ଭୁବନେଶ୍ୱର,୨୧/୧୧: ସହରର ଛାତି ଉପରେ ଜବରଦଖଲ । ଏକର କି ଦୁଇ ଏକର ନୁହେଁ, ୨୨୫ ଏକର ଜଙ୍ଗଲ ଜମିରେ ଠିଆ ହୋଇଛି ସାଲିଆସାହି । ତୋଳା ଯାଇଛି ୨୧ ହଜାର ବେଆଇନ ଘର । ବାମପାର୍ଶ୍ୱ ସମାନ୍ତରାଳ ରାସ୍ତା ପାଇଁ ମାତ୍ର ୭.୪ ଏକର ଜମି ଉଚ୍ଛେଦ କରି ଫେରାଇ ଆଣିଲେ । ବାକି ଜମି କେବେ ସରକାରୀ ଖାତାକୁ ଫେରିବ, ତାକୁ ନେଇ ପୁଣି ପ୍ରଶ୍ନବାଚୀ ତ୍ସଷ୍ଟି ହୋଇଛି ।
ବାମପାଶ୍ୱର୍ ସମାନ୍ତରାଳ ରାସ୍ତା ପାଇଁ ଅଗଷ୍ଟ ମାସରେ ବିଏମ୍ସି ଓ ବିଡିଏ ପକ୍ଷରୁ ମିଳିତ ସର୍ଭେ କରଯାଇଥିଲା । ତେବେ ସାଲିଆ ସାହି ଦେଇ ଆସୁଥିବା ୯୦୦ ମିଟର ରାସ୍ତା ପରିସୀମାରେ ୫୫୬ ଘର ଥିଲା । ୨୦୦ ଫୁଟ୍ରେ ଯିବାକୁ ଥିବା ଏହି ରାସ୍ତାର ମୋଟ୍ ୭.୪ ଏକର ଜମି ଫେରାଇ ଅଣାଯାଇଛି । ବାକି ଜାଗା ଏବେ ବି ଜବରଦଖଲକାରୀଙ୍କ କବଜାରେ ରହିଛି ।
ବର୍ଷ ବର୍ଷ ଧରି ଏହି ଜଙ୍ଗଲ ଜମି ଏହି ଜବରଦଖଲକାରୀଙ୍କ କବଜାରେ ରହିଛି । କେହି କେହି ଏଠାରେ ଘର ନିର୍ମାଣ କରି ଭଡାରେ ଲଗାଇଛନ୍ତି । ମାର୍ବଲ ମୋଜାଇକ ଘରଠାରୁ ଆରମ୍ଭ କରି ଚାଳ ଛପର, ସବୁ ବର୍ଗଙ୍କ ପାଇଁ ଏଠାରେ ଘର ଭଡାରେ ମିଳୁଛି । ନେତା, ଠିକାଦାର, ଜମି ଦଲାଲ ଜାଗା ମାଡ଼ିବସିଛନ୍ତି । ଗରିବ ଆଦିବାସୀ, ଶ୍ରମିକ ଶ୍ରେଣୀର ଲୋକଙ୍କୁ ଭଡ଼ା ଲଗାଇ ଲୁଟୁଛନ୍ତି । ବାଂଲାଦେଶୀ ଆସି ମଧ୍ୟ ଭଡ଼ାରେ ରହୁଛନ୍ତି ।
ଖାଲି ଘର ଭଡା ନୁହେଁ, ଚୋରା ବନ୍ଧୁକ କାରବାର, ଦେଶୀ ମଦଭାଟି, ନିଶା ସାମ୍ରାଜ୍ୟର ହବ ପାଲଟିଛି ସାଲିଆ ସାହି । ଏହାରି ଭିତରେ ମଦ ମାଫିଆଙ୍କ ରାଜ ଚାଲିଛି । ବିଏମ୍ସି ଜୟଦେବ ବିହାର ମୌଜା ସଂଲଗ୍ନ ସାଲିଆ ସାହି ୪ଟି ୱାର୍ଡରେ ବ୍ୟାପିଛି । ଏଥିରେ ୱାର୍ଡ ନଂ ୨୦ରେ ୧୨,୭୮୦ ଘର ରହିଛି । ଏଥିରେ ୩୭ ହଜାରରୁ ଅଧିକ ଲୋକ ରହୁଛନ୍ତି । ମହାବୀରନଗର, ସନ୍ତୋଷୀନଗର, ନୀଳଚକ୍ରନଗର, ମଙ୍ଗଳାବସ୍ତି (ସାଲିଆସାହିର ଅଂଶ) ରହିଛି । ୱାର୍ଡ ନଂ-୧୬ରେ ୫୪୩୭ ଘର ରହିଛି । ଆଦିବାସୀ ଗାଁ, ଜନତାନଗର ଏହି ୱାର୍ଡରେ ଆସୁଛି । ୱାର୍ଡନଂ ୨୧ରେ ୩୪୦୦ ଏବଂ ୨୬ରେ ପାଖାପାଖି ୪୦୦୦ ଅଧିକ ଘର ରହିଛି । ସାଲିଆ ସାହି ବସ୍ତି ସୁରକ୍ଷା ମଞ୍ଚର ଅଞ୍ଜନ ନାଥ କହିଛନ୍ତି, ସାଲିଆସାହିକୁ ଲାଗି ଜଙ୍ଗଲ ଜମିକୁ କିଛି ଅନୁଷ୍ଠାନ ମାଡ଼ି ବସିଛନ୍ତି । ସେମାନଙ୍କ ପଟ୍ଟା ନାହିଁ । ସରକାର ସେଠି ଉଚ୍ଛେଦ କରୁନହାନ୍ତି । ରାସ୍ତା ସିଧା ଯାଇ ପାରିଥାନ୍ତା । ହେଲେ ଏହାକୁ ଅଜଥା ବଙ୍କା କରି ସରକାର ଅଧିକ ପଇସା ଖର୍ଚ୍ଚ କରୁଛନ୍ତି ।
ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ସାଲିଆସାହିରେ ଉଚ୍ଛେଦ ହୋଇଥିବା ସବୁ ବାସିନ୍ଦାଙ୍କୁ ସରକାର ଘର ଯୋଗାଇଦେବେ । ଯେଉଁମାନେ ଘର ଛାଡୁନାହାନ୍ତି ସେମାନଙ୍କୁ କିଛି ଲୋକ ଜାଣିଶୁଣି ବିଭ୍ରାନ୍ତ କରୁଛନ୍ତି । ତାର କାରଣ ହେଲା ସେମାନେ ଏକାଧିକ ଘରକୁ ଭଡ଼ା ସୂତ୍ରରେ ଦେଇଛନ୍ତି । ସେମାନଙ୍କ ଘର କାଳେ ଭାଙ୍ଗିଯିବ ସେ ଭୟରେ ସେମାନେ ସାଧାରଣ ଲୋକଙ୍କୁ ବିଭ୍ରାନ୍ତି କରୁଛନ୍ତି । କିଛି ସ୍ୱଚ୍ଛଳ ବର୍ଗ ଏଭଳି କରୁଛନ୍ତି । ସରକାର ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବେ । ଆଗକୁ ଜବରଦଖଲ ଉଚ୍ଛେଦ ଆହୁରି ଜୋରଦାର କରାଯିବ । ପୂର୍ବ ସରକାର ଅମଳରେ କିଛି ଲୋକ ଘର ନେବା ପରେ ମଧ୍ୟ ରଜନୈତିକ ପତିଆରା ଦେଖାଇ ବସ୍ତିରେ ଜବରଦଖଲ କରିଛନ୍ତି । ସେତେବେଳେ ସରକାର କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ସେମାନଙ୍କୁ ସାହାଯ୍ୟ କରୁଥିଲେ । ଯେଉଁଥିପାଇଁ ଏ ସମସ୍ୟା ଆଜି ଦୁଇ ଗୁଣିତ ହୋଇଛି । ବସ୍ତି ହଟାଯାଇ ସବୁ ଲୋକଙ୍କୁ ଥଇଥାନ କରିବାକୁ ମୋହନ ସରକାର ଯୋଜନା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
