ନୂଆଦିଲ୍ଲୀ, ୭।୧୧: ସୁପ୍ରିମକୋର୍ଟ ଶୁକ୍ରବାର ସାରା ଦେଶରେ ବୁଲା କୁକୁରଙ୍କ ସମସ୍ୟାର ଶୁଣାଣି କରିଥିଲେ । ବିଚାରପତି ବିକ୍ରମ ନାଥ, ସନ୍ଦୀପ ମେହେଟ୍ଟା ଏବଂ ଏନଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଶୁଣାଣି କରିଥିଲେ । ସୁପ୍ରିମକୋର୍ଟ ହାଇୱେ ଏବଂ ଏକ୍ସପ୍ରେସୱେରୁ ବୁଲା ପଶୁମାନଙ୍କୁ ନିଷିଦ୍ଧ କରିଥିଲେ ଏବଂ ସେମାନଙ୍କୁ ତୁରନ୍ତ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜଷ୍ଟିସ୍ ନାଥ କହିଛନ୍ତି ଯେ, ଆଦେଶଟି ତିନୋଟି ଭାଗରେ ଅଛି । ପ୍ରଥମଟି ଅନୁପାଳନ ଉପରେ । ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପରବର୍ତ୍ତୀ ଶୁଣାଣି ପୂର୍ବରୁ ବ୍ୟାପକ ସତ୍ୟପାଠ ଦାଖଲ କରିବେ, ଯେଉଁଥିରେ ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ତ୍ରୁଟିକୁ ଦୂର କରିବା ପାଇଁ ସେମାନେ ନେଇଥିବା ପଦକ୍ଷେପଗୁଡ଼ିକୁ ଉଲ୍ଲେଖ କରାଯିବ । ଏହାକୁ ଗମ୍ଭୀରତାର ସହ ନିଆଯିବ ।
ଜଷ୍ଟିସ୍ ନାଥ କହିଛନ୍ତି ଯେ, ଦ୍ୱିତୀୟ ଆଦେଶ ରାଜସ୍ଥାନ ହାଇକୋର୍ଟଙ୍କ ନିର୍ଦ୍ଦେଶ ସହିତ ଜଡ଼ିତ । ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ, ସମସ୍ତ ରାଜ୍ୟର ନୋଡାଲ ଅଧିକାରୀମାନେ ଜାତୀୟ ରାଜପଥରୁ ବୁଲା ପଶୁମାନଙ୍କୁ ହଟାଇବା ନିଶ୍ଚିତ କରିବେ । ରାଜପଥ, ରାସ୍ତା, ଏକ୍ସପ୍ରେସୱେରେ ମିଳୁଥିବା ଗାଈଗୋରୁଙ୍କ ସମେତ ସମସ୍ତ ପଶୁଙ୍କୁ ତୁରନ୍ତ ହଟାଇବା ପାଇଁ ଏକ ମିଳିତ, ସମନ୍ୱିତ ଅଭିଯାନ ଆରମ୍ଭ କରାଯିବ । ଗୋରୁ ଏବଂ ଅନ୍ୟାନ୍ୟ ପଶୁମାନଙ୍କୁ ସମସ୍ତ ଆବଶ୍ୟକୀୟ ଯତ୍ନ ଯୋଗାଇ ଦିଆଯିବ । ତାଙ୍କ ନିର୍ଦ୍ଦେଶରେ ସେ ଉଲ୍ଲେଖ କରିଛନ୍ତି ଯେ, ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନେ କଡ଼ା ଅନୁପାଳନ ସୁନିଶ୍ଚିତ କରିବେ । ନଚେତ୍, ଅଧିକାରୀମାନେ ବ୍ୟକ୍ତିଗତ ଭାବରେ ଦାୟୀ ରହିବେ । ନିର୍ଦ୍ଦେଶାବଳୀ ପାଳନର ସ୍ଥିତି ସମ୍ପର୍କରେ ଏକ ରିପୋର୍ଟ ୮ ସପ୍ତାହ ମଧ୍ୟରେ ଦାଖଲ କରାଯିବ ।
ସୁପ୍ରିମକୋର୍ଟ କହିଛନ୍ତି ଯେ, ତୃତୀୟ ନିର୍ଦ୍ଦେଶଟି ଅନୁଷ୍ଠାନିକ ସେଟିଂସ୍ ସହିତ ଜଡ଼ିତ । କୁକୁର କାମୁଡ଼ାର ବର୍ଦ୍ଧିତ ଘଟଣା ଦୃଷ୍ଟିରୁ, କୋର୍ଟ ଏସବୁ ନିର୍ଦ୍ଦେଶ ଜାରି କରିବାକୁ ଆବଶ୍ୟକ ମନେ କରୁଛନ୍ତି । ରାଜ୍ୟ ସରକାର କିମ୍ୱା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ୨ ସପ୍ତାହ ମଧ୍ୟରେ ଜିଲ୍ଲା ହସ୍ପିଟାଲ, ସାର୍ବଜନୀନ କ୍ରୀଡ଼ା କମ୍ପ୍ଲେକ୍ସ ଏବଂ ରେଳ ଷ୍ଟେସନ ସମେତ ସମସ୍ତ ସରକାରୀ ପ୍ରତିଷ୍ଠାନଗୁଡ଼ିକ ଚିହ୍ନଟ କରି ସେଠାରେ ବୁଲା କୁକୁରଙ୍କ ପ୍ରବେଶକୁ ରୋକିବା ଲାଗି ଆବଶ୍ୟକତା ଅନୁଯାୟୀ ପରିସରଗୁଡ଼ିକୁ ପର୍ଯ୍ୟାପ୍ତ ବାଡ଼ ବୁଜିବା ଉଚିତ୍ । ଅନୁଷ୍ଠାନ ପରିଚାଳନା କ୍ଷେତ୍ରର ରକ୍ଷଣାବେକ୍ଷଣ ପାଇଁ ଜଣେ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ କରିବା ଆବଶ୍ୟକ । ସ୍ଥାନୀୟ ପୌର କର୍ତ୍ତୃପକ୍ଷ ଏପରି ସମସ୍ତ ପରିସରର ନିୟମିତ ଯାଞ୍ଚ କରିବେ, ଯାହା ଦ୍ୱାରା ନିଶ୍ଚିତ ହେବ ଯେ ସେଠାରେ କୌଣସି ବୁଲା କୁକୁର ନାହାନ୍ତି । ପ୍ରତ୍ୟେକ ବୁଲା କୁକୁରକୁ ତୁରନ୍ତ ଏପରି ପରିସରରୁ ବାହାର କରିଦିଆଯିବା ଉଚିତ୍ ଏବଂ ବନ୍ଧ୍ୟାକରଣ ପରେ ଏକ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯିବା ଉଚିତ୍ । ବୁଲା କୁକୁରମାନଙ୍କୁ ଯେଉଁ ଅଞ୍ଚଳରୁ ଉଠାଇ ନିଆଯାଇଥିଲା ସେଠାରେ ଛାଡ଼ିବା ଉଚିତ୍ ନୁହେଁ ।
