ଭୁବନେଶ୍ବର: ରାଜ୍ୟ ବାହାରେ ସୁରକ୍ଷିତ ନୁହନ୍ତି ଓଡ଼ିଆ ମହିଳା । ପଶ୍ଚିମବଙ୍ଗ ପରେ ତେଲଙ୍ଗାନାରେ ଲଜ୍ଜା, ପୁଣି ଜଣେ ମହିଳା ଦୁଷ୍କର୍ମର ଶିକାର । ହାଇଦ୍ରାବାଦରେ ଜଣେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ହୋଇଛି । ପେଟବସିରାବାଦ କୋମାପାଲି ଅଞ୍ଚଳରୁ ଏହି ଲଜ୍ଜାଜନକ ଖବର ଆସିଛି । ସେପଟେ ମହିଳାଙ୍କ ବାପା ନ୍ୟାୟ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି ।
ସୂଚନା ମୁତାବକ, ମୃତ ମହିଳାଙ୍କ ଘର ଭୁବନେଶ୍ବର ଭରତପୁର ଅଞ୍ଚଳରେ । ସେ ଖୋର୍ଦ୍ଧା ଅଞ୍ଚଳରେ ବିବାହ କରିଥିଲେ। ସ୍ୱାମୀ ଓ ୪ ବର୍ଷର ପୁଅ ସହ ହ୍ରାଇଦ୍ରାବାଦର କୋମପାଲି ଅଞ୍ଚଳରେ ରହୁଥିଲେ। ସ୍ବାମୀ ଏକ କମ୍ପାନୀରେ ଇଲେକ୍ଟ୍ରିକ୍ ମେଣ୍ଟେନାନ୍ସ ବିଭାଗରେ କାର୍ଯ୍ୟ କରୁଥିଲେ। ୬ ମାସ ହେଲା ପତ୍ନୀ ଓ ପୁଅ ସହ ସେଠାରେ ରହୁଥିଲେ । ପତ୍ନୀ ଅର୍ଥାତ୍ ମୃତ ମହିଳା ମଧ୍ୟ ସେଇ କମ୍ପାନୀରେ ‘labour creche centre’ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ପୂରା ପରିବାର କମ୍ପାନି ପରିସରରେ ମିଳିଥିବା କ୍ବାର୍ଟରରେ ରହୁଥିଲେ । ତେବେ ୧୧ ତାରିଖରେ ହଠାତ୍ ପାସପୋର୍ଟ ଅଫିସରେ କାମ ପଡ଼ିବାରୁ ସ୍ବାମୀ ଓଡ଼ିଶା ଚାଲିଆସିଥିଲେ । ଏହାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଛନ୍ତି । ଏନେଇ ମୃତକ ପରିବାର ହାଇଦ୍ରାବାଦରେ ମାମଲା ରୁଜୁ କରିବା ସହ ଘଟଣା ତଦନ୍ତ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ଘଟଣାର ସତ୍ୟାସତ୍ୟ ଜାଣିବା ସହ ଏଥିରେ ଯେଉଁମାନେ ସାମିଲ୍ ତାଙ୍କୁ ଖୋଜି ବାହାର କରିବାକୁ ଦାବି କରିଛନ୍ତି। ଅନ୍ୟପଟେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ମୃତ ମହିଳାଙ୍କ ବାପା କହିଛନ୍ତି, ତାଙ୍କ ଝିଅ ଚାକିରି କରୁଥିବା କମ୍ପାନିର ଇନଚାର୍ଜ ତାଙ୍କ ଝିଅଙ୍କ ଉପରେ କୁଦୃଷ୍ଟି ପକାଇଥିଲେ । ଝିଅ ବାଥରୁମ୍ ଯାଇଥିବା ବେଳେ ଇନଚାର୍ଜ ପୂର୍ବରୁ ଖଟତଳେ ଲୁଚି ରହିଥିଲା ଏବଂ ଝିଅକୁ ଦୁଷ୍କର୍ମ କରିବା ପରେ ଶ୍ବାସରୁଦ୍ଧ କରି ମାରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ବାପା ।
