ୍ମୀ ମାନସିକ ଭାରସାମ୍ୟ ହରାଇ ବିଷପିଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ସୋମବାର ସୁନାଖଳା ଡିଆଇଇଟିକୁ ଯାଇ ତଦନ୍ତ କରିଛୁ । ତଦନ୍ତରୁ ଶୁଭଲକ୍ଷ୍ମୀ ହଷ୍ଟେଲରୁ ୨୨ ତାରିଖ ସନ୍ଧ୍ୟାରେ ବସ୍ରେ ବାଙ୍କୀ ଆସିଥିଲେ । ଉକ୍ତ ଦିନ ଜଣେ ଭଉଣୀ ଘରେ ରାତ୍ରିଯାପନ କରିଥିଲେ । ୨୩ ତାରିଖରେ ପୁରୁଷବନ୍ଧୁଙ୍କ ଘରକୁ ଯାଇଥିବା ଜଣାପଡ଼ିଛି ବୋଲି ଶ୍ରୀ ନାୟକ କହିଛନ୍ତି ।
