ଥରେ ଦୁଇ ପୁରୁଣା ବନ୍ଧୁଙ୍କର ସାକ୍ଷାତ୍ ହେଲା । ସେମାନେ ବହୁ ସମୟ ଧରି ସୁଖଦୁଃଖ ହେଉଥିଲେ । ସେମାନଙ୍କର କଥା ଭିତରୁ ଗୋଟିଏ ଖୁବ୍ ମନଛୁଆଁ ଥିଲା , ଯାହା ତଳେ ଅବତାରଣା କରାଗଲା । ଗୋଟିଏ ଗାଁ’ ରେ ଗୋଟିଏ ପରିବାରରେ ଜଣେ ବୃଦ୍ଧା ମା ତାଙ୍କର ପୁଅବହୁଙ୍କ ସହ ରହୁଥିଲେ । ଦିନ ସାରା ସ୍ଵାଭାବିକ ଭାବରେ ଘର ପାଇଁ କାମଦାମ ସାରି ରାତ୍ର ଭୋଜନ ପରେ ସେ ପ୍ରାୟ 10 ଟା ରାତିରେ ଶୋଇ ପଡୁଥିଲେ ଏବଂ ଭୋର୍ 5 ଟା ବେଳେ ଉଠିପଡ଼ି ଫୁଲ ତୋଳୁଥିଲେ ନିଜ ଘରର ଠାକୁରଙ୍କ ପୂଜା ପାଇଁ।
ଦିନେ ସେ ଖାଇପିଇ ଶୋଇଲେ । ଭୋର୍ ୫ଟା ହେବାକୁ ଅଧ ଘଣ୍ଟାଏ ଥାଏ, ଏ ବେଳକୁ କେହି ଜଣେ କବାଟ ଠକ୍ ଠକ୍ କରିବାରୁ ବୁଢ଼ୀ ମା’ ଙ୍କର ନିଦ ଭାଙ୍ଗିଗଲା। ସେ ଆଖି ମଳି ମଳି ଆସି କବାଟ ଖୋଲିଲେ । କବାଟ ଖୋଲି ଦେଖିଲେ ତାଙ୍କ ସାମ୍ନାରେ ତାଙ୍କର ଜଣେ ଝିଆରୀ ଛିଡା ହୋଇଛି । ଝିଆରୀ ଜଣଙ୍କ ବୃଦ୍ଧାଙ୍କୁ କହୁଛି, ” ବଡ଼ ବଉ ଲୋ ! ସାନ ଭାଉଜ କାନ୍ଦୁଛି ପରା ! ତାଙ୍କୁ ଭାରି କଷ୍ଟ ହେଲାଣି। ଯାହା ହେଲେ ବି ଗୋଟିଏ ଭଲ ନର୍ସିଂ ହୋମ୍ କୁ ନେଇ ଗଲେ ଆରମ୍ ରେ ସେଠାରେ delivery ହୋଇଯିବ। ତୁ ଆ ତାଙ୍କ ପାଖକୁ !”
