ଭୁବନେଶ୍ଵର, ୨୧/୧୧ : ନୂଆଦିଲ୍ଲୀର ଭାରତ ମଣ୍ଡପରେ ଝଟକୁଛି ଓଡ଼ିଶାର କଳା, ସଂସ୍କୃତି। ଓଡ଼ିଶା ପାଭିଲିୟନରେ ପ୍ରଦର୍ଶିତ ଉତ୍ପାଦଗୁଡ଼ିକୁ ମିଳୁଛି ଉତ୍ସାହଜନକ ପ୍ରତିକ୍ରିୟା। ପରିଦର୍ଶକମାନେ ହସ୍ତଶିଳ୍ପ, ହସ୍ତତନ୍ତ ସାମଗ୍ରୀ ଏବଂ ଗ୍ରାମୀଣ ଉତ୍ପାଦ କ୍ରୟ କରିବାରେ ଆଗ୍ରହ ଦେଖାଉଛନ୍ତି। ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ଦରବାରରେ ପ୍ରଚାର କରିବା ପାଇଁ ଏକ ବଡ଼ ମଞ୍ଚ ପାଲଟିଛି। ନଭେମ୍ଵର ୨୨ରେ ପାଳିତ ହେବାକୁ ଓଡ଼ିଶା ରାଜ୍ୟ ଦିବସରେ ରାଜ୍ୟର ସାଂସ୍କୃତିକୁ ଜାତୀୟ ସ୍ତରରେ ଲୋକଲୋଚନକୁ ଅଣାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ରାଜ୍ୟର ସମୃଦ୍ଧ ପରମ୍ପରା, କଳାତ୍ମକ ଉତ୍କର୍ଷତା ଏବଂ ବିକଶିତ ଓଡ଼ିଶା ପାଇଁ ମହତ୍ୱାକାଂକ୍ଷୀ ଦୃଷ୍ଟିକୋଣକୁ ସମ୍ମାନିତ କରିବେ। ଓଡ଼ିଶା ରାଜ୍ୟ ଦିବସରେ ଯୋଡ଼ି ହୋଇ ଓଡ଼ିଶାର ବୈଭବକୁ ଅନୁଭବ କରିବା ପାଇଁ ଆହ୍ଵାନ ଦିଆଯାଇଛି। ସୂଚନା ଥାଉକି, ନୂଆଦିଲ୍ଲୀରେ ୧୪ ନଭେମ୍ବରରେ ଆରମ୍ଭ ହୋଇଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (IITF)ର ଷଷ୍ଠ ଦିନରେ ଓଡ଼ିଶାର ସଂସ୍କୃତି ଏବଂ କାରିଗରିର ଉଜ୍ଜଳ ପ୍ରଦର୍ଶନ ଦେଖିବାକୁ ମିଳିଛି। ଓଡ଼ିଶାର ଖାଦ୍ୟ ଯୋଗାଣ, ଗ୍ରାହକ କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଓଡ଼ିଶା ପାଭିଲିୟନ ପରିଦର୍ଶନ କରିଛନ୍ତି। ରାଜ୍ୟର ଅନନ୍ୟ କଳା, ସଂସ୍କୃତି, ସ୍ଥାପତ୍ୟ, ଐତିହ୍ୟ ଏବଂ ବିକାଶ ସଫଳତା ପ୍ରଦର୍ଶନ କରିବା ପାଇଁ ମନ୍ତ୍ରୀ ମଣ୍ଡପକୁ ପ୍ରଶଂସା କରିଛନ୍ତି। ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ମିଶନ ଶକ୍ତି ସଦସ୍ୟ, ଯୁବ ଉଦ୍ୟୋଗୀ ଏବଂ କାରିଗରମାନଙ୍କ ସହିତ ଆଲୋଚନା କରିଛନ୍ତି। ସେମାନଙ୍କର ଅଭିଜ୍ଞତା, ଚ୍ୟାଲେଞ୍ଜ, ବିକ୍ରୟ ଧାରା, ଭାରତ ଏବଂ ବିଦେଶରୁ ଆସିଥିବା ପରିଦର୍ଶକଙ୍କ ପ୍ରତିକ୍ରିୟା ବିଷୟରେ ପଚାରି ବୁଝିଛନ୍ତି। ସେମାନଙ୍କ ପ୍ରୟାସକୁ ପ୍ରଶଂସା କରି ଓଡ଼ିଶାର ପାରମ୍ପରିକ ହସ୍ତଶିଳ୍ପକୁ ବିଶ୍ୱ ବଜାରରେ ପହଞ୍ଚାଇବା ଏବଂ ରାଜ୍ୟ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିବା ପାଇଁ ସେମାନଙ୍କୁ ପ୍ରଶଂସା କରିଛନ୍ତି। ମଙ୍ଗଳବାର ଦିନ, ପଶ୍ଚିମବଙ୍ଗ ସାଂସଦ ଡୋଲା ସେନଙ୍କ ନେତୃତ୍ୱରେ ବିଭାଗ-ସମ୍ବନ୍ଧୀୟ ସଂସଦୀୟ ସ୍ଥାୟୀ କମିଟିର ସଦସ୍ୟମାନେ ମଧ୍ୟ ମଣ୍ଡପ ପରିଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରେ ପୂର୍ବତନ କ୍ରିକେଟର ଏବଂ ବାହାରମପୁରର ସାଂସଦ ୟୁସୁଫ ପଠାନ, ଯିଏକି ଓଡ଼ିଶା ପାଭିଲିୟନର ଦାୟିତ୍ୱରେ ଅଛନ୍ତି, ଏବଂ ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ ମଧ୍ୟ ଥିଲେ। ସେମାନେ ବିଭିନ୍ନ ଷ୍ଟଲ ବୁଲି କାରିଗର ଏବଂ ବୁଣାକାରମାନଙ୍କ ସହିତ ଆଲୋଚନା କରିଥିଲେ। ମେଳାରେ ଓଡ଼ିଶା ପାଭିଲିୟନ ଏକ ପ୍ରମୁଖ ଆକର୍ଷଣ ଭାବରେ ଉଭା ହୋଇଛି, ହସ୍ତତନ୍ତ ଏବଂ ହସ୍ତଶିଳ୍ପ କାର୍ଯ୍ୟର ଲାଇଭ୍ ପ୍ରଦର୍ଶନ ବହୁ ସଂଖ୍ୟାରେ ଲୋକଙ୍କୁ ଆକର୍ଷିତ କରିଛି। ସାଂସଦ ୟୁସୁଫ ପଠାନ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଥିମ୍ ର ପ୍ରଭାବଶାଳୀ ଚିତ୍ରଣ ପାଇଁ ମଣ୍ଡପର ପ୍ରଶଂସା କରିଥିଲେ। ସାଂସଦ ଅନିତା ଶୁଭଦର୍ଶିନୀ ମହିଳାମାନଙ୍କ ନେତୃତ୍ୱାଧୀନ ଷ୍ଟଲର ଦୃଢ଼ ଉପସ୍ଥିତି ଉପରେ ଆଲୋକପାତ କରିଥିଲେ। ବାଣିଜ୍ୟ ମେଳା ଏବେ ସାଧାରଣ ଲୋକଙ୍କ ପାଇଁ ଖୋଲା ଥିବାରୁ, ଓଡ଼ିଶା ପାଭିଲିୟନରେ ଗ୍ରାହକଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ଯାହା ଫଳରେ ବିକାକିଣାରେ ମଧ୍ୟ ବୃଦ୍ଧି ଘଟିଛି।
