ଭୁବନେଶ୍ୱର, ୧୯/୧୧: ଓଏମସିର ପାଞ୍ଚ ଖଣି କଳିଙ୍ଗ ସେଫ୍ଟି ଏକ୍ସିଲେନ୍ସ ପୁରସ୍କାରରେ ସାମ୍ମାନିତ । ଇନ୍ଷ୍ଟିଚ୍ୟୁଟ୍ ଅଫ୍ କ୍ୱାଲିଟି ଆଣ୍ଡ୍ ଏନଭାଇରନମେଣ୍ଟ ମ୍ୟାନେଜମେଣ୍ଟ ସର୍ଭିସେସ୍ (ଆଇକ୍ୟୁଇଏମଏସ) ଦ୍ୱାରା ଆୟୋଜିତ ୧୬ତମ ଜାତୀୟ ସୁରକ୍ଷା କନ୍କ୍ଲେଭ୍ ୨୦୨୫ରେ ଓଡ଼ିଶା ଖଣି ନିଗମକୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଭୁବନେଶ୍ୱର ଠାରେ ଅନୁଷ୍ଠିତ ଏହି ସମାରୋହରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଓଏମସିର ୫ଟି କାର୍ଯ୍ୟକ୍ଷମ ଖଣିକୁ ବାଚସ୍ପତି ସୁରମା ପାଢୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଚଳିତ ବର୍ଷ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ଏବଂ ସର୍ବୋଚ୍ଚ ସୁରକ୍ଷା ମାନଦଣ୍ଡ ପ୍ରତି ଥିବା ଓଏମସିର ପ୍ରତିବଦ୍ଧତା ପାଇଁ ଏହି ଶୀର୍ଷ ସମ୍ମାନରେ ସମ୍ମାନିତ କରାଯାଇଅଛି । ନିଗମର ରୋଇଡା-ସି ଲୁହାପଥର ଓ ମାଙ୍ଗାନିଜ୍ ଖଣି, କୋଡିଙ୍ଗାମାଳି ବକ୍ସାଇଟ୍ ଖଣି – ଯଥାକ୍ରମେ ପ୍ଲାଟିନମ୍ ପୁରସ୍କାର ଗ୍ରହଣ କରିଥିବା ବେଳେ ଗୁଆଳି ଲୁହାପଥର ଖଣି, ତିରିଙ୍ଗପାହାଡ ଲୁହାପଥର ଖଣି ଏବଂ ଅମ୍ପାବାଲି ଚୂନପଥର ଖଣି ସମ୍ମାନଜନକ ସ୍ୱର୍ଣ୍ଣ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ସୂଚନାଯୋଗ୍ୟ, କଳିଙ୍ଗ ସେଫ୍ଟି ଏକ୍ସିଲେନ୍ସ ପୁରସ୍କାର ଓଡ଼ିଶାର ଖଣି ଏବଂ ଶିଳ୍ପ କ୍ଷେତ୍ରରେ ପ୍ରଦାନ କରାଯାଉଥିବା ସବୁଠାରୁ ସମ୍ମାନଜନକ ମାନ୍ୟତା ମଧ୍ୟରୁ ଅନ୍ୟତମ ।
