ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ବିଷାକ୍ତ କଫ ସିରପ ସେବନ ଯୋଗୁ ଆଉ ଜଣେ ଶିଶୁର ମୃତ୍ୟୁ ଘଟିଛି । ଛିନ୍ଦୱାଡ଼ାର ମୋରଡୋଗରି ପରାସିଆ ନିବାସୀ ବାବୁ ପାୱାରଙ୍କ ବର୍ଷକର ଶିଶୁପୁତ୍ର ଗର୍ବିକ ବିଷାକ୍ତ କଫ ସିରପର ସଦ୍ୟ ଶିକାର ହୋଇଛି । ଏହାକୁ ମିଶାଇ ରାଜ୍ୟରେ ଅଦ୍ୟାବଧି ୨୫ ପିଲାଙ୍କ ମୃତ୍ୟୁ ଘଟିଲାଣି । ରାଜସ୍ଥାନରେ ବି ୪ ଜଣ ଶିଶୁଙ୍କ ଜୀବନ ଯାଇଛି । ଏହାକୁ ନେଇ କେନ୍ଦ୍ର ସରକାର ଆକ୍ସନ୍ ମୋଡ୍କୁ ଆସିଛନ୍ତି ।
ଗୁରୁବାର କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଙ୍ଗଠନ (ସିଡିଏସ୍ସିଓ) ଦେଶବ୍ୟାପୀ କଫ ସିରପ ପ୍ରସ୍ତୁତକାରୀ ଫାର୍ମା କମ୍ପାନିଗୁଡ଼ିକର ଯାଞ୍ଚ ଲାଗି ନିଷ୍ପତ୍ତି ନେଇଛି । ସେହିଭଳି ସିରପଗୁଡ଼ିକର ନମୁନା ପରୀକ୍ଷା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କଫ ସିରପ ବନାଉଥିବା କମ୍ପାନିଗୁଡ଼ିକର ତାଲିକା ମାଗିଛନ୍ତି । ଏହାଦ୍ୱାରା ସେଗୁଡ଼ିକର ଗୁଣବତ୍ତା ଏବଂ ସୁରକ୍ଷା ନେଇ କଡ଼ାକଡ଼ି ଯାଞ୍ଚ ହୋଇପାରିବ । ସିଡିଏସ୍ସିଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)କୁ କହିଛି ଯେ, ତିନୋଟି ସିରପ ଯଥା କୋଲ୍ଡରିଫ, ରେସିଫ୍ରେସ-ଟିଆର୍ ଏବଂ ରିଲାଇଫ୍ର ବଜାରରେ ବିକ୍ରି ଓ ସେଗୁଡ଼ିକର ଉତ୍ପାଦନକୁ ବ୍ୟାନ୍ କରାଯାଇଛି । କଫ୍ ସିରପ୍ର ଯାଞ୍ଚ ବାଧ୍ୟତାମୂଳକ ପାଇଁ ଇତିମଧ୍ୟରେ ନିର୍ଦ୍ଦେଶ ଜାରି ହୋଇଛି । ବୁଧବାର ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ (ଡିଜିଏଚ୍ଏସ୍) ପକ୍ଷରୁ ଏ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିମନ୍ତେ କଠୋର ମାର୍ଗଦର୍ଶିକା ଜାରି କରାଯାଇଥିଲା । ଫାର୍ମାସ୍ୟୁଟିକାଲ ଉତ୍ପାଦଗୁଡ଼ିକ ନିମନ୍ତେ କଡ଼ାକଡ଼ି ପ୍ରୋଟୋକଲ୍ ପାଳନ ଲାଗି କୁହାଯାଇଥିଲା । ଉଭୟ କଞ୍ଚାମାଲ ଓ ଫିନିଶ୍ଡ ଉତ୍ପାଦର ପୁଙ୍ଖାନୁପୁଙ୍ଖ ଯାଞ୍ଚ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଦେଶରେ ପ୍ରଚଳିତ ଔଷଧ ନିୟମକୁ କଡ଼ାକଡ଼ି ଭାବେ ପାଳନ ଲାଗି ଦର୍ଶାଯାଇଛି । ଏହି ମାମଲାର ଯାଞ୍ଚକୁ ନେଇ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଶୁକ୍ରବାର ଏ ନେଇ ଶୁଣାଣି ହୋଇପାରେ । ଓକିଲ ବିଶାଲ ତିୱାରୀଙ୍କ ଆବେଦନରେ ଏହି ମାମଲାର ତଦନ୍ତ ରାଷ୍ଟ୍ରୀୟ ନ୍ୟାୟିକ ଆୟୋଗ କିମ୍ବା ସିବିଆଇ ଦ୍ୱାରା କରାଇବାକୁ ଅନୁରୋଧ କରାଯାଇଛି । ଏ ପର୍ଯ୍ୟନ୍ତ କୌଣସି ରାଜ୍ୟ ସମ୍ପୂର୍ଣ୍ଣ ଭାବେ ସୁଧାରାତ୍ମକ ତଥା ନିବାରକ କାର୍ଯ୍ୟାନୁଷ୍ଠାନ (ସିଏପିଏ) ମାର୍ଗଦର୍ଶିକାର ପାଳନ କରିପାରି ନାହାନ୍ତି । ଏହି ମାର୍ଗଦର୍ଶିକା ଔଷଧଗୁଡ଼ିକର ସୁରକ୍ଷା ଓ ଗୁଣବତ୍ତା ବଜାୟ ପାଇଁ ପ୍ରସ୍ତୁତ ହୋଇଥିଲା।
