ପୁରୀ,୨୩/୧୦: ପୁରୀରେ ପ୍ରତିଷ୍ଠା ହେବ ଯାତ୍ରୀବାହୀ ଜାହାଜ କେନ୍ଦ୍ର ବା ସମୁଦ୍ର ପର୍ଯ୍ୟଟନ ଟର୍ମିନାଲ୍ । ପୁରୀରୁ ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ ସ୍ଥାନକୁ ଯାତ୍ରୀଙ୍କୁ ନେଇ ଘରୋଇ ସୌଖୀନ ଜାହାଜ ଚଳାଚଳ କରିବ । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ପୁରୀର ବ୍ରହ୍ମଗିରିରୁ ସାତପଡ଼ା ମଧ୍ୟରେ ଏହି ଯାତ୍ରୀବାହୀ ଜାହାଜ ଚଳାଚଳ କେନ୍ଦ୍ର ପ୍ରତିଷ୍ଠା ହେବ । ପୁରୀ ଶ୍ରୀଜଗନ୍ନାଥ ବିମାନବନ୍ଦର ନିକଟରେ ଏହି ଯାତ୍ରୀବାହୀ ଜାହାଜ ଚଳାଚଳ କେନ୍ଦ୍ର କରାଯାଇ ପର୍ଯ୍ୟଟନ ସ୍ଥଳକୁ ଆହୁରି ଆକର୍ଷକ କରିବାକୁ ସରକାର ଯୋଜନା କରିଛନ୍ତି ।
ପୁରୀରୁ ପାରାଦୀପ, ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ପଶ୍ଚିମବଙ୍ଗର ଦୀଘା, ଆଣ୍ଡାମାନ ନିକୋବର ଦୀପପୁଞ୍ଜ ପ୍ରଭୃତିକୁ ଏହି ଯାତ୍ରୀବାହୀ ଜାହାଜ ଚଳାଚଳ କରିବ । ଏହି ପ୍ରକଳ୍ପ ଡିପିଆର୍ ପ୍ରସ୍ତୁତ ହୋଇଛି । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଇପିକଲ ମିଳିତ ଭାବେ ଏହି ପ୍ରକଳ୍ପ ପ୍ରସ୍ତୁତ କରୁଛନ୍ତି । ୧.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚରେ ଏହି ପ୍ରକଳ୍ପ ହେବ । ରାଜ୍ୟ ସରକାର ଏନେଇ ଆସନ୍ତା ୨୭ରୁ ୩୧ ତାରିଖ ମଧ୍ୟରେ ମୁମ୍ବାଇରେ ହେବାକୁ ଯାଉଥିବା ଇଣ୍ଡିଆନ୍ ମେରିଟାଇମ୍ ୱିକ୍ (ଆଇଏମ୍ଡବ୍ଲୁ) ଅବସରରେ ଏମ୍ଓୟୁ ସ୍ୱାକ୍ଷର କରିବେ ।
ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପ ଭିତ୍ତିଭୂମି ପୁରୀରେ, ଦ୍ୱିତୀୟରେ ପାରାଦୀପଠାରେ ବିକଶିତ ହେବ । ଆସନ୍ତା ୨ରୁ ତିନି ବର୍ଷ ଭିତରେ ଏହି ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରହିଥିବା ଏକ ଜାତୀୟ ଗଣମାଧ୍ୟମକୁ ପାରାଦୀପ ପୋର୍ଟ ଅଥରିଟି (ପିପିଏ) ଚେୟାରମ୍ୟାନ ପିଏଲ୍ ହରାନନ୍ଧ୍ କହିଛନ୍ତି । ପର୍ଯ୍ୟଟନ କ୍ଷେତ୍ରର ବିକାଶ ଏହାର ଏକମାତ୍ର ଲକ୍ଷ୍ୟ ହେବ । ପ୍ରକଳ୍ପ ହେଲେ ଜାହାଜ ତିଆରି, ମରାମତି, ବନ୍ଦର ବିକାଶ, ବାଣିଜ୍ୟ ପ୍ରଭୃତିକୁ ବଳ ଦେବ ବୋଲି ରିପୋର୍ଟରୁ ଜଣାପଡ଼ିଛି ।
