ଭୁବନେଶ୍ୱର, ୨୩/୧୦: ଆସନ୍ତା ନଭେମ୍ୱର ୧୦ ଓ ୧୧ ତାରିଖରେ ଅନ୍ତର୍ଜାତୀୟ ଶ୍ରୀଅନ୍ନ ସମ୍ମିଳନୀ ଅନୁଷ୍ଠିତ ହେବ । ତେବେ ଚଳିତବର୍ଷ ସମ୍ମିଳନୀର ଶୀର୍ଷକ ରହିଛି “ଅନ୍ତର୍ଜାତୀୟ ଶ୍ରୀଅନ୍ନ ସମ୍ମିଳନୀ ଓ କୃଷି ଐତିହ୍ୟରେ ମହିଳାଙ୍କ ଭାଗିଦାରୀ’ । ଚଳିତ ଥର ମହିଳା ଚାଷୀଙ୍କ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ ହେବ । ଏ ନେଇ ବୁଧବାର କୃଷି ବିଭାଗ ମନିଟରିଂ କମିଟିର ବୈଠକ ବିଭାଗୀୟ ପ୍ରମୁଖ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇଦିନିଆ ଅନ୍ତର୍ଜାତୀୟ ଶ୍ରୀଅନ୍ନ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବେ । ଉଦଯାପନୀ ସମାରୋହରେ ରାଜ୍ୟପାଳ ଯୋଗ ଦେବେ । ଦେଶ ବିଦେଶରୁ ବହୁ କୃଷିବିତ୍, ବୈଜ୍ଞାନିକ, ମହିଳା କୃଷି ଉଦ୍ୟୋଗୀ, ଏନଜିଓ, ଏଫପିଓ, ଅନ୍ତର୍ଜାତୀୟ ସଂସ୍ଥାର ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେବେ । ବହୁ ସଂଖ୍ୟକ ଚାଷୀ, ଉଦ୍ୟୋଗୀ, ଛାତ୍ରଛାତ୍ରୀ ମଧ୍ୟ ଏଥିରେ ଭାଗ ନେବେ । ତେବେ ଚଳିତବର୍ଷର ମାସ୍କଟ ମିଲି ମଧ୍ୟ ମୟୁରଭଞ୍ଜର ପ୍ରଖ୍ୟାତ ଫୁଟା ଶାଢ଼ୀ ପିନ୍ଧିବେ । ବୈଠକରେ କୃଷି ନିର୍ଦ୍ଦେଶକ ଶୁଭମ ସକ୍ସେନା, ଓୟୁଏଟି ଡିନ ୍ଡ଼ ପ୍ରସନ୍ନଜିତ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ତଥା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
