ରାଉରକେଲା: ଝାଡ଼ଖଣ୍ଡ ପୁଲିସ୍ର ମୋଷ୍ଟୱାଣ୍ଟେଡ୍ ତାଲିକାଭୁକ୍ତ ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ରାଉରକେଲା ଷ୍ଟେସନରୁ ଗିରଫ କରାଯାଇଛି । ସେମାନେ ହେଲେ ଅବଦେଶ କୁମାର (୨୬) ଓ ଉପେନ୍ଦ୍ର ଯାଦବ (୨୪) । ଆର୍ପିଏଫ୍ ପକ୍ଷରୁ ଉଭୟଙ୍କୁ ଝାଡ଼ଖଣ୍ଡ ପୁଲିସ୍କୁ ଆରପିଏଫ୍ ହସ୍ତାନ୍ତର କରାଯାଇଛି । ଗୁରୁବାର ଅପରାହ୍ଣରେ ପ୍ଲାଟ୍ ଫର୍ମ ନଂ.୧ରେ ଅବଦେଶ ଓ ଉପେନ୍ଦ୍ର ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ବେଳେ ଷ୍ଟେସନରେ ଡ୍ୟୁଟିରେ ଆରପିଏଫ୍ ଯବାନଙ୍କ ନଜରକୁ ଆସିଥିଲେ । ସେମାନଙ୍କୁ ଧରି ଷ୍ଟେସନ ପରିସରରେ ଥିବା ଆରପିଏଫ୍ ଥାନାକୁ ନେଇ ଜେରା ବେଳେ ଗୁମର ଖୋଲିଥିଲା । ସୂଚନା ପାଇ ରାଉରକେଲା ପୁଲିସ୍ ପହଞ୍ଚି ପଚରାଉଚରା କରିଥିଲା । ଝାଡ଼ଖଣ୍ଡରେ ଏ ଦୁହେଁ ସକ୍ରିୟ ଥିଲେ । ସେଠାକାର ବିଭିନ୍ନ ଥାନାରେ ଏମାନଙ୍କ ନାମରେ ହତ୍ୟା, ଲୁଟ୍, ଦାଦାବଟି ଆଦାୟ ଭଳି ସଙ୍ଗିନ ମାମଲା ରହିଛି । ଝାଡ଼ଖଣ୍ଡ ଲାତେହାର ଜିଲ୍ଲାର ଚାନ୍ଦୱା ଥାନା ଅନ୍ତର୍ଗତ ଟୋରି ରେଳ ଷ୍ଟେସନ ନିକଟ କୋଇଲା ସାଇଡିଂରେ ନିକଟରେ ହୋଇଥିବା ଗୁଳିକାଣ୍ଡ ମାମଲାରେ ଏମାନଙ୍କ ସମ୍ପୃକ୍ତି ଥିଲା ।
