ରାଉରକେଲା : ଦେହରେ ଖାକି ପୋଷାକ । କାଖରେ ୫ ମାସର ଝିଅ । ମାତୃତ୍ୱ ଆଗରେ ଫିକା ପଡ଼ିନି ଦାୟିତ୍ୱ । କୁନି ଝିଅ ପାଖରେ ମା’ ଏବଂ ପୁଲିସ୍ ବିଭାଗରେ ଦାୟିତ୍ୱବାନ୍ ହୋମଗାର୍ଡ ଭାବେ ନିଷ୍ଠାରେ ନିଭାଉଛନ୍ତି ଦାୟିତ୍ୱ । ରାଉରକେଲା ପୁଲିସ୍ ପ୍ରଶାସନର ଦାୟିତ୍ୱ ସମ୍ପନ୍ନ ହୋମଗାର୍ଡ ଆଶା ତିଗାଙ୍କ ଏଭଳି କର୍ତ୍ତବ୍ୟ ପରାୟଣତାକୁ ନେଇ ଏବେ ସବୁଠି ଚର୍ଚ୍ଚା । ରିଂରୋଡ୍ର ସ୍ପେସ୍ ଛକସ୍ଥିତ ଏୟାରପୋର୍ଟ ଏଡ୍ପୋଷ୍ଟ ଉପରେ ହୋମଗାର୍ଡ ଆଶା କୁନି ଝିଅକୁ କାଖେଇ ଡ୍ୟୁଟି କରୁଛନ୍ତି । ପାଖକୁ ଯାଇ ପଚାରିବା ବେଳେ ହସହସ ମୁହଁରେ ସେ ବଖାଣିଥିଲେ ତାଙ୍କ ଜୀବନ କାହାଣୀ ।
୨୦୧୭ରୁ ହୋମଗାର୍ଡ ଚାକିରି କରି ଆସୁଛନ୍ତି ଆଶା । ଛେଣ୍ଡ ଥାନା ଅନ୍ତର୍ଗତ ପ୍ରଧାନପାଲିରେ ପରିବାର ସହିତ ରହୁଛନ୍ତି । ସ୍ୱାମୀ ବସନ୍ତ କିସାନ ଜଣେ ଗାଡ଼ି ଚାଳକ । ପ୍ରାୟ ୧୫ଦିନ ତଳେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ତାଙ୍କର ଗୋଡ଼ ଭାଙ୍ଗିଯାଇଛି । ଆଉ କାମକୁ ଯାଇପାରୁ ନାହାନ୍ତି । ଆଶାଙ୍କ ଦୁଇଟି ଝିଅ । ବଡ଼ଝିଅ ପଞ୍ଚମ ଶ୍ରେଣୀରେ ପଢୁଛି । ସାନଝିଅକୁ ମାତ୍ର ୫ମାସ । ଗତ ଜୁଲାଇରୁ ଆଶା ଏୟାରପୋର୍ଟ ଏଡ୍ପୋଷ୍ଟରେ ପୋଷ୍ଟିଂ ପାଇଛନ୍ତି । ପ୍ରତିଦିନ ସକାଳ ୬ରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ସେଠାରେ ସେ ଡ୍ୟୁଟି କରୁଛନ୍ତି । ଡ୍ୟୁଟିକୁ ଆସିବା ପୂର୍ବରୁ ସ୍ୱାମୀ ଓ ବଡ଼ଝିଅର ସବୁ କଥା ବୁଝନ୍ତି । ସକାଳ ଜଳଖିଆ ପ୍ରସ୍ତୁତ କରନ୍ତି । ୫ମାସର ସାନଝିଅକୁ କେହି ରଖିବାକୁ ନଥିବାରୁ ଡ୍ୟୁଟି ଆସିବା ସମୟରେ ସାଙ୍ଗରେ ନେଇ ଆସିଥାନ୍ତି ଆଶା । ଝିଅକୁ କାଖେଇ ଡ୍ୟୁଟି କରିଥାନ୍ତି । ଆଡ୍ପୋଷ୍ଟରେ ଡ୍ୟୁଟି କରୁଥିବା ସମୟରେ ଯଦି ରାସ୍ତାରେ କୌଣସି ଅଘଟଣ ଘଟେ, ତେବେ କିଭଳି ଦାୟିତ୍ୱ ତୁଲାନ୍ତି ବୋଲି ପ୍ରଶ୍ନରେ ଆଶା କହିଛନ୍ତି, ଖାକି ପୋଷାକ ପିନ୍ଧିଛି । ତେଣୁ କର୍ତ୍ତବ୍ୟକୁ ଆଗ ଦେଖିଥାଏ । ଝିଅକୁ ଏଡ୍ପୋଷ୍ଟର ଚଟାଣରେ ଶୁଆଇ ଦେଇ ଆଗ ଘଟଣାସ୍ଥଳକୁ ଧାଇଁଥାଏ । ଥାନାକୁ ଖବର ଦେବା ସହିତ ଆହତ ଓ ଗୁରୁତରଙ୍କୁ ପ୍ରାଥମିକ ସେବା ଯୋଗାଇ ଦେଇଥାଏ । ରାଉରକେଲା ପୁଲିସ୍ ପ୍ରଶାସନର ଜଣେ ଦାୟିତ୍ୱ ସମ୍ପନ୍ନ ହୋମଗାର୍ଡ ଆଶାଙ୍କ ଏଭଳି ନିଷ୍ଠାକୁ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି ।
