କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ପଡେ ଅଁଳା ନବମୀ । ଅଁଳା ନବମମୀକୁ ଅକ୍ଷୟ ନବମୀ ମଧ୍ୟ କୁହାଯାଏ। ଏହା ପ୍ରକ୍ରୁତିକୁ କୃତଜ୍ଞତା ଜ୍ଞାପନ କରିବା ଭାରତୀୟ ସଂସ୍କୃତିର ପର୍ବ ଅଟେ।ଏହି ଦିନ ଅଁଳା ଗଛର ପୂଜା କରାଯାଏ । ଏହି ଦିନ ଅଁଳା ଗଛ ତଳେ ପୂଜା କରିବା ଏବଂ ଭୋଜନ କରିବା ଦ୍ୱାରା ରୋଗ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । କୁହାଯାଏ ଯେ ଏହି ଦିନରେ କରାଯାଇଥିବା ତପ, ଜପ, ଦାନ ଇତ୍ୟାଦି ବ୍ୟକ୍ତିଙ୍କୁ ସମସ୍ତ ପାପରୁ ମୁକ୍ତି କରିଥାଏ। ଏହା ସହିତ ସମସ୍ତ ମନଷ୍କାମନା ପୁର୍ଣ୍ଣ ହୋଇଥାଏ ବୋଲି ମଧ୍ୟ କୁହାଯାଏ। ମହିଳାମାନେ ସନ୍ତାନ ପ୍ରାପ୍ତି ଏବଂ ସନ୍ତାନଙ୍କ ମଙ୍ଗଳ କାମନା କରି ଅଁଳା ଗଛର ପୂଜା କରିଥାନ୍ତି ।ଧାର୍ମିକ ମାନ୍ୟତା ଅନୁସାରେ ଅକ୍ଷୟ ନବମୀରେ ଅଁଳା ଗଛରେ ଭଗବାନ ବିଷ୍ଣୁ ଏବଂ ଭଗବାନ ଶିବଙ୍କର ନିବାସ ରହିଥାଏ। ଶାସ୍ତ୍ର ଅନୁସାରେ ଅକ୍ଷୟ ନବମୀ ଦିନରେ କରାଯାଇଥିବା ପୁଣ୍ଣ୍ୟ କେବେବି ସମାପ୍ତ ହୋଇନଥାଏ।
ପୁରାଣ ଅନୁସାରେ ଏକଦା ଲକ୍ଷ୍ମୀ ଏବଂ ପାର୍ବତୀ ଭଗବାନଙ୍କୁ ଉପାସନା ଲାଗି ଏକ ନୂତନ ଦ୍ରବ୍ୟର ସନ୍ଧାନ କରୁକରୁ ଉଭୟଙ୍କ ଚକ୍ଷୁରୁ ଲୋତକ ବହି ପଡ଼ିଲା । ଉଭୟଙ୍କ ଅଶ୍ରୁ ଆନନ୍ଦାଶୁ ଥିବାରୁ ଏହା ଅଁଳା ବୃକ୍ଷରୂପେ ଜନ୍ମ ନେଇ ସବୁ ଦେବତାଙ୍କ ପ୍ରିୟ ହୋଇଥିଲା । ସେହିଦିନଟି ଥିଲା କାର୍ତ୍ତିକ ମାସର ଶୁକ୍ଳ ନବମୀ । ଏଣୁ ଏହି ଦିବସଟି ଅଁଳା ନବମୀ ଭାବରେ ପରିଚିତ । ପୁଣି ପଦ୍ମପୁରାଣର ବର୍ଣ୍ଣନାନୁସାରେ ଜଳନ୍ଧର ବଧ ପରେ ଶିବ ଧାନସ୍ଥ ହୋଇଥିଲେ , ଫଳରେ ଆଦିଶକ୍ତିଙ୍କ ଆବିର୍ଭାବ ଘଟିଲା ଓ ତାଙ୍କ ରଜଗୁଣା ସରସ୍ବତୀଙ୍କ ଅଂଶରୁ ଧାତ୍ରୀ ବା ଅଁଳା ବୃକ୍ଷର ଉତ୍ପତ୍ତି ଘଟିଥିଲା ।
