ନୂଆଦିଲ୍ଲୀ : ପଞ୍ଜାବର “ଆଇରନମ୍ୟାନ୍”, ଆନ୍ତର୍ଜାତୀୟ ବଡିବିଲ୍ଡର ଏବଂ ଅଭିନେତା ଭରିନ୍ଦର ଘୁମାନଙ୍କ ଦେହାନ୍ତ ହୋଇଛି। ମାତ୍ର ୪୧ ବର୍ଷ ବୟସରେ ଏହି ଅଭିନେତା ଦୁନିଆକୁ ବିଦାୟ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ଏକ ଅସ୍ତ୍ରୋପଚାର ସମୟରେ ତାଙ୍କୁ ହୃଦଘାତ ହୋଇଥିଲା। ଏ ରିପୋର୍ଟ ଅନୁଯାୟୀ, ନିକଟରେ ଭରିନ୍ଦର କାନ୍ଧ ଅସ୍ତ୍ରୋପଚାର ପାଇଁ ଅମୃତସରର ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଯେତେବେଳେ ଅଭିନେତାଙ୍କ ଅସ୍ତ୍ରୋପଚାର ଆରମ୍ଭ ହୋଇଥିଲା, ସେତେବେଳେ ତାଙ୍କର ହୃଦଘାତ ହୋଇଥିଲା। ଯାହା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି। ଅଭିନେତାଙ୍କ ମୃତ୍ୟୁ ଖବରରେ ସମଗ୍ର ପଞ୍ଜାବୀ ଇଣ୍ଡଷ୍ଟ୍ରି ମର୍ମାହତ। ଭରିନ୍ଦର ମିଷ୍ଟର ଏସିଆ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ସେ ୨୦୧୧ ଅଷ୍ଟ୍ରେଲିଆନ ଗ୍ରାଁ ପ୍ରିକ୍ସରେ ସଫଳ ହୋଇଥିଲେ। ଏଥିସହିତ ସେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି।ଭରିନ୍ଦର ବଲିଉଡ୍ ସହିତ ପଞ୍ଜାବୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ସେ ସଲମାନ ଖାନଙ୍କ “ଟାଇଗର୍ ୩” ଏବଂ ୨୦୧୯ ଫିଲ୍ମ “ମରଜାୱାନ୍” ରେ ମଧ୍ୟ ଅଭିନୟ କରିଛନ୍ତି।
