କଟକ,୬/୧୧ : ରାୟଗଡ଼ା ପୌର ଉପାଧ୍ଯକ୍ଷାଙ୍କ ବିରୋଧରେ ଆଗତ ଅନାସ୍ଥା ଭୋଟ ଗଣତି ପାଇଁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ପୂର୍ବ ଭଳି ଅଦାଲତଙ୍କ ଅନୁମତି ବିନା ଏହି ଫଳ ପ୍ରକାଶ ପାଇବ ନାହିଁ ବୋଲି ହାଇକୋର୍ଟ ଆଜି ଅନ୍ତରୀଣ ଆଦେଶରେ ସ୍ପଷ୍ଟ କରିଛନ୍ତି । ରାୟଗଡ଼ା ଉପାଧ୍ଯକ୍ଷା ଶୁଭ୍ର ପଣ୍ଡାଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ରାଧାକୃଷ୍ଣ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ହାଇକୋର୍ଟ ଆସନ୍ତା ୧୧ତାରିଖକୁ ମାମଲାର ପରବର୍ତ୍ତି ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଛି ।
ରାୟଗଡ଼ା ପୌର ଉପାଧ୍ଯକ୍ଷଙ୍କ ବିରୋଧରେ ଅନାସ୍ଥା ପାଇଁ ନୋଟିସ୍ କରାଯାଇଥିଲା । ଏହି ଅନାସ୍ଥାକୁ ଚ୍ୟାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ପୂର୍ବ ଶୁଣାଣିରେ ଆବେଦନକାରିଣୀଙ୍କ ବିରୋଧରେ ଅନାସ୍ଥା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ ଅଙ୍କୁଶ ଲଗାଇବାକୁ ମନା କରି ଦେଇଥିଲେ । କିନ୍ତୁ ଅଦାଲତଙ୍କ ଅନୁମତି ବିନା ଏହି ଫଳ ପ୍ରକାଶ ପାଇପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି ।
