ଭୁବନେଶ୍ୱର: ସର୍ବକାଳୀନ ରେକର୍ଡ଼ ଭାଙ୍ଗିଲା ସୁନା ଦର। ଶୁକ୍ରବାର ସୁନା ଦର ଏକ ଲମ୍ୱ ଡିଆଁ ପ୍ରଦାନ କରି ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି ଦେଇଛି। ଆଜିର ବଜାରରେ ୧୮ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୯,୯୫,୭୦୦ ଟଙ୍କା ରହିଛି। ସେହିଭଳି ୨୨ କ୍ୟାରେଟ୍ ର ଦର ୧୦ ଗ୍ରାମ ପ୍ରତି ୧,୨୧.୭୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନାର ଦାମ ୧,୩୨,୬୦୦ ଟଙ୍କା ରହିଛି। ଆଜି ଗୋଟିଏ ଦିନରେ ୩ ହଜାର ଟଙ୍କା ଯାଏ ବଢ଼ିଛି ସୁନା ଦର । ଆଜି ଗୋଟିଏ ରେଟ୍ ତ କାଲି ଆଉ ଗୋଟିଏ ରେଟ୍ । ସୁନା ଦର ଏମିତି ହୁ ହୁ ହୋଇ ବଢୁଥିବା ଦେଖି ସୁନା ଗହଣା ଶୋ ରୁମ୍ ରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି। ବଡ କଥା ହେଉଛି ଖାଲି ଧନତେରାସ ନୁହେଁ ଭବିଷ୍ୟତକୁ ନଜରରେ ରଖି ଗ୍ରାହକମାନେ ଆଜିଠୁ ସୁନା କିଣି ମହଜୁଦ ରଖିବା ପାଇଁ ସୁନା କିଣୁଛନ୍ତି। କିଛି ଗ୍ରାହକ ଟ୍ରମ୍ପଙ୍କ ଟାରିଫ, ଋଷିଆ ୟୁକ୍ରେନ ଯୁଦ୍ଧ ଭଳି ବିଭିନ୍ନ ବିଶ୍ଵ ଘଟଣାବଳୀକୁ ନେଇ ଚିନ୍ତିତ ଅଛନ୍ତି। ତେଣୁ ସେମାନେ ଆଜିଠୁ ସୁନା କିଣିବା ଆରମ୍ଭ କରିଥିବା କହିଛନ୍ତି। ବଢୁଥିବା ସୁନା ଦର ବହୁ ଜଲଦି ଦେଢ଼ ଲକ୍ଷ ଟଙ୍କା ପାର ହୋଇଯାଇପାରେ ବୋଲି ଅନୁମାନ କରାଯାଉଛି। ଜଣେ ଗ୍ରାହକଙ୍କ କହିବା କଥା ସୁନା ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ସେ କିଛି ଦିନ ତଳେ ୧ ଲକ୍ଷ ୧୩ ହଜାର ଟଙ୍କାରେ ସୁନା ବୁକ୍ କରିଥିଲେ ଆଉ ଆଜି ସୁନା ରେଟ୍ ୧ ଲକ୍ଷ ୨୧ ହଜାର ୭୦୦ ଟଙ୍କାରେ ସୁନା ଦର ହୋଇଥିଲେ ବି ବୁକ୍ କରିଥିବା ଯୋଗୁଁ ସେହି ପୁରୁଣା ରେଟ୍ ରେ ସେ ସୁନା ନେଉଛନ୍ତି ବୋଲି କହିଛନ୍ତି। ସେପଟେ ଆଜି ଗୋଟିଏ ଦିନରେ ସୁନା ଦର ୩ ହଜାର ଟଙ୍କା ବଢ଼ିଥିବା କହିଛନ୍ତି ଭୁବନେଶ୍ୱର ମାଲାବାର୍ ଷ୍ଟୋର ମ୍ୟାନେଜର ଚନ୍ଦନ କୁମାର ନାୟକ। ସପ୍ତାହେ ଭିତରେ ୧୦ ହଜାର ଟଙ୍କା ସୁନା ବୃଦ୍ଧି ହୋଇସାରିଛି। ସୁନା ରେଟ୍ ଏତେ ସ୍ପିଡ ରେ ବଢୁଛି ଯେ ଫୋନ୍ କରି ସୁନା ଦର ପଚାରୁଥିବା ଗ୍ରାହକଙ୍କୁ ଉତ୍ତର ଦେବା ମଧ୍ୟ ମୁସ୍କିଲ ହେଉଛି ବୋଲି ସେ କହିଛନ୍ତି। ତେଣୁ ବଢୁଥିବା ସୁନା ଗହଣା ଦରକୁ ନେଇ ଵୁକିଂ ସ୍କୀମ ଆରମ୍ଭ କରିଛି ମାଲାବାର୍। ଯେଉଁ ରେଟ୍ ରେ ସୁନା ବୁକ୍ କରିଥିବେ ଯେବେ ଆସି କିଣିଲେ ବି ଗ୍ରାହକଙ୍କ ସୁବିଧାକୁ ପ୍ରାଥମିକତା ଦେବାକୁ କୁହାଯାଉଛି। ବୁକ୍ କରିଥିବା ସୁନା ଦର ଠୁ ଯଦି ସୁନା ବହୁ ଦର ବଢିଲା ତେବେବି ବୁକିଂ ରେଟ ରେ ସୁନା କିଣିବେ ଗ୍ରାହକ। ଅନ୍ୟପଟେ ଯଦି ବୁକ୍ କରିଥିବା ସୁନା ଦରଠୁ କୌଣସି ପ୍ରକାରେ ସୁନା ଦର କମିଲା ତେବେ କମିବା ରେଟ୍ ରେ ଗ୍ରାହକ ସୁନା କିଣିପାରିବେ ବୋଲି କୁହାଯାଇଛି। ତେଣୁ ଅନେକ ଗ୍ରାହକ ଏବେ ସୁନା ଅଧିକ ମାତ୍ରାରେ ବୁକ୍ କରୁଥିବା ନେଇ ସେ ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ଧନତେରସ ମାହୋଲକୁ ଦେଖିଲେ ରେଟ୍ ଆହୁରି ବଢିବାର ସମ୍ଭାବନା ଥିବା କହିଛନ୍ତି। ଖାଲି ସୁନା ନୁହେଁ ପ୍ଲାଟିନମ ଦର ବର୍ତ୍ତମାନ ୧ ଗ୍ରାମ ପିଛା ୫୮୧୦ ଟଙ୍କା ରହିଥିବା ବେଳେ ରୂପା ଦର ୧ ଗ୍ରାମ ପିଛା ୨୦୩ ଟଙ୍କା ରହିଛି।