ଏତକ ଝିଆରୀ ପାଖରୁ ଶୁଣିସାରି ବୃଦ୍ଧା ଟିକେ ବିରକ୍ତ ଭାବ ଦେଖାଇ କହିଲେ , ” ଆଲୋ ତୁ deliverry ବିଷୟରେ କ’ଣ କିଛି ଜାଣିଛୁ ? ଚୁପ୍ ରହ । ମୁଁ ପରା ୫ ଟା ଛୁଆ ଜନ୍ମ କରିଛି । ତୁ ମୋତେ ପିଲା ଜନ୍ମର କଷ୍ଟ ବିଷୟରେ ବୁଝଉଛୁ ?? ପିଲା ଜନ୍ମ କରିବ ବୋଲି ଟିକେ କଷ୍ଟ ବି ନେବାକୁ ତାକୁ ଏତେ ଡର ? ଆଉ ଟିକେ ରହି ପାରିଲୁନି ? କବାଟ ବାଡ଼େଇକି ମୋ ନିଦ ଭାଙ୍ଗିଦେଲୁ ?”” ଯାହା ହେଉ ନା କାହିଁକି delivery ସମସ୍ୟା ଈଶ୍ବରଙ୍କ କୃପାରୁ ସମାଧାନ ହୋଇଗଲା ଏବଂ ସେ ପରିବାର ଖୁସିରେ ରହିଲେ ।
କିଛି ମାସ ପରେ, ସେ ବୁଢ଼ୀ ମା ଜଣଙ୍କ ତାଙ୍କର ବିଭାହିତ ଗୋଟିଏ ଝିଅକୁ ନିଜ ପାଖକୁ ନେଇ ଆସିଛନ୍ତି ତାଙ୍କରେ ପିଲା ପିଲି ହେବାକୁ ଥିବାରୁ । ସବୁଦିନ ପରି ବୁଢ଼ୀ ମା ଜଣକ ରାତି 10 ଟା ବେଳେ ନିଦ୍ରା ଯାଇ ଭୋର୍ 5 ଟା ବେଳକୁ ଉଠି ପଡ଼ନ୍ତି। ଦିନେ ତାଙ୍କର ଶୋଇବାର ତିନି ଚାରି ଘଣ୍ଟା ପରେ ଅର୍ଥାତ୍ ରାତି ପ୍ରାୟ ୨ ଟା ବେଳକୁ ତାଙ୍କ ଶୋଇବା ଘର କବାଟରେ କେହି ଜଣେ ଠକ୍ ଠକ୍ କଲା । ଏ ଠକ୍ ଠକ୍ ଶବ୍ଦ ଶୁଣି ବୁଢ଼ୀ ମା’ଙ୍କ ନିଦ ଭାଙ୍ଗିଗଲା ଓ ସେ ତର ତର ହୋଇ ଦଉଡ଼ି ଆସି କବାଟ ଖୋଲିଦେଲେ । ଦେଖିଲେ ନିଜର ଗୋଟିଏ ଝିଆରୀ ଠିଆ ହୋଇଛି। ଝିଆରୀକୁ ବୁଢ଼ୀ ମା ପଚାରିଲେ, ” ମୋ ଝିଅର କିଛି ହେଲାକି ଲୋ ?
ଝିଆରୀଟି କହିଲା ,”ହଁ ଲୋ ବଡ଼ ବଉ । ନାନୀକୁ ବହୁତ୍ କଷ୍ଟ ହେଉଛି, ସେ ଏବେ କାନ୍ଦୁଛି “।
ଏତକ ଶୁଣିସାରି ବୁଢ଼ୀ ମା ତେତିସ କୋଟି ଦେବାଦେବୀଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ, ଆଖି ଛଳ ଛଳ କରି ଝିଅ ପାଖକୁ ମାଡ଼ି ଯାଉଥିଲାବେଳେ ଝିଆରୀକୁ ବୁଝେଇଲା ଭଳି କହୁଥିଲେ ,” ମୁଁ ୫ ଟା ଛୁଆ ଜନ୍ମ କରିଛି । Delivery କେତେ କଷ୍ଟ ମୁଁ ଜାଣେ ଲୋ ମା ! ହେ ପ୍ରଭୁ ! ମୋ ଛୁଆକୁ ଭଲରେ ରଖ ।
ତା ପରେ ବି ବୁଢ଼ୀ ମା’ ତାଙ୍କ ଝିଆରୀକୁ କହି ହେଉଥିଲେ, ” ଆଗରୁ ଟିକେ ଆସିକି ମୋତେ ଡାକିଦେଲୁନି କାହିଁକି ? “
ତା ପର ଦିନ ସେ ଘରେ ହସ ଖୁସିରେ ଫାଟି ପଡୁଥିଲା । ମିଠା ଖିଆ ବି ହେଉଥିଲା ମହା ଆନନ୍ଦରେ ।
