ଇସ୍ରାଏଲ -ହମାସ ମଧ୍ୟରେ ଯୁଦ୍ଧ ମଧ୍ୟରେ ଗାଜାରେ ଦୁର୍ଭିକ୍ଷ ନେଇ ଜାତିସଂଘ ଏଜେନସ୍ ଘୋଷଣା କରିବା ନିଶ୍ଚିତ ଭାବେ ଏକ ବିରଳ ଘଟଣା। ଜାତିସଂଘ ସମର୍ଥିିତ ଇଂଟିଗ୍ରେଡେଟ ଫୁଡ୍ ସିକୁ୍ୟରିଟ୍ ଫେଜ୍ କ୍ଲାସିଫିକେସନ୍(ଆଇପିସି)ର 20ବର୍ଷର ଇତିହାସରେ ମାତ୍ର 4ଥର ତଥା 2011ରେ ସୋମାଲିଆ,2017 ଓ 2020ରେ ଦକ୍ଷିଣ ସୁଦାନ ଏବଂ 2024ରେ ସୁଦାନରେ ଦୁର୍ଭିକ୍ଷ ଘୋଷଣା କରିଥିଲା। ଏବେ ଏହି ତାଲିକାରେ ଗାଜା ଯୋଡି ହୋଇଯାଇଛି। ଗଲା 22ତାରିଖ ଦିନ ଗାଜା ଦୁର୍ଭିକ୍ଷ ପ୍ରପିଡିତ ବୋଲି ଜାତିସଂଘ ଏଜେନସ୍ ଆଇପିସି ଘୋଷଣା କରିଛି। 22ତାରିଖ ଦିନ ଆଇପିସି ପ୍ରକାଶ କରିଥିବା ରିପୋର୍ଟରେ କୁହାଯାଇଛି ଯେ, ଗାଜା ଉପରେ ଇସ୍ରାଏଲର ଆକ୍ରମଣ ଯୋଗୁଁ ଖାଦ୍ୟଭାବ ଏବଂ ଅନାହାରରେ ଶିଶୁମାନେ ଅନ୍ତସାରଶୂନ୍ୟ କଙ୍କାଳମୟ, ଜୀର୍ଣ୍ଣଶିର୍ଣ୍ଣ ହୋଇପଡିଥିବା ସ୍ପଷ୍ଟ ଦୃଶ୍ୟମାନ ହେଉଛି। ଯାହାକି ପୁଷ୍ଟିହୀନତା ଓ ଅନାହାର ମୃତୁ୍ୟର କାରଣ ହୋଇଛି। ଗାଜାରେ ଦୁର୍ଭିକ୍ଷ ସମ୍ପୂର୍ଣ୍ଣ ମଣିଷକୃତ ବୋଲି ଜାତିସଂଘ ଘୋଷଣା କରିଛି। ଗତ ଜୁଲାଇ ମାସରେ ଜାତିସଂଘ ଚେତାବନୀ ଦେଇ ଘୋଷଣା କରିଥିଲା ଯେ, ଗାଜାର କେତେକ ଅଂଚଳରେ ଦୁର୍ଭିକ୍ଷ ଭଳି ପରିସ୍ଥିତି ଉପୁଜିଥିବା ଦେଖାଦେଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ବର୍ତମାନଠାରୁ ଯଦି ମୁକାବିଲା ପଦକ୍ଷେପ ଗ୍ରହଣ କରାନଯାଏ, ତେବେ ଦୁର୍ଭିକ୍ଷ ପଡିବା ସୁନିଶ୍ଚିତ। ଏବେ ଦୁର୍ଭିକ୍ଷ ଗାଜାରେ ବିରାଜମାନ କରିସାରିଛି ବୋଲି ଆଇପିସି ଘୋଷଣା କରିଛି। ଉଲ୍ଳେଖଯୋଗ୍ୟ ଯେ, ଗାଜା ବିରୁଦ୍ଧରେ ଇସ୍ରାଏଲର ଯୁଦ୍ଧକୁ ଇତି ମଧ୍ୟରେ ଆସନ୍ତା ଅକ୍ଟୋବର 7ତାରିଖରେ 3ବର୍ଷ ପୁରିବାକୁ ଯାଉଥିବାବେଳେ ବର୍ତମାନସୁଦ୍ଧା ବୋମା ଓ ରକେଟ ମାଡରେ 60 ହଜାର ଲୋକଙ୍କର ମୃତୁ୍ୟ ଘଟିଲାଣି। ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଅନ୍ତର୍ଭୁଚ୍ଛ ଥିବା କୁହାଯାଏ। ଇସ୍ରାଏଲ ଗାଜା ଅବରୋଧ ଏବଂ ଲଗାତାର ବୋମାମାଡ ଜାରି ରଖିଥିବାବେଳେ ଶରଣାର୍ଥୀ ଶିବିର, ଖାଦ୍ୟପାଇଁ ଧାଡିରେ ଥିବା ଶିଶୁ, ମହିଳା, ବୃଦ୍ଧ, ହସ୍ପିଟାଲ ଏବଂ ଶିକ୍ଷାନୁଷ୍ଠାନ ଗୁଡିକୁ ଟାର୍ଗେଟ କରିଛି। ନିକଟରେ ଇସ୍ରାଏଲର ବୋମାମାଡରେ 5ଜଣ ସାମ୍ଵାଦିକଙ୍କର ମୃତୁ୍ୟ ଘଟିଥିଲା। ବର୍ତମାନ ସୁଦ୍ଧା 192ଜଣ ସାମ୍ଵାଦିକଙ୍କର ମୃତୁ୍ୟ ଘଟିଥିବା କୁହାଯାଏ।

ଉଲ୍ଲେଖଯୋଗ୍ୟ ଯେ, ଇସ୍ରାଏଲର ଗାଜା ଅବରୋଧ ଏବଂ ଗାଜା ଦଖଲ ଅଭିଯାନ ଯୋଗୁଁ ଦୁର୍ଭିକ୍ଷ ପରିସ୍ଥିତି ଉପୁଜିଛି ବୋଲି ସ୍ଵୀକାର କରିବାକୁ ହେବ। ଆଇପିସିର ଦୁର୍ଭିକ୍ଷ ଘୋଷଣା ପରେ ଏବେ ଇସ୍ରଏଲର ପ୍ରଧାନମନ୍ତ୍ରୀ ବେଂଜାମିନ ନେତାନୁ୍ୟହଙ୍କ ଉପରେ ଯୁଦ୍ଧ ବନ୍ଦ ପାଇଁ ଆନ୍ତର୍ଜାତିକ ଚାପ ବଢିବାରେ ଲାଗିଛି। ମାତ୍ର ଦୁର୍ଭିକ୍ଷ ଅଭିଯୋଗକୁ ଇସ୍ରାଏଲ ବୈଦେଶିକ ପ୍ରତ୍ୟାଖ୍ୟାନ କରିବା ସହ ହମାସ୍ର ମିଛ ପ୍ରଚାର ବୋଲି କହିଛି। କିନ୍ତୁ ଆଇପିସି ଏକାକୀ ଦୁର୍ଭିକ୍ଷ ଘୋଷଣା କରିନାହିଁ। ଗତ ମାସରେ ଡକ୍ଟରସ ଉଦାଉଟ୍ ବର୍ଡର, ଅକ୍ସଫାମ, ଆମେଷ୍ଟି ଇଂଟରନ୍ୟାଶନାଲ ପରି ଶତାଧିକ ସଂସ୍ଥାପକ୍ଷରୁ ଇସ୍ରାଏଲ ଭୋକିଲାଙ୍କ ପାଇଁ ସହାୟତା ଯୋଗାଣକୁ ବାଧା ଦେଉଥିବା ନେଇ ଘୋଷଣା କରିଥିଲେ। ଆହୁରି ମଧ୍ୟ ଯୁଦ୍ଧ ଆରମ୍ଭ ହେବା ଦିନ ଠାରୁ ବର୍ତମାନ ସୁଦ୍ଧା ଅନାହାରରେ 200ରୁ ଉର୍ଦ୍ଧ୍ଵ ଲୋକ ଓ ପିଲାଙ୍କର ମୃତୁ୍ୟ ଘଟିଥିବା ଖାଦ୍ୟ ସ୍ଵାସ୍ଥ୍ୟ ଅଧିକାରୀମାନଙ୍କ ପକ୍ଷରୁ କୁହାଯାଇଛି। ସେହିପରି ଖାଦ୍ୟ ସହାୟତା ବଂଟନ ଶିବିରରେ ଇସ୍ରାଏଲର ଆକ୍ରମଣରେ 1300ରୁ ଉର୍ଦ୍ଧ୍ଵ ପାଲେଷ୍ଟାନୀୟଙ୍କ ମୃତୁ୍ୟ ଘଟିଥିବା କୁହାଯାଏ। ଏହା ନିସନ୍ଦେହ ଯେ, ଯୁଦ୍ଧ ବନ୍ଦ ପାଇଁ ଆନ୍ତର୍ଜାତିକ ଉଦ୍ୟମ କୁ୍ୟଚିତ ହୋଇଥିବାବେଳେ ଜାତିସଂଘ ନିରାପତା ପରିଷଦ ଏବଂ ସାଧାରଣ ପରିଷଦ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଅନ୍ୟପକ୍ଷରେ ଗତ ସପ୍ତାହରୁ ଇସ୍ରାଏଲ ତାର ଲଢେଇକୁ ଆହୁରି ଯୋରଦାର କରିବା ସହ ଲଢୁଆ ବିମାନ, ଟ୍ୟାଙ୍କର ଗାଜା ସହରରେ ପ୍ରସ୍ତୁତ ରଖିଥିବା ରିପୋର୍ଟ ପ୍ରକାଶ ପାଇଛି। ଆହୁରି ମଧ୍ୟ ହମାସକୁ ସମ୍ପୂର୍ଣ୍ଣ ନିପାତ ଓ ପଣବନ୍ଦୀମାନଙ୍କୁ ଖଲାସ କରିଥିବା ସତ୍ଵେ ଇସ୍ରାଏଲ ଏବେ ଛଳନାପୂର୍ଣ୍ଣ ଯୁଦ୍ଧ ଚଳାଇଥିବା କୁହାଯାଇପାରେ। ସେହିପରି ୱେଷ୍ଟବ୍ୟାଙ୍କରେ ଥିବା 3400 ନୂତନ ଆଶ୍ରୟ ଗୃହକୁ ଦଖଲ କରିବା ସେନାକୁ ଅନୁମତି ଦେଇଛି। ୱେଷ୍ଟ ବ୍ୟାଙ୍କରେ ହମାସର ଉପସ୍ଥିତି ନଥିବା ଜେନେଭା ସମ୍ମିଳନୀ ଓ ୟୁରୋପୀୟ ସମୁଦାୟ କହିଛି। ଏହା ନିସନ୍ଦେହ ଯେ, ଗାଜା ଅଚ୍ଛିଆର ଏବେ ଇସ୍ରାଏଲର ଲକ୍ଷ୍ୟ ହୋଇଛି। ଏହା ସତ୍ୟ ଯେ, ଇସ୍ରାଏଲକୁ ବିଶ୍ବର ପ୍ରାୟ ସମସ୍ତ ରାଷ୍ଟ୍ର ବିରୋଧ କରୁଥିବାବେଳେ ଆମେରିକା ଉଦ୍ଦେଶ୍ୟମୂଳକ ସମର୍ଥନ ଜାରି ରଖିଛି। ଆମେରିକାର ନୀରବତା ହିଁ ଇସ୍ରାଏଲକୁ କେବଳ ଯୁଦ୍ଧ ପାଇଁ ଉସାହିତ କରିନାହିଁ, ଗାଜାରେ ଦୁର୍ଭିକ୍ଷକୁ ଆମନ୍ତ୍ରଣ କରିଛି।
