ଭୁବନେଶ୍ବର, ୦୭/୧୧: ଆଗକୁ ପଞ୍ଚାୟତ ନିର୍ବାଚନ, ମୋହନ ସରକାରଙ୍କ ଫୋସକରେ ଗ୍ରାମାଞ୍ଚଳ । ଗାଁକୁ ପକ୍କା ସଡ଼କ ସହ ପିଇବା ପାଣି ଏବଂ ବିଜୁଳି ସମସ୍ୟାର ସମାଧାନ ପାଇଁ ଆରମ୍ଭ ହେବାକୁ ଯାଉଛି ‘ମିଶନ ପାଓ୍ବାର’ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏହାର ଏକ ସଂକଳ୍ପ ଚିଠା ପ୍ରସ୍ତୁତ କରାଯାଇଛି । ଧାର୍ଯ୍ୟ ସମୟ ଅବଧି ଭିତରେ ଖସଡ଼ା ପ୍ରସ୍ତୁତ କରିବାକୁ ମଧ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଆସନ୍ତା ୨୦ ତାରିଖରେ ପଞ୍ଚାୟତିରାଜ ମନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହେବ । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ନୂଆ ଯୋଜନା ଜରିଆରେ ରାଜ୍ୟ ସରକାର ଏବେ ଠାରୁ ବ୍ଲୁ-ପ୍ରଣ୍ଟି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି । ଗାଁରେ ରହୁଥିବା ଅନେକ ଲୋକେ ମୌଳିକ ସୁବିଧା ତଥା ରାସ୍ତା, ପାନୀୟଜଳ ଓ ବିଜୁଳି ସୁବିଧାରୁ ବଞ୍ଚିତ ହୋଇଛନ୍ତି । ଭଲ ପକ୍କା ସଡ଼କ ଖଣ୍ଡେ ନଥିବାରୁ ଅନେକ ସମୟରେ ଗାଁରୁ ଆମ୍ବୁଲାନ୍ସ ଆସିପାରୁନାହିଁ । ଏମିତି ବି ଅନେକ ଗାଁ ରହିଛି, ଯେଉଁଠି ଏଯାଏଁ ବିଜୁଳି ସଂଯୋଗ ହୋଇପାରିନାହିଁ । ସେହିପରି ଅଧିକାଂଶ ଗାଁରେ ଏବେ ବି ବିଶୁଦ୍ଧ ପାନୀୟ ଜଳ ସୁବିଧା ଉପଲବ୍ଧ ହୋଇ ପାରନାହିଁ । ପୂର୍ବ ସରକାର ସମୟରେ ଅର୍ଥାତ୍ ୨୦୨୨ ମସିହା ସୁଦ୍ଧା ସବୁ ଘରକୁ ପାଇପ୍ ପାଣି ଯୋଗାଇ ଦେବା ଲାଗି ପ୍ରତିଶ୍ରୁତି ମିଳିଥିଲା । ମାତ୍ର ସେ ପ୍ରସ୍ତୁତି ପୂରଣ ହୋଇନାହିଁ ବା ବିଫଳ ହୋଇଛି । ସୂଚନା ଅନୁଯାୟୀ, ବର୍ତ୍ତମାନ ସମୟରେ ଯେଉଁ ଗତିରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଚାଲୁଛି, ତାହା ୨୦୨୬ ମସିହା ଧର୍ଯ୍ୟ ସମୟସୀମା ଭିତରେ ପୂରଣ ହୋଇପାରିବ ନାହିଁ । ତେଣୁ ଗ୍ରାମାଞ୍ଚଳ ମାନଙ୍କରେ ରହୁଥିବା ଲୋକଙ୍କୁ ଏହି ୩ ପ୍ରକାରର ମୌଳିକ ସୁବିଧା ତଥା ରାସ୍ତା, ବିଜୁଳି ଓ ପାନୀୟ ଜଳ ଯୋଗାଇ ଦେବାକୁ ‘ମିଶନ୍ ପାୱାର’ ଗଠନ କରାଯିବ। ସ୍ପିଡ୍, ସ୍କେଲ୍ ଓ ଷ୍ଟାଣ୍ଡାର୍ଡ ନୀତିକୁ ନେଇ ମିଶନ୍ ମୋଡ୍ରେ ଏହା କାର୍ଯ୍ୟ ହେବ । ୨୦୨୭ ସୁଦ୍ଧା ସବୁ ଗାଁକୁ ସଡ଼କ, ପାନୀୟ ଜଳ ଓ ବିଜୁଳି ସଂଯୋଗ ପାଇଁ ଖସଡ଼ା ପ୍ରସ୍ତୁତ ହେବ । ଏହି କାର୍ଯ୍ୟ ବାସ୍ତବତା ରୂପ ନେବା ପାଇଁ ଡିସେମ୍ବର ଶେଷ ସୁଦ୍ଧା ଏକ ସମୟସୀମା ଧାର୍ଯ୍ୟ କରାଯିବ । ଯୋଜନା ମିଶନ୍ ମୋଡ୍ରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖାଯାଇଥିବାରୁ, ଏଥିପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯିବ । ମିଶନ୍ର ଏକ ସ୍ବତନ୍ତ୍ର କାର୍ଯ୍ୟାଳୟ ରହିବ ଓ ବିଭିନ୍ନ ବିଭାଗର କର୍ମଚାରୀ ଏଥିରେ କାର୍ଯ୍ୟ କରିବେ। ଆବଶ୍ୟକ ପଡ଼ିଲେ ବିଶେଷଜ୍ଞ, ପରାମର୍ଶଦାତାଙ୍କୁ ମଧ୍ୟ ନିଯୁକ୍ତି ହେବେ ।
ଯୋଜନା ଆରମ୍ଭରୁ ଜିଲ୍ଲାପାଳମାନେ ଏହି ତିନି ପ୍ରକାରର ସୁବିଧା ନଥିବା ଗାଁ ଗୁଡ଼ିକର ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବେ। ଏଥିରେ ରାସ୍ତା ନଥିବା ଗାଁକୁ ଆମ୍ବୁଲାନ୍ସ ପଏଣ୍ଟରୁ ଗାଁ ପର୍ଯ୍ୟନ୍ତ ପହଞ୍ଚିବା ଲାଗି କେତେ ଲମ୍ବା ରାସ୍ତାର ଆବଶ୍ୟକତା ରହିଛି ତାହା ଉଲ୍ଲେଖ କରିବେ। ପାଞ୍ଚାୟତଓ୍ବାରି ଏହାର ମ୍ୟାପିଂ କରାଯିବ। ଫଳରେ ରାସ୍ତାର ବାସ୍ତବ ସ୍ଥିତି, କେତେ ବଜେଟ୍ ଆବଶ୍ୟକ ପଡ଼ିବ, ଉପଲବ୍ଧ ମାନବ ସମ୍ବଳ ଓ କାର୍ଯ୍ୟ ଶେଷ ହେବା ପାଇଁ କେତେ ସମୟ ଲାଗିବ ତାହାର ପ୍ରକୃତ ଚିତ୍ର ମିଳିପାରିବ । ସମାନ ଢଙ୍ଗରେ ବିଜୁଳି ଓ ପାନୀୟ ଜଳ ପାଇଁ ବ୍ୟୟ ଅଟକଳ ପ୍ରସ୍ତୁତ ହେବ । ନଭେମ୍ବର ଶେଷ ସୁଦ୍ଧା ଏହି ୩ଟି ମୌଳିକ ସୁବିଧା ସଂପର୍କରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳମାନେ ରିପୋର୍ଟ ଦେବା ପରେ ସମସ୍ତ ଜିଲ୍ଲାପାଳ, ପାନୀୟଜଳ, ରାସ୍ତା ଓ ବିଜୁଳି ବିଭାଗର ନିର୍ବାହୀଯନ୍ତ୍ରୀଙ୍କୁ ନେଇ ଏକ ଜଏଣ୍ଟ ମିଟିଂ ହେବ । ଆବଶ୍ୟକ ପଡ଼ିଲେ ଅତିରିକ୍ତ ବଜେଟ୍ ମଧ୍ୟ ପ୍ରଦାନ କରାଯିବ ନେଇ ସୂଚନା ରହିଛି ।