ସେହିପରି ଅନ୍ୟ ଏକ କଥାନୁସାରେ ଲକ୍ଷ୍ମୀ ଓ ପାର୍ବତୀ ଏକଦା ଏକ ଭୋଜି ଉତ୍ସବରେ ଭୋଜନ ବଢା ଯିବାବେଳେ ପାର୍ବତୀ ବେଲପତ୍ର ଓ ଲକ୍ଷ୍ମୀ ତୁଳସୀ ପତ୍ର ନେଇନଥିଲେ । ଏଣୁ ନାରଦଙ୍କ ପରାମର୍ଶ ଅନୁସାରେ ବେଲ ଓ ତୁଳସୀ ଉଭୟଙ୍କ ଗୁଣ ଥିବା ଅଁଳାଫଳଦ୍ଵାରା ଭୋଜନ କାର୍ଯ୍ୟ ସମାପନ କରି ଶ୍ରୀବିଷ୍ଣୁଙ୍କୁ ତୁଷ୍ଟ କରିଥିଲେ । କୁହାଯାଏ ଯେ , ସମୁଦ୍ର ମନ୍ଥନରୁ ବାହାରିଥିବା ୧୪ଟି ମୁଖ୍ୟ ବସ୍ତୁ ଲକ୍ଷ୍ମୀ , ଧନ୍ବନ୍ତରୀ , ଅମୃତ , ଉଚୈଶ୍ରବା , ଅଶ୍ୱ , ଐରାବତ ହସ୍ତୀ , ପାରିଜାତ ପୁଷ୍ପ , କୌସ୍ତଭ ମଣି , ସୁଦର୍ଶନ ଚକ୍ର , ବିଷ ପ୍ରଭୃତି ଉତ୍ପତ୍ତି ପରେ ଶେଷକୁ ଯେଉଁସବୁ ପଦାର୍ଥମାନ ରହିଥିଲା , ତାହା କ୍ରମେ ଅଁଳାବୃକ୍ଷ ହୋଇ ଜନ୍ମ ନେଇଥିଲା । ଏହି ମହାନ ବୃକ୍ଷ ମୂଳରେ ନବମୀ ବ୍ରତ କରିବା ବିହିତ ।
କାଶୀନଗରରେ ଜଣେ ନିଃସନ୍ତାନ ବୈଶ୍ୟ ଧର୍ମାତ୍ମା ରହୁଥିଲେ । ବୈଶ୍ୟଙ୍କ ପତ୍ନୀଙ୍କୁ ତାଙ୍କର ଜଣେ ପଡୋଶୀ କହିଲେ ଯଦି ଭୈରବଙ୍କୁ ସେ ଏକ ବାଳକର ବଳି ଦେବେ ତାହେଲେ ତାଙ୍କର ପୁତ୍ର ପ୍ରାପ୍ତି ହେବ ।ଏହି କଥା ବୈଶ୍ୟଙ୍କୁ ଜଣାପଡିବା ପରେ ସେ ମନା କରିଦେଇଥିଲେ । କିନ୍ତୁ ବୈଶ୍ୟଙ୍କ ପତ୍ନୀ ଏହି ମୌକା ଖୋଜୁଥିଲେ ।
ଦିନେ ବୈଶ୍ୟଙ୍କ ପତ୍ନୀ ଜଣେ କନ୍ୟାଙ୍କୁ କୂଅରେ ଧକ୍କା ଦେଇ ଭୈରବଙ୍କ ନାଁରେ ବଳି ଦେଇଦେଲେ ।ତେବେ ଏହି ହତ୍ୟାର ପରିଣାମ ଓଲଟା ହୋଇଥିଲା । ହତ୍ୟା ଯୋଗୁଁ ବୈଶ୍ୟଙ୍କ ପତ୍ନୀଙ୍କ ଦେହ ଖରାପ ହୋଇଗଲା ଏବଂ ସେହି କନ୍ୟାର ଆତ୍ମା ତାଙ୍କୁ ସବୁବେଳେ ହଇରାଣ କଲା ।ବୈଶ୍ୟ ପଚାରିବାରୁ ପତ୍ନୀ ସମସ୍ତ ଘଟଣା ବିଷୟରେ ତାଙ୍କୁ କହିଥିଲେ । ସମସ୍ତ ଘଟଣା ଶୁଣି ବୈଶ୍ୟ କହିଲେ, ଗୋବଧ, ବ୍ରାହ୍ମଣ ବଧ ତଥା ନାବାଳକ ବଧ କରିଥିବା ବ୍ୟକ୍ତିଙ୍କ ପାଇଁ ଏହି ସଂସାରରେ କେଉଁଠି ବି ସ୍ଥାନ ନାହିଁ । ଗଙ୍ଗାରେ ଯାଇ ସ୍ନାନ କରି ଭଗବାନଙ୍କ ଭଜନ କରିବା ଦ୍ୱାରା ତାଙ୍କର ପାପର ପ୍ରାୟଶ୍ଚିତ ହେବ ବୋଲି ସେ ପତ୍ନୀଙ୍କୁ କହିଥିଲେ ।ତେବେ ବୈଶ୍ୟଙ୍କ ପତ୍ନୀ ପଶ୍ଚାତାପ କରି ପାପ ଧୋଇବା ପାଇଁ ଗଙ୍ଗା ଗଲେ ।ଗଙ୍ଗା ମା ତାଙ୍କୁ କାର୍ତ୍ତିକ ଶୁକ୍ଳ ପକ୍ଷ ତିଥିରେ ଅଁଳା ଗଛର ପୂଜା କରିବା ସହ ଅଁଳା ସେବନ କରିବା ପାଇଁ କହିଥିଲେ । ଗଙ୍ଗା ମାଙ୍କ କହିବାନୁଯାୟୀ ବୈଶ୍ୟଙ୍କ ପତ୍ନୀ ଅଁଳା ଗଛର ପୂଜା କରି ଅଁଳା ସେବନ କରିବା ଦ୍ୱାରା ତାଙ୍କ ଶରୀର ରୋଗମୁକ୍ତ ହୋଇଥିଲା ।ଏହି ପୂଜା କରିବା ଦ୍ୱାରା କିଛି ଦିନ ପରେ ତାଙ୍କର ପୁତ୍ର ମଧ୍ୟ ଜନ୍ମ ହୋଇଥିଲା । ସେହିଦିନ ଠାରୁ ହିନ୍ଦୁ ପରମ୍ପରାରେ ଅଁଳା ନବମୀରେ ଅଁଳା ଗଛକୁ ପୂଜା କରିବା ବିଧି ଚାଲିଆସିଛି
ଅଁଳା ନବମୀରେ ଅଁଳା ଗଛ ତଳେ ବଟା ଅଅଁଳାରେ ଭଗବାନ୍ ବିଷ୍ଣୁଙ୍କର ପ୍ରତିମାକୁ ସ୍ନାନ କରାଯାଏ । ଓଡ଼ିଆ ପରମ୍ପରାରେ ଏହି ସ୍ନାନକାର୍ଯ୍ୟ ଅଁଳା ନବମୀରୁ କାର୍ତ୍ତିକ ମାସ ଶେଷ ପର୍ଯ୍ୟନ୍ତ ଚାଲେ । ହବିଷିଆଳୀମାନେ ଏହିଦିନ ଅଁଳାଗଛ ମୂଳରେ ହବିଷ୍ୟାନ୍ନ ରାନ୍ଧନ୍ତି ଓ ବୃକ୍ଷ ଚାରିପଟେ ପ୍ରଦକ୍ଷଣ କରିଥାନ୍ତି
ବ୍ରହ୍ମବୈବର୍ତ୍ତ ପୁରାଣ ଅନୁସାରେ ନବମୀ ଦିନ ସ୍ନାନାଦି କର୍ମ କାଳରେ ଜଳ , ଅକ୍ଷତ , ପୁଷ୍ପ ଆଦି ଗ୍ରହଣ କରି ବ୍ରତର ସଂକଳ୍ପ କରିବା ସହ ‘ ଓଁ ଧାତ୍ରୈ ନମଃ ’ ମନ୍ତ୍ରରେ ଆବାହନ ପୂର୍ବକ ଷୋଡ଼ଶ ଉପଚାରରେ ପୂଜା କରାଯାଏ । ପୂଜା ଶେଷରେ କର୍ପୂର ଓ ଘିଅ ଦୀପରେ ଆଳତି ବନ୍ଦାପନା କରି ବୃକ୍ଷକୁ ପ୍ରଦକ୍ଷିଣ କରାଯାଏ । ତତ୍ପରେ ବ୍ରାହ୍ମଣଙ୍କୁ ଭୋଜନ ଏବଂ ଦକ୍ଷିଣା ପ୍ରଦାନ କରି ବ୍ରତୀ ପ୍ରସାଦ ସେବନ କରେ ।
ll ଆଜିର ପୂଜା ବିଧି ll
୧. ମହିଳାମାନେ ସ୍ନାନ କରି ଅଁଳା ଗଛ ତଳେ ସଫାସଫି କରି ଅଁଳା ଗଛ ମୂଳରେ ଶୁଦ୍ଧ ଜଳ ସମର୍ପଣ କରିବେ । ଏହାପରେ ଗଛ ମୂଳେରେ କଞ୍ଚା କ୍ଷୀର ଢାଳି ପୂଜା କରିବେ ।
୨. ଏହା ପରେ ନାଲି ସୁତା ଧରି ୮ଥର ଅଁଳା ଗଛର ପରିକ୍ରମା କରିବେ ଏବଂ ଏହି ସୁତାକୁ ଗଛରେ ଗୁଡ଼େଇବେ । କେହି କେହି ୧୦୮ ଥର ମଧ୍ୟ ପରିକ୍ରମା କରିଥାନ୍ତି ।
୩. ଏହାପରେ ଗଛ ତଳେ ପୂଜାର୍ଚନା ସାରି ସନ୍ତାନଙ୍କ ମଙ୍ଗଳ କାମନା କରି ଭୋଜନ କରନ୍ତି।
ପୁରାଣ ଅନୁସାରେ ଏହି ପବିତ୍ର ଫଳ ଭଗବାନ ଶ୍ରୀ ବିଷ୍ଣୁଙ୍କୁ ପ୍ରସନ୍ନ କରିବାରେ ଶୁଭ ବୋଲି ଧରାଯାଏ। ଏହାର ଭକ୍ଷଣ ପରେ ମନୁଷ୍ୟ ସବୁ ପାପରୁ ମୁକ୍ତ ହୋଇଯାଇଥାଏ ବୋଲି କୁହାଯାଏ। ଅଁଳା ଖାଇବା ଦ୍ବାରା ଆୟୁଷ ବଢ଼ିଥାଏ। ଏହି ଫଳର ରସକୁ ପିଇବା ଦ୍ବାରା ଧର୍ମ-ସଞ୍ଚୟ ହୋଇଥାଏ। ଅଁଳା ଜଳରେ ସ୍ନାନ କରିବା ଦ୍ବାରା ଦାରିଦ୍ରତା ଦୂର ହୋଇଥାଏ। ଏହା ସହିତ ଏୈଶ୍ବର୍ୟ୍ୟ ପ୍ରାପ୍ତ ହୋଇଥାଏ।ଅଁଳାର ଦର୍ଶନ, ସ୍ପର୍ଶ ତଥା ଏହାର ନାମ ଉଚ୍ଚାରଣ କରିବା ଦ୍ବାରା ବରଦାୟକ ଶ୍ରୀ ବିଷ୍ଣୁ ଅନୁକୂଳ ହୋଇଯାନ୍ତି। ଯେଉଁଠି ଅଁଳାର ଫଳ ରହିଥାଏ, ସେଠାରେ ଭଗବାନ ଶ୍ରୀ ବିଷ୍ଣୁ ସବର୍ଦା ବିରାଜମାନ ରହିଥାନ୍ତି। ଏହା ସହିତ ବ୍ରହ୍ମା ଏବଂ ଲକ୍ଷ୍ମୀଙ୍କର ବାସ ମଧ୍ୟ ହୋଇଥାଏ। ଏଥିପାଇଁ ନିଜ ଘରେ ଅଁଳା ଅବଶ୍ୟ ରଖିବା ଉଚିତ। ହିନ୍ଦୁ ପରମ୍ପରା ଅନୁସାରେ ଯେଉଁ ବୃକ୍ଷର ଔଷଧୀୟ ଗୁଣ ରହିଛି ସେହି ସବୁ ବୃକ୍ଷକୁ ବିଶେଷ ତିଥିରେ ପୂଜା କରିବାର ବିଧି ରହିଛି । ଅଁଳା ନବମୀ ଏହିଭଳି ଏକ ପରମ୍ପରାର ଅଂଶ । ଚିକିତ୍ସା ବିଜ୍ଞାନ ଅନୁସାରେ ଅଁଳାର ବହୁତ ଔଷଧୀୟ ଗୁଣ ରହିଛି । ଅଁଳାରେ ଆଇରନ ଏବଂ ଭିଟାମିନ-ସି ଭରପୁର ରହିଛି । ପ୍ରତିଦିନ ଅଁଳା ରସ ପିଇଲେ ପାଚକ ଶକ୍ତି ବୃଦ୍ଧି ପାଇଥାଏ , ତ୍ୱଚାର ଚମକ ମଧ୍ୟ ବଢିଥାଏ । ଅଁଳା ଖାଇଲେ ଚୁଟିର ମଧ୍ୟ ଚମକ ବଢିଥାଏ ।
